ବ୍ଲକଗ୍ରାଂଟକୁ ନେଇ ସରକାରଙ୍କ ବଡ ଘୋଷଣା ! ହଟିଲା ବ୍ଲକଗ୍ରାଂଟ୍, ଲାଗୁ ହେଲା ଗ୍ରାଂଟ୍ ଇନ୍ ଏଡ୍

50

କନକ ବ୍ୟୁରୋ : ୧୭ ଦିନ ଧରି ଖରା ବର୍ଷାରେ ଦିନରାତି ଆନ୍ଦୋଳନରେ ବସିଥିବା ମିଳିତ ଶିକ୍ଷକ ସଂଘର ମୁଖ୍ୟ ଦାବି ମାନି ନେଇଛନ୍ତି ସରକାର । ବର୍ଷ ବର୍ଷ ଧରି ଚାଲିଥିବା ବ୍ଲକ ଗ୍ରାଂଟ ବ୍ୟବସ୍ଥା ଉଚ୍ଛେଦ କରାଯାଇଛି । ଏହା ବଦଳରେ ଗ୍ରାଂଟ ଇନ୍ ଏଡ୍ ଲାଗୁ କରିବାକୁ ଘୋଷଣା କରିଛନ୍ତି ସରକାର । ୨୦୧୮ ଜାନୁୟାରୀ ପହିଲାରୁ ଏହି ନୂଆ ବ୍ୟବସ୍ଥା ଲାଗୁ କରାଯିବ ।

ଗ୍ରାଂଟ ଇନ୍ ଏଡ୍ ଲାଗୁ ପରେ ପେ’, ଗ୍ରେଡ୍ ପେ’, ଡିଏ ଓ ଇନକ୍ରିମେଂଟ ପାଇବେ ଶିକ୍ଷକ । ହେଲେ ସପ୍ତମ ପେ’ କମିସନ କିମ୍ବା ପେନସନ ମିଳିବନାହିଁ । ଏ ନେଇ ପରବର୍ତି ପର୍ଯ୍ୟାୟରେ ସରକାରଙ୍କୁ ଅନୁରୋଧ କରାଯିବ ବୋଲି କହିଛନ୍ତି ଶିକ୍ଷକ ନେତା । ବର୍ତମାନ ପାଇଁ ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି ମିଳିତ ଶିକ୍ଷକ ସଂଘ । ରାଜଧାନୀ ରାଜରାସ୍ତାରେ ଧାରଣାରେ ବସିଥିବା ମିଳିତ ଶିକ୍ଷକ ସଂଘ ସରକାରଙ୍କ ବାରମ୍ବାର ଅନୁରୋଧ ପରେ ବି ନିଜ ଜିଦରୁ ହଟିନଥିଲେ । ଆଜି ଏ ନେଇ ସଚିବାଳୟରେ ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ର. ଉଚ୍ଚଶିକ୍ଷା ମନ୍ତ୍ରୀ ଏବଂ ଶିକ୍ଷକଙ୍କ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ବଡ଼ ଘୋଷଣା କରିଥିଲେ । ବ୍ଲକ ଗ୍ରାଂଟ ଉଚ୍ଛେଦ ଘୋଷଣା ପରେ ଶିକ୍ଷକ ସଂଘ ଖୁସି ଜାହିର କରିବା ସହ ଦୁଇ ମାସ ପରେ ଅନ୍ୟ ଦାବି ଉଠାଇବେ ବୋଲି କହିଛନ୍ତି ଶିକ୍ଷକ ନେତା ।

ଏବେ ପ୍ରଶ୍ନ ଉଠୁଛି, ଶିକ୍ଷକମାନେ ବାରମ୍ବାର ଆନ୍ଦୋଳନକୁ ଓହ୍ଲାଉଥିବାରୁ ପିଲାଙ୍କ ପାଠ ପଢାରେ ଯେପରି ବାଧା ସୃଷ୍ଟି ହେଉଥିଲା, ସେଥିରେ ପୂଣ୍ଣଚ୍ଛେଦ ପଡିବ ତ?