ଚାକିରି ଚାଲିଗଲା ପରେ ଡିମିରି ଚାଷ କଲେ ଯୁବକ । ବର୍ଷକୁ ରୋଜଗାର କରୁଛନ୍ତି ୧୦ ଲକ୍ଷରୁ ଅଧିକ ଟଙ୍କା

7,892

କନକ ବ୍ୟୁରୋ: କରୋନାରେ ଅନେକ ଲୋକଙ୍କ ବ୍ୟବସାୟ ବୁଡିଯାଇଥିବାବେଳେ ଅନେକ ନିଜ ଚାକିରି ହରାଇଛନ୍ତି । ଏଭଳି ପରିସ୍ଥିତିରେ ଅନେକ ମାନସିକ ଅବସାଦ ନେଇ ଗତି କରୁଥିବାବେଳେ ଆଉ କିଛି ନିଜ ବୁଦ୍ଧି ଖଟାଇ ରୋଜଗାରର ପନ୍ଥା ସୃଷ୍ଟି କରିଛନ୍ତି । ଏଭଳି ଜଣେ ଅଧ୍ୟବସାୟୀ ଯୁବକ ହେଉଛନ୍ତି ପୁଣେର ଅଭିଜିତ ଗୋପାଳ ଲୱାଣ୍ଡେ ।

ଚାକିରି ଯିବା ପରେ ଅଭିଜିତ ଗାଁକୁ ଫେରିଥିଲେ । ତାଙ୍କ ଦାଦାଙ୍କର ଥିବା ୯ ଏକର ଜମିକୁ ଲିଜରେ ନେଇଥିଲେ । କୃଷି ବିଭାଗରୁ ସାଢେ ୩ ଲକ୍ଷ ଟଙ୍କା ଋଣ ଆଣି ଆଧୁନିକ ଉପାୟରେ ଚାଷ ଆରମ୍ଭ କଲେ । ଏକର ଜମିରେ ଡିମିରି ଚାଷ କରିଥିଲେ । ଅନ୍ୟ କିଛି ଜମିରେ ପରିବା ଚାଷ କରିଥିଲେ । ଏଥିରେ ଜୈବିକ ସାର ପ୍ରୟୋଗ କରିଥିଲେ ।

ଖୁସିର ଖବର ହେଉଛି, ମାତ୍ର ସାଢେ ଚାରିମାସରେ ଡିମିରି ଫଳ ଆସିଥିଲା । ଗୋଟିଏ ଗଛରୁ ୧୦ରୁ ୨୦ କ୍ୱିଣ୍ଟାଲ ଡିମିରି ବାହାରୁଥିବାବେଳେ ମୋଟ ୧୪ ଟନ୍ ଡିମିରି ବ୍ରକି କରି ବାର୍ଷିକ ଏଥିରୁ ୧୦ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି ଅଭିଜିତ୍ । ଏହାସହ ଅନ୍ୟ ଯୁବକ ମାନଙ୍କୁ ଚାଷ ପ୍ରତି ପ୍ରୋତ୍ସାହିତ କରିପାରିଛନ୍ତି ଅଭିଜିତ ।