କୁସ୍ତିଯୋଦ୍ଧା ମାମଲା ଉପରେ ସୁପ୍ରିମକୋର୍ଟରେ ଦିଲ୍ଲୀ ପୁଲିସ ରଖିଲା ଜବାବ । ପୁଲିସ କହିଲା, ଏଫଆଇଆର କରିବା ପୂର୍ବରୁ ପ୍ରାରମ୍ଭିକ ତଦନ୍ତ ଆବଶ୍ୟକ

112

କନକ ବ୍ୟୁରୋ : କୁସ୍ତି ରିଙ୍ଗ ମଧ୍ୟରେ ରହି କୁସ୍ତି ମାଧ୍ୟମରେ ଦେଶ ପାଇଁ ଗୈାରବ ଆଣୁଥିବା କୁସ୍ତିଯୋଦ୍ଧା ଏବେ ରାଜରାସ୍ତାରେ । ଆଉ ରାଜରାସ୍ତାରେ ହିଁ ଚାଲିଛି ସେମାନଙ୍କ କୁସ୍ତି ଅଭ୍ୟାସ । ପରସ୍ପରକୁ ତାଲିମ ଦେବାରେ ଓ ଅଭ୍ୟାସରେ ନିଜେ ନିଜେ ବ୍ୟସ୍ତ । ତେବେ କୁସ୍ତିଯୋଦ୍ଧା ମହାସଂଘର ସଭାପତି ବ୍ରିଜଭୂଷଣଙ୍କ ବିରୋଧରେ କୁସ୍ତିଯୋଦ୍ଧା ମାନେ ଧାରଣା ଜାରି ରଖିଛନ୍ତି । ନ୍ୟାୟ ନ ମିଳିବା ଯାଏଁ ଧାରଣାରୁ ହଟିବେ ନାହିଁ ବୋଲି କହିଛନ୍ତି କୁସ୍ତିଯୋଦ୍ଧା । ଆଉ ଏହି ଧାରଣା ସମୟରେ ହିଁ ଧାରଣାସ୍ତଳକୁ ହିଁ ନିଜର ଅଭ୍ୟାସ ମଇଦାନ କରିପକାଇଛନ୍ତି । ସକାଳୁ ସକାଳୁ କୁସ୍ତିଯୋଦ୍ଧା ବିଭିନ୍ନ ଏକ୍ସରସାଇଜ କରିଛନ୍ତି । ।ତେବେ ଆଗକୁ ଏସିଆନ ଗେମ୍ସ ଥିବାବେଳେ ଏବେ କୁସ୍ତିଯୋଦ୍ଧାଙ୍କ ଧାରଣା ତାଙ୍କ ତାଲିମରେ ବ୍ୟାଘାତ ସୃଷ୍ଟି କରିଛି ।

ଅନ୍ୟପଟେ କୁସ୍ତିଯୋଦ୍ଧା ବିବାଦ ମାମଲାରେ ଦିଲ୍ଲୀ ପୁଲିସକୁ ଭତ୍ସନା କରି ସୁପ୍ରିମକୋର୍ଟ ନୋଟିସ ଜାରି କରିଥିଲେ । ଅଭିଯୋଗ ହୋଇଥିଲେ ମଧ୍ୟ କଣ ପାଇଁ ମାମଲା ରୁଜୁ ହୋଇନି ବୋଲି ୩ଦିନ ଭିତରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଯାହାକୁ ନେଇ ଦିଲ୍ଲୀ ପୁଲିସ ସୁପ୍ରିମକୋର୍ଟରେ ଉତର ରଖିଛି । ଏଫଆଇଆର ରୁଜୁ କରିବା ପୂର୍ବରୁ ଯେପରି ବି ହେଉ ପ୍ରାରମ୍ଭିକ ତଦନ୍ତର ଆବଶ୍ୟକ ବୋଲି ଦିଲ୍ଲୀ ପୁଲିସ କହିଛି । ଭାରତୀୟ କୁସ୍ତିଯୋଦ୍ଧା ସଂଘର ସଭାପତି ବ୍ରିଜଭୂଷଣ ସିଂଙ୍କ ବିରୋଦ୍ଧରେ ଯୈାନ ଶୋଷଣ ଅଭିଯୋଗ ହୋଇଛି । ତେବେ କାହିଁକି ଏନେଇ ଏଫଆଇଆର ବା କେଉଁ ଅଫସିରଙ୍କ ବିରୁଧରେ କାର୍ଯ୍ୟାନୁଷ୍ଠାନ ହୋଇନି ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଦୋଷୀକୁ ତୁରନ୍ତ ଚିହ୍ନଟ କରି ୪୮ ଘଂଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷ ସ୍ୱାତି ମାଲିୱାଲ ଅପିଲ କରିଛନ୍ତି ।

କୁସ୍ତିିଯୋଦ୍ଧାଙ୍କ ଅଭିଯୋଗ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଦିଲ୍ଲୀ ପୁଲିସର ମତ ପରେ ଏନେଇ କ’ଣ ପଦକ୍ଷେପ ନିଆଯିବ ଏହା ଉପରେ ସମସ୍ତଙ୍କ ନଜର । ଅନ୍ୟପଟେ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଏହି ଘଟଣାରେ କେନ୍ଦ୍ର ଉପରେ ବର୍ଷିଛନ୍ତି । କାହିଁକି କିଏ ଏହି ଘଟଣାରେ ଶୁଣୁ ନାହାନ୍ତି ବୋଲି ସରକାରଙ୍କୁ ଟାର୍ଗେଟ କରିଛନ୍ତି ।