ଗାଈସିଲଟରୁ ଗାଡିରୁ ମିଳିଲା ଟଙ୍କା, ପୁଲିସର ତନାଘନା! ବିଜେପୁର ଉପନିର୍ବାଚନ ସହ ନାହିଁ ତ ସର୍ମ୍ପକ

34

କନକ ବ୍ୟୁରୋ : ବିଜେପୁର ଉପନିର୍ବାଚନ ପୂର୍ବରୁ କାରରୁ ଜବତ ହେଲା ଟଙ୍କା । ଗାଈସିଲଟ ବ୍ଳକ ତାଲପାଲୀ ଛକରୁ ଦୁଇଟି କାରରୁ ୩ ଲକ୍ଷ ୨୦ ହଜାର ଟଙ୍କା ଜବତ କରିଛି ଗାଈସିଲଟ ପୋଲିସ । ହ୍ୟୁଣ୍ଡାଇର ଆଇ-୨୦ କାରରୁ ଜବତ ହୋଇଛି ଏହି ଟଙ୍କା । ତେବେ ଏତେ ପରିମାଣର ଟଙ୍କା କେଉଁଠିକୁ ଯାଉଥିଲା ତାହା ଏଯାଏଁ ସ୍ପଷ୍ଟ ହୋଇନି । ଗୋଟିଏ କାରରୁ ୨ ଲକ୍ଷ ୫୦ ହଜାର ଟଙ୍କା ଜବତ ହୋଇଥିବା ବେଳେ ଅନ୍ୟ କାରରୁ ୭୦ ହଜାର ଟଙ୍କା ଜବତ କରିଛି ପୋଲିସ । ତେବେ ଉପନିର୍ବାଚନ ପୂର୍ବରୁ ପ୍ରଥମ ଥର ପାଇଁ ଏତେ ଟଙ୍କା ଜବତ ହୋଇଛି । ପରେ ପୋଲିସ ପହଞ୍ଚି ଟଙ୍କା ନେଉଥିବା ଯୁବକ ଦ୍ୱୟଙ୍କୁ ଅଟକ ରହିଛି । ତେବେ ଜବତ ହୋଇଥିବା କାର ନମ୍ବର ଯାଞ୍ଚ ପରେ ଏହା ବିକ୍ରମ କୁମାର ସାହୁଙ୍କ ନାମରେ ଥିବା ଜଣା ପଡିଛି ।

bijepurଉପନିର୍ବାଚନ ପାଇଁ ବିଜେପୁର ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ହଠାତ ଏତେ ପରିମାଣର ଟଙ୍କା ଜବତ ହେବା ଘଟଣାକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ରାଜନୈତିକ ଦଳ । ବିଜେପୁର ନିର୍ବାଚନ ସହ ଏହି ଟଙ୍କାର ସର୍ମ୍ପକ ନାହିଁ ତ । କାରଣ ପ୍ରଥମ ଥର ପାଇଁ ଏତେ ଟଙ୍କା ଜବତ କରିଛି ଗାଈସିଲଟ ପୁଲିସ । ତେବେ ଅଟକ ଦୁଇ ଯୁବକ କପା ଚାଷ ପାଇଁ ପଇସା ନେଉଥିବା ସୂଚନା ମିଳିଛି । ବିଜେପୁର ଉପନିର୍ବାଚନ ପାଇଁ ବିଜେପୁର, ଗାଈସିଲଟ ଓ ବରପାଲି ଅଞ୍ଚଳରେ ପ୍ରାୟ ୨୪ଟି ସ୍ଥାନରେ ପୋଲିସ ପ୍ରଶାସନ ପକ୍ଷରୁ ପୋଷ୍ଟ କରି ପ୍ରତି ଗାଡି ମୋଟରକୁ ଯାଞ୍ଚ କରାଯାଉଛି ।