ଆରମ୍ଭ ହେଲା ବିଜେଡିର ‘ଆମ ସହର ଆମ ଉନ୍ନତି’ ଅଭିଯାନ

51

କନକ ବ୍ୟୁରୋ : ଆସନ୍ତା ବର୍ଷ ପୌର ନିର୍ବାଚନ । ଏଥି ପାଇଁ ବିଜେଡି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଗ୍ରାମାଞ୍ଚଳରେ ‘ଆମ ଗାଁ ଆମ ବିକାଶ’ ଅଭିଯାନ ପରେ ସହର ମୁହାଁ ହୋଇଛି ବିଜେଡି । ଦଳ ପକ୍ଷରୁ ଆରମ୍ଭ କରାଯାଇଛି ନୂଆ ଅଭିଯାନ ‘ଆମ ସହର ଆମ ଉନ୍ନତି’ । ଏ ନେଇ ଦଳର ସଭାପତି ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି ।

‘ଆମ ଗାଁ ଆମ ବିକାଶ’ ଅଭିଯାନର ସମୀକ୍ଷା ପାଇଁ ବିଜେଡି ରାଜ୍ୟ କାର୍ୟ୍ୟାଳୟରେ ଆଜି ବିଧାୟକମାନଙ୍କର ଏକ ବୈଠକ ଡକାଯାଇଥିଲା । ଏଥିରେ ଶ୍ରୀ ପଟ୍ଟନାୟକ କହିଲେ, ସରକାର ଗ୍ରାମାଞ୍ଚଳର ଭିତ୍ତିଭୂମି, ଲୋକଙ୍କ ଜୀବନ ଧାରଣ ମାନ ଓ ସାମାଜିକ କ୍ଷେତ୍ର ପାଇଁ ବହୁ କାର୍ଯ୍ୟ କରୁଛନ୍ତି । କିନ୍ତୁ ଭୁଲ୍ ତଥ୍ୟ ଦେଇ ବିରୋଧୀ ଦଳଗୁଡ଼ିକ ଲୋକଙ୍କ ମନରେ ଭ୍ରମ ସୃଷ୍ଟି କରୁଛନ୍ତି । ‘ଆମ ଗାଁ ଆମ ବିକାଶ’ ଅଭିଯାନ ମାଧ୍ୟମରେ ଲୋକଙ୍କ ମଧ୍ୟରେ ଏ ନେଇ ସଚେତନତା ସୃଷ୍ଟି କରାଯାଇପାରିଛି ।

ଶ୍ରୀ ପଟ୍ଟନାୟକ କହିଥିଲେ, ସମାନ ଲକ୍ଷ୍ୟ ନେଇ ‘ଆମ ସହର ଆମ ଉନ୍ନତି’ ଅଭିଯାନ ଆରମ୍ଭ କରାଯାଉଛି। ପ୍ରତି ଏନଏସି ଓ ପୌରପାଳିକାରେ ଓ୍ଵାର୍ଡ କମିଟି ଗଠନ କରାଯିବ । ଏନଏସି ଓ୍ଵାର୍ଡ କମିଟିରେ ୫୦ ଓ ପୌରପାଳିକା ଓ୍ଵାର୍ଡ କମିଟିରେ ୧୦୦ ସଦସ୍ୟ ରହିବେ । ସରକାରଙ୍କ ସମସ୍ତ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଓ୍ଵାର୍ଡ କମିଟି ପାଖରେ ତଥ୍ୟ ରହିବା ଆବଶ୍ୟକ । ଓ୍ଵାର୍ଡ କମିଟିର ସଦସ୍ୟମାନେ ହିଁ ଦଳର ପ୍ରକୃତ ସୈନ୍ୟ ହେବେ ।

ଜିଲ୍ଲା ପର୍ଯ୍ୟବେକ୍ଷକମାନେ ଓ୍ଵାର୍ଡ କମିଟି ଗଠନର ରିପୋର୍ଟ ନିୟମିତ ରାଜ୍ୟ କମିଟିକୁ ପଠାଇବେ । ଯେ କୌଣସି ସମୟରେ ସେ ନିଜେ ଓ୍ଵାର୍ଡ କମିଟି ସହ ସିଧାସଳଖ କଥା ହେବେ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ । ‘ଆମ ଗାଁ ଆମ ବିକାଶ’ ଅଭିଯାନର ସଂଯୋଜକ ଭୂପିନ୍ଦର ସିଂହ ଓ ଦେବାଶିଷ ସାମନ୍ତରାୟ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।