କଂଗ୍ରେସର ଆଜି ପରିବର୍ତ୍ତନ ସଂକଳ୍ପ ସମାବେଶ । କର୍ମୀଙ୍କୁ ବିଜୟ ମନ୍ତ୍ର ଦେବାକୁ ଓଡିଶା ଆସୁଛନ୍ତି ରାହୁଲ ଗାନ୍ଧୀ

ତମାଣ୍ଡୋ ମିନି ଷ୍ଟାଡିୟମରେ ରାହୁଲଙ୍କ ସମାବେଶ

119

କନକ ବ୍ୟୁରୋ: କଂଗ୍ରେସର ଆଜି ପରିବର୍ତ୍ତନ ସଂକଳ୍ପ ସମାବେଶ । କର୍ମୀଙ୍କୁ ବିଜୟ ମନ୍ତ୍ର ଦେବାକୁ ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଆଜି ଭୁବନେଶ୍ୱରରେ ସମାବେଶ କରିବେ ରାହୁଲ । ରାହୁଲ ଦଳୀୟ ସମାବେଶରେ କର୍ମୀ ଓ ନେତାଙ୍କୁ ସମ୍ବୋଧନ କରିବା ସହ ବିଭିନ୍ନ ବର୍ଗର ଲୋକଙ୍କୁ ସାକ୍ଷତ କରିବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶାରେ ଜଣେ ପରେ ଜଣେ କଂଗ୍ରେସ ନେତା ଦଳ ଛାଡୁଥିବା ବେଳେ ରାହୁଲ ଗାନ୍ଧୀ ଦଳର ନେତା ଓ କର୍ମୀଙ୍କୁ କେଉଁ ବାର୍ତା ଦେବେ, ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଅନ୍ୟପଟେ ଗୋଟିଏ ଦିନରେ ଦୁଇ ଦୁଇଟି ବଡ କାର‌୍ୟ୍ୟକ୍ରମ । ନିର୍ବାଚନ ପୂର୍ବରୁ ଭୁବନେଶ୍ୱରରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବଡଧରଣର ସମାବେଶ କରୁଥିବା ବେଳେ ପୁରୀରେ କାଳିଆ ଟଙ୍କା ବଂଟନ କାର‌୍ୟ୍ୟକ୍ରମରେ ଯୋଗ ଦେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୋଦିଙ୍କ ଘନଘନ ଓଡ଼ିଶା ଗସ୍ତ ଏବଂ ନବୀନଙ୍କ ଗୋଟିଏ ପରେ ଗୋଟିଏ କାର‌୍ୟ୍ୟକ୍ରମ ନିର୍ବାଚନ ବର୍ଷରେ ଓଡ଼ିଶାର ରାଜନୈତିକ ମାହୋଲକୁ ସରଗରମ କରି ରଖିଥିବା ବେଳେ  ଆଜି ଭୁବନେଶ୍ୱର ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ମୋଦି, ବିଜେଡି ପ୍ରତି ନରମ ଆଭିମୁଖ୍ୟ ଗ୍ରହଣ କରିଥିବାବେଳେ କଂଗ୍ରେସ ଅଧ୍ୟକ୍ଷ, ନବୀନ ସରକାରଙ୍କ ପ୍ରତି କେଉଁ ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ତା ଉପରେ ରହିଛି ସମସ୍ତଙ୍କ ନଜର ।

ସେପଟେ ଓଡ଼ିଶାରେ ନିର୍ବାଚନ ପ୍ରଚାର ଅଭିଯାନରେ ମଙ୍ଗ ଧରିପାରନ୍ତି ପ୍ରିୟଙ୍କା। ଆସନ୍ତା ଫେବ୍ରୁଆରି ମାସରେ ଏଆଇସିସି ସାଧାରଣ ସଂପାଦିକା ଭାବେ ସଦ୍ୟ ନିଯୁକ୍ତ ପ୍ରିୟଙ୍କା ଗାନ୍ଧୀ ଓଡ଼ିଶା ପାରନ୍ତି ବୋଲି ପ୍ରଦେଶ କଂଗ୍ରେସ ସୂତ୍ରରୁ ସୂଚନା ମିଳିଛି। ଆସନ୍ତା ମାସ ପ୍ରଥମ ସପ୍ତାହରେ ରାହୁଲ ଦକ୍ଷିଣ ଓଡ଼ିଶା ଗସ୍ତରେ ଆସିବେ ବୋଲି ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ କହିଛନ୍ତି। ତେବେ ଗସ୍ତ ତାରିଖ ଓ କାର‌୍ୟ୍ୟକ୍ରମ ଚୂଡ଼ାନ୍ତ ହୋଇନାହିଁ।

ବୁଧବାର ସଭାପତି ରାହୁଲ ଗାନ୍ଧୀ ପ୍ରିୟଙ୍କାଙ୍କୁ ଆନୁଷ୍ଠାନିକ ଭାବେ ଏଆଇସିସିର ସାଧାରଣ ସଂପାଦିକ ପଦରେ ନିଯୁକ୍ତି ଦେବା ପରେ କଂଗ୍ରେସ ମହଲରେ ଖୁସିର ଲହରୀ ଖେଳି ଯାଇଥିଲା। ତାଙ୍କୁ ଓଡ଼ିଶା ଗସ୍ତରେ ଆସିବାକୁ ନିମନ୍ତ୍ରଣ କରାଯିବ ଏବଂ ଆସନ୍ତା ଫେବ୍ରୁଆରି ମାସରେ ହିଁ ସେ ଗସ୍ତ କରିବେ ବୋଲି ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ କହିଛନ୍ତି। ତେବେ ଏ ନେଇ କାର‌୍ୟ୍ୟକ୍ରମ ସ୍ଥିର ହୋଇନାହିଁ।