ଆଜି ବିଶ୍ୱ ଆଦିବାସୀ ଦିବସ : ଆଧୁନିକତାର ଛାପ ଭିତରେ ମଳିନ ପଡ଼ିନି ଆଦିବାସୀଙ୍କ ପରମ୍ପରା ଓ ସଂସ୍କୃତି

665

କନକ ବ୍ୟୁରୋ : ଆଜି ବିଶ୍ୱ ଆଦିବାସୀ ଦିବସ । ପ୍ରତିବର୍ଷ ଅଗଷ୍ଟ ୯ ତାରିଖରେ ପାଳନ ହୁଏ ବିଶ୍ୱ ଆଦିବାସୀ ଦିବସ । ଆଦିବାସୀ ଜନସଂଖ୍ୟା, ଅଧିକାର ଓ ସୁରକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଦିନକୁ ପାଳନ କରାଯାଏ । ପ୍ରାୟତଃ ସମସ୍ତ ପ୍ରକାର ଆଦିବାସୀ ସମ୍ପ୍ରଦାୟର ପରମ୍ପରା ଧୀରେ ଧୀରେ ଲୋପ ପାଇବାରେ ଲାଗିଛି । ଆଦିବାସୀମାନେ ବ୍ୟବହାର କରୁଥିବା ଭାଷା, ପୋଷାକ, ପର୍ବପର୍ବାଣୀର ସଂରକ୍ଷଣ ପାଇଁ ଏହି ଦିନ ପାଳନ ହେଉଛି ।

ଆଧୁନିକତାର ଛାପ ଭିତରେ ବଞ୍ଚି ରହିଛି ଆଦିବାସୀଙ୍କ ପରମ୍ପରା ଓ ସଂସ୍କୃତି । ଏବେ ବି ପ୍ରକୃତି କୋଳରେ ବାସ କରୁଛନ୍ତି ପ୍ରକୃତିର ସନ୍ତାନମାନେ । ଆଦିବାସୀ ସଂସ୍କୃତି, ବୈଭବ ଓ ଅସ୍ମିତା ହଜିଯାଉଥିବା ବେଳେ ସେଗୁଡ଼ିକୁ ବଜାୟ ରଖିବା ପାଇଁ ସରକାର ସମସ୍ତ ଚେଷ୍ଟା ଜାରି ରଖିଛନ୍ତି । ବର୍ତ୍ତମାନ ଆଦିବାସୀ ଅଞ୍ଚଳରେ ବିସ୍ଥାପନ ଯୋଗୁଁ ଧୀରେ ଧୀରେ ବିପନ୍ନ ହେଉଛି ସେମାନଙ୍କ ପରମ୍ପରା, ସଂସ୍କୃତି ଓ ଚାଲିଚଳନ ।

ଦେଶରେ ସର୍ବାଧିକ ଜନଜାତି ଥିବା ରାଜ୍ୟ ହେଲା ଓଡ଼ିଶା । ଓଡ଼ିଶାରେ ପ୍ରାୟ ୬୨ଟି ଆଦିବାସୀ ସମ୍ପ୍ରଦାୟର ଲୋକ ବସବାସ କରନ୍ତି । ଓଡ଼ିଶା ଜନସଂଖ୍ୟାର ପ୍ରାୟ ୨୪ ପ୍ରତିଶତ ହେଉଛନ୍ତି ଆଦିବାସୀ । ରାଜ୍ୟରେ ରହିଛି ୯ଟି ଆଦିବାସୀ ବହୁଳ ଜିଲ୍ଲା । ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, କନ୍ଧମାଳ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି ସମେତ ନବରଙ୍ଗପୁରରେ ପ୍ରାୟ ୫୦ ପ୍ରତିଶତ ଆଦିବାସୀ ବସବାସ କରନ୍ତି । ସାନ୍ତାଳ, ମୁଣ୍ଡା, ଓରାମ, ଗଣ୍ଡ, ମାଙ୍ଗଡ଼ିଆ, ଜୁଆଙ୍ଗ,ପାଉଡ଼ି ଭୁୟାଁ, କୋଟିଆ, ଭୂୟାଁ , ସଉରା ଆଦି ଅନେକ ଜନଜାତିର ଲୋକ ଓଡ଼ିଶାରେ ଅଛନ୍ତି । ରାଜ୍ୟରେ ଏତେ ସଂଖ୍ୟାରେ ଆଦିବାସୀ ବାସ କରୁଥିଲେ ହେଁ ଆଜିଯାଏଁ ସେମାନେ ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି । ପ୍ରାୟ ଆଦିବାସୀ ବହୁଳ ଅଞ୍ଚଳକୁ ବିକାଶ ଛୁଇଁପାରି ନାହିଁ ।

ଯୁଗ ବଦଳୁଛି , ସମୟ ବଦଳୁଛି । ସମୟର ତାଳେ ତାଳେ ଲୋକଙ୍କ ମଧ୍ୟରେ ବି ପରିବର୍ତ୍ତନ ଆସୁଛି । ଏପରିସ୍ଥଳେ ଓଡ଼ିଶାରେ ଆଦିବାସୀ ସମ୍ପ୍ରଦାୟର ଲୋକେ ଆଜି ବି ନିଜର ସଂସ୍କୃତି, ପରମ୍ପରା , ଐତିହ୍ୟ ବଜାୟ ରଖିଥିଲେ ବି କେଉଁଠି ନାଁ କେଉଁଠି ତାକୁ ଉଜ୍ଜୀବିତ କରି ରଖିବା ପାଇଁ ଆହ୍ୱାନର ସାମ୍ନା କରିବା ପାଇଁ ପଡ଼ୁଛି ।

ଆଦିବାସୀଙ୍କ ପର୍ବପର୍ବାଣୀ, ବିବାହ, ପରମ୍ପରା ଖୁବ ନିଆରା । ଆଦିବାସୀଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆସିଲେ ମଧ୍ୟ ତାଙ୍କର ପରମ୍ପରାକୁ, ଜାନିଜାତ , ଉତ୍ସବ ଓ ପର୍ବପର୍ବାଣୀକୁ ଭୁଲି ଯାଇନାହାନ୍ତି । ଧରଣୀ ମାତାର ଆଶିର୍ବାଦ ପାଇଁ ଆଜି କନ୍ଧ ଜାତିର ଲୋକେ ଧରଣୀ ପେନୁକୁ ପୂଜା କରୁଛନ୍ତି । ଠିକ ସେହିପରି କୁଟିଆ କନ୍ଧଙ୍କ ଭାତ ଦେବତା ଆଜି ବି ପୂଜା ପାଉଛନ୍ତି ।

ହେଲେ ରାଜ୍ୟ ସରକାରଙ୍କ ସମସ୍ତ ଚେଷ୍ଟା ସତ୍ୱେ ଆଜି ବି ଜୁଆଙ୍ଗ, ଖଡ଼ିଆ, ମାଙ୍ଖଡ଼ିଆ, ଲୋଧା ଆଦି ଅନେକ ଜନଜାତିର ଲୋକେ ପୋଷଣ, ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ପାନୀୟ ଜଳ ଆଦି ସୁବିଧାରୁ ବଞ୍ଚିତ । ଆଦିବାସୀଙ୍କ କ୍ଷେତ୍ରରେ ଅଧାରୁ ପାଠ ଛାଡ଼ିବା, ଅପପୃଷ୍ଟି ଓ ରକ୍ତହୀନତାର ହାର ସବୁଠାରୁ ଅଧିକ । ସେମାନଙ୍କ ବିକାଶ ପାଇଁ ରାଜ୍ୟ ସରକାର ଅନେକ ଆଇନ କରିଛନ୍ତି, ହେଲେ ବର୍ଷ ପରେ ବର୍ଷ ବିତିଗଲେ ବି ସେମାନେ ଉପକୃତ ହୋଇପାରୁ ନାହାନ୍ତି ।