ମାଷ୍ଟରକ୍ୟାଂଟିନ ଛକରେ ଶାସକ ଓ ବିରୋଧୀଙ୍କ ଶକ୍ତି ପ୍ରଦର୍ଶନ

29

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଶାସକ ଓ ବିରୋଧୀଙ୍କ ଶକ୍ତି ପ୍ରଦର୍ଶନ । ବିଜେଡି ଆକାଉଂଟାରେ ଚିଟଫଣ୍ଡ ଟଙ୍କା ଜମା ନେଇ ବିରୋଧୀ ଦଳ ନେତାଙ୍କ ଅଭିଯୋଗ ପରେ ମାଷ୍ଟର କ୍ୟାଂଟିନରେ ବଳ କଶାକଶି । ଆରୋପ-ପ୍ରତ୍ୟାରୋପ ମଧ୍ୟରେ ବିକ୍ଷୋଭ ଓ କୁଶପୁତଳିକା ଦାହ । ଚିଟଫଣ୍ଡ ପ୍ରସଙ୍ଗରେ ବିରୋଧ ଦଳ ନେତା ବିଭ୍ରାନ୍ତିକର ତଥ୍ୟ ଦେଇଥିବା ଶାସକ ଦଳ ଅଭିଯୋଗ କରୁଥିବା ବେଳେ ନରସିଂହ ମିଶ୍ର କରିଥିବା ପ୍ରଶ୍ନର ଉତର ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଛି ଛାତ୍ର କଂଗ୍ରେସ । ଆଜି ଭୁବନେଶ୍ୱର ମାଷ୍ଟର କ୍ୟାଂଟିନ୍ ଛକରେ ଶାସକ ବିଜେଡି ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏଥିରେ ଭୁବନେଶ୍ୱର ମଧ୍ୟ ଓ ଉତର ବିଧାୟକଙ୍କ ନେତୃତ୍ୱରେ ଶତାଧିକ ବିକ୍ଷୋଭକାରୀ ନରସିଂହ ମିଶ୍ରଙ୍କ ଇସ୍ତଫା ଦାବି କରିଥିଲେ । ବିନା ତନଖିରେ ବିରୋଧୀ ଦଳ ନେତା ଏଭଳି ମିଥ୍ୟ ଅଭିଯୋଗ ଆଣିଥିବା ଅଭିଯୋଗ କରି ତାଙ୍କର ଇସ୍ତଫା ଦାବି କରିଥିଲେ । କହିଥିଲେ ଦାୟିତ୍ୱହୀନ ମନ୍ତବ୍ୟ ଦେଉଛନ୍ତି ବିରୋଧୀ ଦଳ ନେତା ।

ଅନ୍ୟପଟେ ବିଜେଡିର ଏହି ବିକ୍ଷୋଭର କାଉଂଟର କରିଥିଲା ଛାତ୍ର କଂଗ୍ରେସ । ଛାତ୍ର ନେତାଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ପ୍ରତିବାଦ ରାଲି ମଧ୍ୟ କରାଯାଇଥିଲା ।ବିଧାନସଭାରେ ବିରୋଧୀ ଦଳ ନେତା ଶାସକ ଦଳକୁ ପଚାରିଥିବା ପ୍ରଶ୍ନର ଉତର ରଖନ୍ତୁ ବୋଲି ଦାବି କରିଛି କଂଗ୍ରେସ । ବିଜେଡି ଆକଉଂଟକୁ ଆସିଥିବା ଟଙ୍କା ଚିଟଫଣ୍ଡ ଟଙ୍କା ନା ନାହିଁ ତାହା ସରକାରୀ ଦଳ ସ୍ପଷ୍ଟକରନ୍ତୁ ବୋଲି କଂଗ୍ରେସ ଦାବି କରି ଏହି ବିକ୍ଷୋଭ ପ୍ରଦର୍ଶନ କରିଥିଲା । ମୁଖ୍ୟମନ୍ତ୍ରୀଙ୍କ ପ୍ରତୀକ କୋକେଇ ପ୍ରସ୍ତୁତ କରି କୁଶପୁତଳା ଦାହ କରିଥିଲେ କଂଗ୍ରେସ କର୍ମୀ ।