ୟୁକ୍ରେନ୍ ଉପରେ ରୁଷରୁ ପୁଣି ଆକ୍ରମଣ । ଜି-୭ ଦେଶ ସହ ବୈଠକ କରିବେ ଜେଲେନସ୍କି । 

142

କନକ ବ୍ୟୁରୋ: ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡମିର ଜେଲେନସ୍କି ଜି-୭ ଦେଶ ସହ ବୈ÷ଠକ କରିବେ । ମଙ୍ଗଳବାର ଏହି ବୈ÷ଠକ ବସିବ । ତେବେ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ଜେଲେନସ୍କି ଅପିଲ କରି କହିଛନ୍ତି । କୌଣସି ସ୍ଥିତିରେ ରୁଷ ଆଗରେ ୟୁକ୍ରେନ ମୁଣ୍ଡ ନୁଆଁଇବ ନାହିଁ ବୋଲି କହିଛନ୍ତି ଜେଲେନସ୍କି । ଏଥିସହ ସେ କହିଛନ୍ତି ରୁଷର ଆକ୍ରମଣର କଡ଼ା ଜବାବ ଦିଆଯାଇଛି ଓ ରୁଷର କିଛି ବିମାନକୁ ଧ୍ୱଂସ କରିଛି ୟୁକ୍ରେନ । ଅନ୍ୟପଟେ ୟୁକ୍ରେନର ଆତଙ୍କବାଦୀ ଆକ୍ରମଣ ବିରୋଧରେ ରୁଷିଆ ତରଫରୁ ମିସାଇଲ୍ ଆଟାକ୍ କରାଯାଇଥିବା ନେଇ ପୁଟିନ୍ କହିଛନ୍ତି । । ୟୁରୋପୀୟ  ୟୁନିଅନ ତରଫରୁ ରୁଷିଆର ଆକ୍ରମଣକୁ କଡା ନିନ୍ଦା କରାଯାଇଛି । ଏହି ଆକ୍ରମଣକୁ ନୃସଂଶ ଓ କାପୁରଷ ବୋଲି ୟୁରୋପିଆନ ୟୁନିଅନ ତରଫରୁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ପୁଣି ଅଶାନ୍ତ ହୋଇଛି ୟୁକ୍ରେନ । ଏକାଧିକ ମିସାଇଲ୍ ଆକ୍ରମଣରେ ଦୋହଲିଛି ୟୁକ୍ରେନ୍ । ୟୁକ୍ରେନର ରାଜଧାନୀ କିଭ୍ ସମେତ ବିଭିନ୍ନ ସହର ରୁଷର ୭୫ରୁ ଅଧିକ ରକେଟ୍ ମାଡରେ ପୁଣିଥରେ ଥରି ଉଠିଛି । ୟୁକ୍ରେନର କିଭ ଉପରେ ଘନ ଘନ ଆକ୍ରମଣ କରିଛି ରୁଷ । କେଉଁଠି ପିଲାଙ୍କ ଖେଳପଡିଆ ଧ୍ୱଂସ ହୋଇଛି ତ ଆଉ କେଉଁଠି ବଡ ଅଟ୍ଟାଳିକାକୁ ରୁଷର ମିସାଇଲ ମାଡରେ କ୍ଷତିଗ୍ରସ୍ତ କରିଛି । ଏମିତିକି ରାସ୍ତା ଉପରେ ମଧ୍ୟ ରୁଷ ମିସାଇଲ୍ ମାଡ କରିଛି । ଯାହାଫଳରେ ରାସ୍ତାରେ ଯାଉଥିବା କିଛି ଗାଡି ଜଳୁଥିବାର ଚିତ୍ର ସାମନାକୁ ଆସିଛି । ଅନ୍ୟପଟେ ୟୁକ୍ରେନ ସେନା ତରଫରୁ ଉଦ୍ଧାର କାଯ୍ୟ ଜାରିରହିଛି । ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାଯିବା ସହ ଜଳୁଥିବା ଗାଡି ଓ ଅଟ୍ଟାଳିକାର ନିଆଁକୁ ଆୟତ୍ତ କରାଯାଉଛି  ।

ଶନିବାର କ୍ରିମିଆ ସେତୁ ଉପରେ ହମଲା କରିଥିଲା ୟୁକ୍ରେନ ଆଉ ଏବେ ଯାହାର ପ୍ରତିଶୋଧ ନେଇଛି ମସ୍କୋ । ୟୁକ୍ରେନରେ ମିସାଇଲ୍ ଆଟାକ୍ କରି ପୁଣି ଥରେ ମସ୍କୋରୁ ୟୁକ୍ରେନକୁ କଡା ବାର୍ତ୍ତା ପଠାଇଛନ୍ତି ପୁଟିନ୍ । ରୁଷ ଏବଂ କ୍ରିମିୟାକୁ ଯୋଡୁଥିବା ରୋଡ ଓ ରେଲୱେ ବ୍ରିଜରେ ଦୁଇ ଦିନ ତଳେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଅଗ୍ନିକାଣ୍ଡରେ ପୋଲର ଗୋଟିଏ ଅଂଶ ଭୁଶୁଡି ପଡ଼ିଥିଲା । ନିଆଁ ଲାଗିବା ଯୋଗୁଁ ପୋଲ ଉପର ଦେଇ ଯାଉଥିବା କାର୍ଗୋ ଟ୍ରେନର ଡବା ଗୁଡିକ ଜଳି ଯାଇଥିଲା । ଯାହା ପରେ ଚିହିଁକି ଉଠିଥିଲେ ପୁଟିନ୍ ।

କ୍ରିମିଆ ବ୍ରିଜ ଉପରେ ହେଇଥିବା ଆକ୍ରମଣକୁ ଆତଙ୍କବାଦୀ କାର୍ଯ୍ୟ ବୋଲି ଋଷ କହିଥିଲା । ୟୁକ୍ରେନ ସ୍ପେଶାଲ ସର୍ଭିସେସ୍ ଦ୍ୱାରା ବ୍ରିଜରେ ନିଆଁ ଲଗାଯାଇଛି ବୋଲି ପୁଟିନ କହିଥିଲେ । ଏଥିସହ ଆଗକୁ ଯୁଦ୍ଧ ଅଧିକ ତୀବ୍ର ହେବାନେଇ ମଧ୍ୟ ପୂବରୁ କଡା ଚେତାବନୀ ଦେଇସାରିଥିଲେ ପୁଟିନ୍ । ଯୁଦ୍ଧକୁ ଏହାରି ଭିତରେ ୮ ମାସ ଅର୍ଥାତ ୨୨୯ ଦିନ ପୁରିଲାଣି । ଯୁଦ୍ଧକୁ ନେଇ ବିଭିନ୍ନ ଦେଶ ତରଫରୁ କଡା ସମାଲୋଚନା ମଧ୍ୟ କରାଯାଉଛି । ତେବେ ଗତ କିଛି ଦିନ ଧରି ଯଦିଓ ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧର ପ୍ରଭାବ ସେତେଟା ଦେଖିବାକୁ ମିଳିନଥିଲା କିନ୍ତୁ ଶନିବାର ଠାରୁ ପୁଣି ଥରେ ଉଭୟ ଦେଶକୁ ଆକ୍ରମଣାତ୍ମକ ମୁଦ୍ରାରେ ଦେଖିବାକୁ ମିଳିଛି ।