ବୁଦ୍ଧ ମୂର୍ତ୍ତି ପଛର ହିଂସ୍ର ବାଘକୁ ନେଇ ତେଜିିଲା ବିବାଦ । ବୌଦ୍ଧ, ବାଘଗୁଡା ଛକରେ ଜିଲ୍ଲା ପ୍ରଶାସନ ତରଫରୁ ହୋଇଛି ପ୍ରତିଷ୍ଠା । ଅଦାଲତକୁ ଗଲା ମାମଲା ।

114

କନକ ବ୍ୟୁରୋ: ବୁଦ୍ଧଦେବଙ୍କ ମୂର୍ତ୍ତି ନିକଟରେ ବାଘକୁ ବିରୋଧ । ଆଉ ଏହି ବାଘ ପାଇଁ ମାମଲା ଅଦାଲତରେ ପହଞ୍ଚିଛି । ବୌଦ୍ଧ ବାଘଗୁଡା ଛକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବୁଦ୍ଧ ପୁର୍ଣ୍ଣିମାରେ ତାଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ଏହି ମୂର୍ତ୍ତି ପଛରେ ଏକ ବାଘ ବସିଥିବା ମୂର୍ତ୍ତି ରହିଛି । ଯାହାକୁ ନେଇ ବିବାଦ ମୁଣ୍ଡ ଟେକିଛି । ଆଉ ବିବାଦ ଅଦାଲତରେ ପହଞ୍ଚିଛି ।

ସୌମ୍ୟ, ଶାନ୍ତି ଓ ଅହିଂସାର ପ୍ରତୀକ ଗୌତମ ବୁଦ୍ଧ । ହେଲେ ବୁଦ୍ଧଙ୍କ ସୌମ୍ୟ ଶାନ୍ତ ପ୍ରତିମୂର୍ତି ପଛରେ ଆଖି ତରାଟି ଚାହିଁ ରହିଥିବା ବାଘର ମୂର୍ତି ରହିଛି । ଏହାକୁ ବିରୋଧ କରିଛନ୍ତି ସ୍ଥାନୀୟ ଅଞ୍ଚଳର ଲୋକ । ଭଗବାନ ବୁଦ୍ଧ ଅହିଂସାର ପ୍ରତୀକ । ତେଣୁ ତାଙ୍କ ପ୍ରତିମା ନିକଟରେ ଏକ ହିଂସ୍ର ଜନ୍ତୁ ବାଘର ମୂର୍ତି ରହିବାକୁ ଲୋକେ ଗ୍ରହଣ କରିପାରୁ ନାହାନ୍ତି । ଏହା ଧାର୍ମିକ ଭାବନା ପ୍ରତି କୁଠାରଘାତ ବୋଲି ଅଭିଯୋଗ ହୋଇଛି । ଏବେ ବିବାଦ ବୌଦ୍ଧ ସିନିୟର ସିଭିଲ ଜଜଙ୍କ ଅଦଲାତରେ ପହଞ୍ଚିଛି ।

ଗତ ବୁଦ୍ଧ ପୂର୍ଣ୍ଣିମାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବାଘଗୁଡା ଛକର ଭଗବାନ ବୁଦ୍ଧଙ୍କ ପ୍ରତିମୂର୍ତି ସ୍ଥାପନ କରାଯାଇଥିଲା । ସେ ସମୟରେ ତୁରନ୍ତ ବୁଦ୍ଧଙ୍କ ପ୍ରତିମା ଠାରୁ ବାଘକୁ ହଟାଇବାକୁ ଦାବି କରିଥିଲେ ସ୍ଥାନୀୟ ବାସିନ୍ଦା । କେହି ନଶୁଣିବାରୁ ବରିଷ୍ଠ ଓକିଲ କୃଷ୍ଣଚନ୍ଦ୍ର ମେହେର ଜିଲ୍ଲାପାଳଙ୍କୁ ସିପିସି ୮୦ ଧାରାରେ ନୋଟିସ ପଠାଇଥିଲେ । ଜିଲ୍ଲା୍ପାଳଙ୍କ ପାଖରୁ କୌଣସି ଉତର ନମିଳିବାରୁ ସେ କୋର୍ଟଙ୍କ ଆଶ୍ରୟ ନେଇଛନ୍ତି । ପ୍ରଶାସନର ଏଭଳି କାର୍ଯ୍ୟ ବୌଦ୍ଧ ଧର୍ମାବଲମ୍ବୀଙ୍କ ପାଇଁ ଅପମାନ ବୋଲି ଆବେଦନରେ ଦର୍ଶାଇଛନ୍ତି ବରିଷ୍ଠ ଓକିଲ କୃଷ୍ଣଚନ୍ଦ୍ର ମେହେର ।

ବୌଦ୍ଧ ସିନିୟର ସିଭିଲ ଜଜଙ୍କ ଅଦାଲତରେ ମାମଲା ନମ୍ବର ୮୧ /୨୦୨୨ରେ ପଞ୍ଜିକୃତ ହୋଇଛି । ଧର୍ମୀୟ ଭାବନାକୁ ଆଘାତ ଦେବା ଅଭିଯୋଗରେ ତକ୍ରାଳୀନ ଜିଲ୍ଲାପାଳ, ବର୍ତମାନର ଉପଜିଲ୍ଲାପାଳଙ୍କ ସହ ପ୍ରତିମା ଉନ୍ମୋଚନ ସମୟରେ ଉପସ୍ଥିତ ବୌଦ୍ଧ ବିଧାୟକ, ଏନଏସି ଅଧ୍ୟକ୍ଷ, ଉପାଧ୍ୟକ୍ଷ ଓ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀଙ୍କୁ ଏହି ମାମଲାରେ ପକ୍ଷ ଭୁକ୍ତ କରାଯାଇଛି ।