ମଞ୍ଚ ଉପରେ ବେହୋସ ହୋଇଗଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ । ମୁଣ୍ଡ ବୁଲାଇବାରୁ ପଡିଗଲେ ତଳେ 

392

ମଞ୍ଚ ଉପରେ ବେହୋସ ହୋଇଗଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ । ମହାରାଷ୍ଟ୍ରର ଅହମ୍ମଦନଗରରେ ଏକ କାର୍ଯ୍ୟକ୍ରମରେ ମଞ୍ଚ  ଉପରେ ଛିଡା ହୋଇଥିବା ମୁଣ୍ଡ ବୁଲାଇବା ପରେ ତଳେ ପଡି ଯାଇଥିଲେ । ଆଉ ଘଟଣାସ୍ଥଳରେ ହିଁ ବେହୋସ ହୋଇପଡିଥିଲେ ଗଡକରୀ । ଏହି ସମୟରେ ତାଙ୍କ ସହ ମଞ୍ଚରେ ରାଜ୍ୟପାଳ ବିଦ୍ୟାସାଗର ରାଓ ଉପସ୍ଥିତ ଥିଲେ । ପରେ ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନିଆଯାଇଥିଲା ।

ନୀତିନ ଗଡକରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ହସ୍ପିଟାଲରେ ଚିକିତ୍ସା ପରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା ଜଣାପଡିଛି ଏବଂ ସେ ଆଉ ଏକ କାଯ୍ୟକ୍ରମରେ ଯୋଗ ଦେବାକୁ ଯାଇଛନ୍ତି । ସୂଚନା ଅନୁଯାୟୀ, ଶରୀରରେ ସୁଗାରର ମାତ୍ରା କମ ରହିଥିବାରୁ ମଞ୍ଚ ଉପରେ ହଠାତ୍ ନୀତିନ ଗଡକରୀଙ୍କ ମୁଣ୍ଡ ବୁଲାଇଥିଲା । ଆଉ ସେ ବେହୋସ ହୋଇଯାଇଥିଲେ । ତେବେ ଗଡକରୀଙ୍କୁ ତତକ୍ଷଣାତ ପାଣି ଦିଆଯିବା ସହ ପେଡା ଖାଇବାକୁ ଦିଆଯାଇଥିଲା ।

ଗତ କିଛି ଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଗଡକରୀ ବ୍ୟସ୍ତ ରହୁଥିଲେ । ତେବେ ଆଜି ଅହମ୍ମଦନଗରର ମହାତ୍ମା ଫୁଲେ କୃଷି ବିଦ୍ୟାପୀଠର ଏକ ସମାବେଶରେ ଯୋଗ ଦେଇଥିଲେ । ପରେ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସଙ୍ଗୀତ ପାଇଁ ନୀତିନ ଗଡକରି ଛିଡା ହୋଇଥିଲେ । କିନ୍ତୁ ଅଚାନକ ତଳେ ପଡିଯାଇ ବେହୋସ ହୋଇଯାଇଥିଲେ । ଏହା ପୂର୍ବରୁ ମଧ୍ୟ ଅନେକ ଥର ଅସୁସ୍ଥ ହୋଇଛନ୍ତି ଗଡକରୀ । ଏପରିକି କିଛି ଦିନ ପୂର୍ବେ ମଧ୍ୟ ଏକ ରାଲିରେ ଯାଉଥିବା ସମୟରେ ଗଡକରୀ ଅସୁସ୍ଥ ହୋଇପଡିଥିବା ଖବର ସାମ୍ନାକୁ ଆସିଥିଲା । ଏବେ ଗଡକରୀ ସଡକ ପରିବହନ ମନ୍ତ୍ରୀ ଦାୟିତ୍ୱ ତୁଲାଉଛନ୍ତି । ତା ଛଡା ଗଙ୍ଗା ସଫା ଅଭିଯାନର ଦାୟିତ୍ୱ ମଧ୍ୟ ତାଙ୍କ କାନ୍ଧ ଉପରେ ରହିଛି ।