ମଙ୍ଗ ଧରିବାକୁ ଅରାଜି ରାହୁଲ ଗାନ୍ଧି? ଅଣଗାନ୍ଧି ସଦସ୍ୟ ହେବେ କି କଂଗ୍ରେସ ସଭାପତି?

184

କନକ ବ୍ୟୁରୋ:୧୩୭ ବର୍ଷ ପୁରୁଣା ଦଳ କଂଗ୍ରେସର ନୂଆ ସଭାପତି କିଏ ହେବ । ଏହାକୁ ନେଇ କଂଗ୍ରେସରେ ମନ୍ଥନ ଆରମ୍ଭ ହୋଇଯାଇଛି । ଆସନ୍ତା ମାସରେ ଦଳ ନୂଆ ସଭାପତି ପାଇବ । ଖବର ଅନୁସାରେ, ବରିଷ୍ଠ ନେତାଙ୍କ ଅନୁରୋଧ ସତ୍ୱେ ରାହୁଲ ଗାନ୍ଧୀ କଂଗ୍ରେସର ସଭାପତି ହେବାକୁ ଚାହୁଁନାହାନ୍ତି । ଅନ୍ୟପଟେ ଅସୁସ୍ଥତା କାରଣରୁ ସୋନିଆ ଗାନ୍ଧୀ ମଧ୍ୟ ଆଉ ସଭାପତି ହୋଇପାରିବେ ନାହିଁ ବୋଲି ମନା କରିଦେଇଛନ୍ତି । ଏବେ ସମସ୍ତଙ୍କ ନଜର ରହିଛି ପ୍ରିୟଙ୍କା ଗାନ୍ଧିଙ୍କ ଉପରେ । କିନ୍ତୁ ସେ ବି ଅନେକ ଥର ଅରାଜି ଥିବା ଖବର ସାମ୍ନାକୁ ଆସିଛି । ଗାନ୍ଧୀ ପରିବାରର ୩ ସଦସ୍ୟ ସଭାପତି ପାଇଁ ଅରାଜି ଥିବାରୁ ଚର୍ଚ୍ଚା ହେଉଛି , କଂଗ୍ରେସକୁ ମିଳିପାରେ ଅଣଗାନ୍ଧୀ ସଭାପତି ।

୨୦୧୯ ସାଧାରଣ ନିର୍ବାଚନରେ ଶୋଚନୀୟ ପରାଜୟ ପରେ ରାହୁଲ ଗାନ୍ଧୀ ସଭାପତି ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ତାଙ୍କୁ ସଭାପତି ପଦ ପାଇଁ ବାରମ୍ବାର ବୁଝାଯାଇଥିଲେ ବି ସେ ରାଜି ହେଉନାହାନ୍ତି । ତେଣୁ ଜଣେ ଅଣ ଗାନ୍ଧୀ ପରିବାରର ସଦସ୍ୟଙ୍କୁ ସଭାପତି କରିବାକୁ ଦଳ ଚିନ୍ତା କରୁଛି ।

  • ଅଣ-ଗାନ୍ଧୀଙ୍କ ଭିତରେ କିଏ ହେବ କଂଗ୍ରେସ ସଭାପତି ?
  • ଗେହଲଟ, ଚିଦାମ୍ବରମ ଓ ଖଡଗେଙ୍କ ନାଁ ଆଗରେ

କଂଗ୍ରେସର ମଙ୍ଗ ଧରିବାକୁ ରାହୁଲ ଗାନ୍ଧୀ ଅରାଜି ହେବା ପରେ ଏବେ ବରିଷ୍ଠ ନେତାଙ୍କ ମଧ୍ୟରୁ ଜଣଙ୍କୁ କଂଗ୍ରେସ ଅଧ୍ୟକ୍ଷ କରାଯିବାକୁ ପ୍ରସ୍ତୁତି ଚାଲିଛି । ଏହି ଦୌଡରେ ଦଳର ବରିଷ୍ଠ ନେତା ତଥା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ୍ବ ଓ ରାଜ୍ୟସଭାରେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡଗେଙ୍କ ନାଁ ଚର୍ଚ୍ଚାରେ ରହିଛି । ଯଦି ଏଭଳି ହୁଏ ୧୯୯୮ପରେ ପ୍ରଥମ ଥର ପାଇଁ ଜଣେ ଅଣ ଗାନ୍ଧୀ କଂଗ୍ରେସ ସଭାପତି ହେବେ । ୧୯୯୬ରୁ ୧୯୯୮ ଯାଏଁ ସୀତାରାମ କେଶରୀ କଂଗ୍ରେସର ସଭାପତି ଥିଲେ ।

କଂଗ୍ରେସର ନୂଆ ସଭାପତି ଯିଏ ହେଲେ ବି ଦଳକୁ ଆଗକୁ ନେବା ସହଜ ହୋଇନପାରେ । ଧୀରେ ଧୀରେ ଦୁର୍ବଳ ହେଉଥିବା କଂଗ୍ରେସକୁ ପୁଣି ଶକ୍ତିଶାଳୀ କରିବା ନୂଆ ସଭାପତିଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେବ । ୨୦୨୪ରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ବିଜେପି ବିରୋଧରେ ତୃତୀୟ ଲଢେଇ ଲଢିବାକୁ ପଡିବ । କାରଣ ୨୧୦୧୪ ଓ ୨୦୧୯ରେ କଂଗ୍ରେସର ଶୋଚନୀୟ ପରାଜୟ ହୋଇଥିଲା ।