ସାମନାକୁ ଆସୁଛି ଭାରତୀୟ କୁସ୍ତି ସଂଘ ସଭାପତିଙ୍କ କେଳେଙ୍କାରୀ । କୁସ୍ତି କ୍ୟାମ୍ପରେ କିପରି ରହୁଥିଲା ବାତାବରଣ, ମୁହଁ ଖୋଲିଲେ ଫିଜିଓ

263

କନକ ବ୍ୟୁରୋ : ଜନ୍ତର-ମନ୍ତରରେ ମୁଷ୍ଟିଯୋଦ୍ଧାଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି । ବିଜେପି ନେତା ଓ ଭାରତୀୟ କୁସ୍ତି ସଂଘର ସଭାପତି ବ୍ରିଜଭୂଷଣ ଚରଣ ସିଂଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଲଗାଇଛନ୍ତି । ଖେଳାଳିମାନେ ଅଭିଯୋଗ ଆଣିଛନ୍ତି ଯେ ବ୍ରିଜଭୂଷଣ ଏଭଳି ପରିବେଶ ସୃଷ୍ଟି କରିଥିଲେ ଯେ, ଯେଉଁଥିରେ ଖେଳାଳିଙ୍କୁ ଡରାଇବା ଓ ଧମକ ଦିଆଯାଉଥିଲା । ଆଉ ଖେଳାଳିମାନେ ସଂଘର ଅଧ୍ୟକ୍ଷଙ୍କ ବିରୋଧରେ ମୁହଁ ଖୋଲିଲେ, ସେମାନଙ୍କୁ ବିଭିନ୍ନ କାରଣ ଦର୍ଶାଇ କ୍ୟାମ୍ପରୁ ବାହାର କରିଦିଆଯାଉଥିଲା । କୁସ୍ତି କ୍ୟାମ୍ପରେ କିପରି ରହୁଥିଲା ବାତାବରଣ, ସେଠାରେ ରହୁଥିବା ଲୋକେ ଏହାର ଖୁଲାସା କରିଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବା ଗୀତା ଫୋଗାଟଙ୍କ ବ୍ୟକ୍ତିଗତ ଫିଜିଓ ପରମଜିତ ମଲିକ ଏହି ସୂଚନା ଦେଇଛନ୍ତି ।

– ୨୦୧୪ରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ ବା ସାଇରେ ଫିଜିଓ ଥିଲେ ପରମଜିତ୍
-ପରମଜିତ କହିଛନ୍ତି, ସାଇ ସେଂଟରରେ ମହିଳା ରେସଲରମାନେ ମଧ୍ୟରାତ୍ରରେ ବାହାରକୁ ଯାଆନ୍ତି
– ମହିଳା ରେସଲର ବିଜେପି ସାଂସଦ ତଥା ମହାସଂଘର ସଭାପତି ବ୍ରିଜଭୂଷଣଙ୍କ ସୁରକ୍ଷା ଗାଡ଼ିରେ ଯିବାଆସିବା କରୁଥିଲେ
– ଏଥିରେ ବ୍ରଜଭୂଷଣଙ୍କ ଡ୍ରାଇଭର ମଧ୍ୟ ସାମିଲ ଥିଲେ
– ଏନେଇ ମୁଖ୍ୟ ପ୍ରଶିକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ
– ଏପରିିକି ଗଣମାଧ୍ୟମ ଆଗରେ ଏହି ସୂଚନା ଦେବାକୁ ମଧ୍ୟ ପ୍ରୟାସ କରିଥିଲେ ପରମଜିତ
– କିନ୍ତୁ ତାଙ୍କ ସ୍ୱରକୁ ଚାପିଦିଆଯାଇଥିବା କହଛନ୍ତି ପରମଜିତ୍

ସେପଟେ ଦୀର୍ଘ ଦିନର ନୀରବତା ପରେ ମୁହଁ ଖୋଲିଛନ୍ତି ବ୍ରିଜଭୂଷଣ ସିଂ । ଏକ ଭିଡିଓ ଜାରି କରି ବିଜେପି ସାଂସଦ ନିଜ ଉପରେ ଲାଗିଥିବା ଅଭିଯୋଗ ଉପରେ ମତ ରଖିଛନ୍ତି । ଆଗାମୀ ଦିନରେ ସେ ରେସଲରଙ୍କ ବିରୋଧରେ ଲଢ଼େଇ କରିବା ନେଇ ସଂକେତ ଦେଇଛନ୍ତି । କହିଛନ୍ତି, ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବା ପାଇଁ ପୂରା ଶକ୍ତି ଲଗାଇଦେବେ ।

ଜନ୍ତରମନ୍ତରରେ ଡବ୍ଲୁଏଫଆଇ ଅଧ୍ୟକ୍ଷଙ୍କ ବିରୋଧରେ ରେସଲରଙ୍କ ଆନ୍ଦୋଳନ ଜାରି ରହିଛି । ଏହାରି ଭିତରେ ସକାଳୁ ସକାଳୁ ରେସଲରମାନେ ଜନ୍ତରମନ୍ତରକୁ ଆଖଡ଼ାରେ ପରିଣତ କରିଛନ୍ତି । ପ୍ରାୟ ୧ ଘଂଟା ଧରି ରାସ୍ତା ଉପରେ ୱାର୍କଆଉଟ୍ କରିଥିଲେ । ଏହାରି ଭିତରେ ସେମାନେ ବାର୍ତା ଦେଇଛନ୍ତି, ଯେପର୍ଯ୍ୟନ୍ତ ସେମାନଙ୍କୁ ନ୍ୟାୟ ନମିଳିଛି, ସେ ଯାଏଁ ପ୍ରତିବାଦ ଜାରି ରହିବ ।