ଏହି ଗ୍ରାମରେ ନାହିଁ ଗୋଟିଏ ବି ଧର୍ମପୀଠ । ଦେବା ଦେବୀ ପୂଜା କରିନଥାନ୍ତି ଗ୍ରାମବାସୀ, ଅସ୍ଥି ବିସର୍ଜନ ପରମ୍ପରାକୁ କରିଥାନ୍ତି ବିରୋଧ

7,906

କନକ ବ୍ୟୁରୋ : ପରମ୍ପରା ଓ ସଂସ୍କୃତିର ଦେଶ ଆମ ଭାରତ । ଭାରତର ପ୍ରତି କୋଣ ଅନୁକୋଣରେ ରହିଛି ନିଆରା ପରମ୍ପରା । ଏହାସହ ଆଜି ମଧ୍ୟ ପ୍ରଚଳିତ ହେଉଛି ଅନେକ ଅନ୍ଧବିଶ୍ୱାସର ଧାରା । ଭାରତର ପ୍ରତି ଗାଁରେ ରହିଛି ଅନେକ କାହାଣୀ । ଆଜି ଆମେ ଆପଣଙ୍କୁ ଆମ ଦେଶର ଏମିତି ଏକ ଗାଁ ସମ୍ପର୍କରେ କହିବୁ ଯାହାର ପରମ୍ପରା ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ   । ରାଜସ୍ଥାନର ଚରୁ ଜିଲ୍ଲାର ଲାମ୍ବା କି ଧାନି ଗାଁ । ବୋଧହୁଏ ଦେଶର ଏହା ଏକମାତ୍ର ଗ୍ରାମ ଯେଉଁଠାରେ କୌଣସି ମନ୍ଦିର ନାହିଁ । ଏହି ଗାଁରେ କୌଣସି ଦେବାଦେବୀ ପୂଜା ମଧ୍ୟ ପାଆନ୍ତି ନାହିଁ । ଏବଂ ସବୁଠାରୁ ବଡ କଥା ହେଉଛି ଏହି ଗାଁ ରେ ଲୋକଙ୍କ ଅସ୍ଥି ମଧ୍ୟ ବିସର୍ଜନ କରାଯାଏ ନାହିଁ । ତେବେ ଆସନ୍ତୁ ଜାଣିବା ଏହି ଗାଁ ସମ୍ପର୍କରେ ।

ରାଜସ୍ଥାନର ଲାମ୍ବା କି ଧାନି ଗ୍ରାମ, ଏହି ଗ୍ରାମର ଲୋକମାନେ କୌଣସି ଧାର୍ମିକ ରୀତିନୀତି କିମ୍ବା ଅନ୍ଧବିଶ୍ୱାସରେ ବିଶ୍ୱାସ ରଖନ୍ତି ନାହିଁ । ୧୦୫ ଘର ଥିବା ଲାମ୍ବା କିଧାନି କି ଗ୍ରାମର ଜନସଂଖ୍ୟା ପ୍ରାୟ ୭୫୦, ଏବଂ ଏହି ଗାଁର ଅଧିକାଁଶ ଲୋକ ଉଚ୍ଚପଦବୀରେ ଚାକିରି ମଧ୍ୟ କରିଛନ୍ତି । ଏହି ଗ୍ରାମର ଲୋକମାନେ ଅନ୍ଧବିଶ୍ୱାସ ଅପେକ୍ଷା ସେମାନଙ୍କର ପରିଶ୍ରମ ଉପରେ ବିଶ୍ୱାସ କରନ୍ତି । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ହିନ୍ଦୁ ଧର୍ମରେ ଅନ୍ତିମ ସଂସ୍କାର ପରେ ପବିତ୍ର ନଦୀରେ ଅସ୍ଥି ବିସର୍ଜନ କରିବାର ପରମ୍ପରା ରହିଥିବା ବେଳେ ଏହି ଗାଁର ଲୋକମାନେ ଏହାକୁ ଅଣଦେଖା କରିଥାନ୍ତି । ଅନ୍ତିମ ସଂସ୍କାର ପରେ ପ୍ରିୟଜନଙ୍କ ଅସ୍ଥି ଗଙ୍ଗାରେ ପକା ଯାଇନଥାଏ । ଦୀର୍ଘ ୭୦ ବର୍ଷ ଧରି ଏହି ପରମ୍ପରା ଚାଲିଆସୁଅଛି । ଏହି ଗାଁର ସମସ୍ତ ଲୋକ ପୂଜାପାଠ ଏବଂ ଧାର୍ମିକ କାର୍ଯ୍ୟ ପରିବର୍ତ୍ତେ ସେମାନଙ୍କ କାର୍ଯ୍ୟକୁ ଗୁରୁତ୍ୱ ଦେଇଥାନ୍ତି । ଏଠାକାର ଗାଁ ଲୋକେ କୁହନ୍ତି କି ସେମାନଙ୍କର କାମ ହେଉଛି ସେମାନଙ୍କର ପୂଜା । ସେଥିପାଇଁ ବୋଧହୁଏ ଏହି କାରଣରୁ ଏହି ଗ୍ରାମର ଅଧିକାଁଶ ଲୋକେ ସେମାନଙ୍କ ଜୀବନରେ ବହୁ ସଫଳତା ଲାଭ କରିଛନ୍ତି । ଏହି ଗ୍ରାମରେ ପ୍ରାୟ ୨୫-୩୦ଜଣ ଯୁବକ ସେନାରେ ଗୌରବ ମଣ୍ଡନ କରୁଛନ୍ତି, ଏହାସହ ପୁଲୁିସ୍, ରେଳବାଇ ଏବଂ ମେଡିକାଲ୍ ସ୍ତରରେ ମଧ୍ୟ ବହୁ ସଂଖ୍ୟକ ଯୁବକ ସାମିଲ ଅଛନ୍ତି । ଏବଂ ନିଜ କାମ ପାଇଁ ଅନେକ ପଦକ ମଧ୍ୟ ହାସଲ କରିଛନ୍ତି । ଶିକ୍ଷା, କ୍ରୀଡା, ବିଭିନ୍ନ କ୍ଷେତ୍ରରେ ଏହି ଗାଁ ଏକ ନିଆରା ପରିଚୟ ସୃଷ୍ଟି କରିଛି ।

ଆଜିକୁ ପ୍ରାୟ ୭୦ବର୍ଷ ପୂର୍ବେ ଏଠାରେ ରହୁଥିବା ଲୋକମାନେ ସାମୂହିକ ଭାବରେ ନିଷ୍ପତ୍ତି ନେଇଥିଲେ ଯେ ଗାଁରେ କୌଣସି ଲୋକର ମୃତ୍ୟୁ ପରେ ତାଙ୍କର ଅସ୍ଥି ବିସର୍ଜନ କରାଯିବ ନାହିଁ । ଏହା ଶହ ଅନ୍ତିମ ସଂସ୍କାର ପରେ ଅବଶିଷ୍ଟାଂଶକୁ ମଧ୍ୟ ପୁର୍ନବାର ପୋଡି ଦିଆଯିବ । ଏହି ଗାଁ ସମ୍ପୂର୍ଣ୍ଣ କୃଷି ଭିତ୍ତିକ । ଏଠାକାର ଲୋକେ ସକାଳରୁ ସନ୍ଧ୍ୟା ଯାଏଁ କଠିନ ପରିଶ୍ରମ କରିଥାନ୍ତି । ଯଦିଓ ଏଠାକାର ଲୋକମାନେ ନାସ୍ତିକ ନୁହଁନ୍ତି କିନ୍ତୁ ଧାର୍ମିକ ଦୃଷ୍ଟିହୀନତା ଭଳି କୌଣସି ଜିନିଷ ଏଠାରେ ଦେଖିବାକୁ ମିଳିନଥାଏ । ଏହାବ୍ୟତୀତ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଦ୍ୱିତୀୟ ବିଶ୍ୱଯୁଦ୍ଧସମୟରେ ଏହି ଗ୍ରାମର ସ୍ୱର୍ଗତ ନାରାୟଣ ସିଂ ଶତ୍ରୁମାନଙ୍କ ସହ ଲଢିଥିଲେ । ଜାନୁଆରୀ ୨୦୧୮ରେ ୯୫ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା । ତାଙ୍କର ଏହି ଅବଦାନ ପାଇଁ ତାଙ୍କୁ ରାଷ୍ଟ୍ରପତି ସମ୍ମାନିତ କରିଥିଲେ । ଏହି ଗାଁର ଲୋକଙ୍କ କହିବା ଅନୁଯାୟୀ ଏଠାକାର ଲୋକେ ଧାର୍ମିକ ଚିନ୍ତାଧାରା ଅପେକ୍ଷା ନିଜ କାର୍ଯ୍ୟ ପ୍ରତି ଅଧିକ ଗୁରୁତ୍ୱ ଦେଇଥାନ୍ତି ।