ଆଜି ଆକାଶମାର୍ଗରୁ ତିତଲି ପ୍ରଭାବିତ ଅଞ୍ଚଳର ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ : ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ

80

କନକ ବ୍ୟୁରୋ : ତିତଲି ପ୍ରଭାବିତ ଅଞ୍ଚଳ ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜିି ଆକାଶ ମାର୍ଗରେ ଗଜପତି, ଗଞ୍ଜାମ ଓ ରାୟଗଡା ୩ଟି ଜିଲ୍ଳାର ସ୍ଥିତି ଅନୁଧ୍ୟାନ କରିବେ । ପୂର୍ବାହ୍ନ ୧୧ଟା ବେଳେ ମୁଖ୍ୟମନ୍ତ୍ରୀ ତିତଲି ପ୍ରଭାବିତ ଅଂଚଳ ଯାଇ ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି । ଆକାଶ ମାର୍ଗରୁ ବନ୍ୟା ଅଂଚଳ ବୁଲି ଦେଖିବେ ନବୀନ । ସେହିପରି ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଓ ଆଦିବାସୀ ଉନ୍ନୟନ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀଙ୍କୁ କନ୍ଧମାଳ ଯାଇ ରିଲିଫ୍ ବଂଟନ ଓ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ସେପଟେ ବାତ୍ୟା ଓ ବନ୍ୟା ଜନିତ କ୍ଷୟକ୍ଷତିର ଆକଳନ କରିବାକୁ ବସିଛି ମନ୍ତ୍ରୀସ୍ତରୀୟ କମିଟି ଗଠନ । ୩ ଜଣିଆ ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ରାଜସ୍ୱ, ଜଳସମ୍ପଦ ଓ ଶକ୍ତି ମନ୍ତ୍ରୀଙ୍କୁ ନେଇ ଅନ୍ତଃମନ୍ତ୍ରୀ ସ୍ତରୀୟ କମିଟି ଗଠନ କରାଯାଇଛି । ମନ୍ତ୍ରୀ ମହେଶ୍ୱର ମହାନ୍ତି, ନିରଂଜନ ପୂଜାରୀ ଓ ସୁଶାନ୍ତ ସିଂ ପ୍ରଭାବିତ ଜିଲ୍ଲାକୁ ଗସ୍ତ କରିବେ । ଗଂଜମ, ଗଜପତି ଓ ରାୟଗଡା ଗସ୍ତ କରି କ୍ଷୟକ୍ଷତି ଆକଳନ କରିବେ ୩ ମନ୍ତ୍ରୀ । ବିଶେଷ କରି ରିଲିଫ ଓ ପୁନଃରୁଦ୍ଧାର କାମର ତଦାରଖ କରିବ ଏହି ଅନ୍ତଃମନ୍ତ୍ରୀ ସ୍ତରୀୟ କମିଟି ।

ଅନ୍ୟପଟେ ଆସିକା ଓ ଅନ୍ୟ ପ୍ରଭାବିତ ଅଂଚଳରେ ଆକାଶ ମାର୍ଗରୁ ରିଲିଫ୍ ବଂଟନ ପାଇଁ ନିଷ୍ପତି ନେଇଛନ୍ତି ସରକାର । ଯେଉଁ ଅଂଚଳକୁ ଯୋଗାଯୋଗ ବିଛିନ୍ନ ହୋଇଛି ସେହି ଅଂଚଳକୁ ଦୁଇଟି ହେଲିକପ୍ଟର ସହାୟତାରେ ଆକାଶ ମାର୍ଗରୁ ରିଲିଫ୍ ପୁଡିଆ ପକାଯିବ । ପ୍ରତି ପୁଡିଆରେ ୩କେଜି ଓଜନର ଚୁଡା, ଅଧା କେଜି ଓଜନର ଗୁଡ, କ୍ୟାଣ୍ଡେଲ ଓ ଦିଆସିଲ୍ ରହିବ । ଏଥିପାଇଁ ରିଲିଫ୍ ପ୍ୟାକେଟ୍ ପ୍ରସ୍ତୁତି କରାଯାଇଛି । ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରୁ ହେଲିକପ୍ଟର ରିଲିଫ୍ ସାମଗ୍ରୀ ଭରିବେ ।