ପାଟଣାଗଡ ଏନଏସି ଟିକପାଲି ଅଞ୍ଚଳରେ ବୀଭତ୍ସ ହତ୍ୟାକାଣ୍ଡ : ଟାଙ୍ଗିଆରେ ଜିତେନ୍ଦ୍ର ଧୂବଳଙ୍କୁ ହାଣି ହତ୍ୟା କଲେ ଦୁର୍ବୃତ୍ତ

187

କନକ ବ୍ୟୁରୋ : ପାଟଣାଗଡ ଏନଏସି ଅନ୍ତର୍ଗତ ଟିକପାଲିର ହୀରାସାଗର ଖଣିରେ ବିଭତ୍ସ ହତ୍ୟାକାଣ୍ଡ । ଟିକପାଲିର ଜିତେନ୍ଦ୍ର ଧୂବଳକୁ ସନ୍ଧ୍ୟା ସମୟରେ ଜଣେ ଦୁର୍ବୃତ୍ତ ଟାଙ୍ଗିଆରେ ହାଣି ଦେଇଛି । ଫଳରେ ଘଟଣାସ୍ଥଳରେ ଜିତେନ୍ଦ୍ରର ମୃତ୍ୟୁ ଘଟିଛି । ଖବର ପାଇ ପାଟଣାଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଜିତେନ ଓ ଉଆଁଷୁ ମଧ୍ୟରେ ପୂର୍ବ ଶତୃତା ରହିଥିଲା । ଗୁରୁବାର ସକାଳୁ ଟିକପାଲି ଠାରେ ଥିବା ହୀରାସାଗର ପୋଖରୀରେ ଜିତେନ୍ଦ୍ର ମାଛ ଧରୁଥିଲା । ଏହି ସମୟରେ ଉଆଁଷୁ ପୋଢ ମଧ୍ୟ ସେଠାକୁ ଆସି ମାଛ ଧରିବାକୁ ଆସିଥିଲା । ସେଠାରେ ଉଭୟଙ୍କ ମଧ୍ୟରେ ମାଛଧରାକୁ ନେଇ ବଚସା ହୋଇଥିଲା । କ୍ରମେ ବିବାଦ ବଢିବାରୁ ଉଭୟଙ୍କ ପରିବାର ଲୋକଙ୍କ ମଧ୍ୟରେ ମଧ୍ୟ ଝଗଡା ହୋଇଥିବା ସୂଚନା ମିଳିଛି । ପରେ ଯିଏ ଯାହା ଘରକୁ ଯାଇଥିଲେ । ସନ୍ଧ୍ୟାରେ ଜିତେନ୍ଦ୍ର  ଟିକପାଲି ରାସ୍ତାରେ ଏକା ଯାଉଥିବା ସମୟରେ ସେଠାକୁ ଉଆଁଷୁ ପୋଢ ଆସି ଅତର୍କିତ ଭାବେ ଜିତେନ୍ଦ୍ରର ଗଳାକୁ ଟାଙ୍ଗିଆ ସାହାଯ୍ୟରେ ହାଣି ଫେରାର୍ ମାରିଥିଲା ।

ଫଳରେ ଘଟଣାସ୍ଥଳରେ ହିଁ ଜିତେନ୍ଦ୍ରର ମୃତ୍ୟୁ ଘଟିଥିବା ଜଣାପଡିଛି । ଜିତେନ୍ଦ୍ରକୁ ଟାଙ୍ଗିଆରେ ହାଣି ଉଆଁଷୁ ଘଟଣା ସ୍ଥଳରୁ  ‌ଜମି ମଧ୍ୟରେ ଦୌଡି ଫେରାର ମାରିଥିଲା। ହତ୍ୟା ହୋଇଥିବା ସୂଚନା ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚିଥିଲା । ଘଟଣାସ୍ଥଳରୁ ଜିତେନ୍ଦ୍ରର ମୃତଦେହ ଉଦ୍ଧାର କରି ଉପଖଣ୍ଡ ଡାକ୍ତରଖାନାର ଶବଗୃହକୁ ପଠାଇବା ସହ ହତ୍ୟାର କାରଣକୁ ନେଇ ତଦନ୍ତ କରୁଥିବା ଜଣାପଡିଛି । ତେବେ ହତ୍ୟାର କାରଣ ପୂର୍ବ ଶତ୍ରୁତା ଓ ସକାଳୁ ମାଛ ଧରାକୁ ନେଇ ଝାମେଲାରୁ ହୋଇ ଥାଇ ପାରେ ବୋଲି ଅନୁମାନ କରାଯାଉଛି ।