ବୀର ଯୋଦ୍ଧାଙ୍କୁ ଅନ୍ତିମ ବିଦାୟ ଦେଲା ବୀର ମାଟି । ରାଷ୍ଟ୍ରୀୟ ସମ୍ମାନ ସହ ଜଳିଲା ରାଣାପ୍ରତାପଙ୍କ ଜୁଇ

117

କନକ ବ୍ୟୁରୋ: ବୀରପୁତ୍ରଙ୍କୁ ଅଶ୍ରୁଳ ବିଦାୟ ଦେଇଛି ବୀରମାଟି । ପଞ୍ଚଭୂତରେ ବିଲୀନ ହୋଇଛନ୍ତି ରାଣାପ୍ରତାପ ଦାସ । ଜନ୍ମମାଟିରେ ସଂପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ରାଣାପତ୍ରାପଙ୍କ ଜୁଇରେ ଜଳିଛି । ହିନ୍ଦୁ ରୀତିନୀତି ଅନୁସାରେ ପୁତୁରା ଦେଇଛନ୍ତି ମୁଖାଗ୍ନୀ । କୁନ୍ନୁର ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ସ୍ୱାମୀଙ୍କ ମରଶରୀରକୁ ଶେଷ ସଲାମ ଜଣାଇଛନ୍ତି ସ୍ତ୍ରୀ । ତାଳଚେର କୃଷ୍ଣଚନ୍ଦ୍ରପୁର ଗାଁର ମଶାଣିରେ ହଜାର ହଜାର ଲୋକଙ୍କ ଗହଳି ଭିତରେ ଥିବା ପୁଅର ପାର୍ଥିବ ଶରୀରକୁ ଦେଖି ବୁକୁଫଟାଇ କାନ୍ଦିଛନ୍ତି ବାପା ।

ପଞ୍ଚତତ୍ତ୍ୱରେ ଲୀନ ହେଲା ବୀର ଯବାନଙ୍କ ପାର୍ଥିବ ଶରୀର । ବୀର ଯୋଦ୍ଧା ରାଣାପ୍ରତାପ ଦାସଙ୍କୁ ଜନ୍ମମାଟି ଅନୁଗୁଳ ଜିଲ୍ଲା କୃଷ୍ଣଚନ୍ଦ୍ରପୁର ଗାଁରେ ଦିଆଯାଇଛି ଅନ୍ତିମ ବିଦାୟ । ଆଉ ସର୍ବୋଚ୍ଚ ବଳିଦାନ ଦେଇଥିବା ବୀର ଯବାନଙ୍କୁ ଶେଷ ସଲାମ ଜଣାଇଛନ୍ତି ବନ୍ଧୁ, ପରିବାର ଓ ପତ୍ନୀ । ଖାଲି ସେତିକି ନୁହେଁ, ରାଣାପ୍ରତାପଙ୍କୁ ବିଦାୟ ବେଳେ ଶ୍ମଶାନରେ ଉପସ୍ଥିତ ସମସ୍ତଙ୍କ ଆଖିରେ ଲୁହ ଦେଖିବାକୁ ମିଳିଛି ।

ତେବେ ଜଳୁଥିବା ଚିତାରେ ପାର୍ଥିବ ଶରୀର ପାଉଁଶ ହୋଇଯିବ ସତ, ହେଲେ ରାଣା ପ୍ରତାପଙ୍କ ବୀରତ୍ୱ, ଦେଶ ସେବାର ଦାୟିତ୍ୱ ଓ କର୍ତ୍ତବ୍ୟନିଷ୍ଠାର ଗାଥା କାଳ କାଳକୁ ମନେ ରହିବ । ପରିବାର ବର୍ଗ, ସଂପର୍କୀୟ, ତିନି ସେନାର ଅଧିକାରୀ, ପୁଲିସ କର୍ମଚାରୀ ଓ ହଜାର ହଜାର ଜନତା ଅଶ୍ରୁଳ ଆଖିରେ ବୀର ଯବାନଙ୍କୁ ଦେଇଛନ୍ତି ଶେଷ ବିଦାୟ । ଆଜି ଭୁବନେଶ୍ୱରରୁ ମରଶରୀର ଗାଁରେ ପହଞ୍ଚିିବା ପରେ ଦେଖିବାକୁ ମିଳିଥିଲା ଶୋକାକୁଳ ପରିବେଶ । ବାସଭବନରେ କିଛି ସମୟ ମରଶରୀରକୁ ରଖିବା ପରେ ଶ୍ମଶାନକୁ ବାହାରିଥିଲା ଯବାନଙ୍କ ଅନ୍ତିମ ଯାତ୍ରା । କୃଷ୍ଣଚନ୍ଦ୍ରପୁର ଗାଁ ଶ୍ମଶାନରେ ବୀର ଯବାନଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ଏହାପରେ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହିନ୍ଦୁ ରୀତିନୀତିରେ ଶେଷକୃତ୍ୟ ସଂପନ୍ନ କରାଯାଇଛି ।

ସୂଚନାଯୋଗ୍ୟ ଯେ, କନ୍ନୁରରେ ସେନା ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ ବିପିନ ରାୱତଙ୍କ ସହ ମୃତ ୧୩ଜଣଙ୍କ ମଧ୍ୟରେ ଥିଲେ ତାଳଚେର କୃଷ୍ଣଚନ୍ଦ୍ରପୁରର ରାଣାପ୍ରତାପ ଦାସ । ବାୟୁସେନାରେ ଜୁନିଅର ୱାରେଣ୍ଟ ଅଫିସର ଭାବେ କାର୍ଯ୍ୟରତ ରାଣାପ୍ରତାପଙ୍କ ମରଶରୀର ଦିନ ୧୨ଟାରେ ପହଞ୍ଚିଥିଲା ଭୁବନେଶ୍ୱର ବିମାନ ବନ୍ଦର । ଶୋକାକୁଳ ପରିବେଶରେ ବିମାନ ବନ୍ଦର ପରିସରରେ ତାଙ୍କ ପାର୍ଥିବ ଶରୀରକୁ ରଖାଯାଇଥିଲା ଶ୍ରଦ୍ଧାଞ୍ଜଳି ଦେବା ପାଇଁ । ବୀର ଯୋଦ୍ଧାଙ୍କ ଶେଷ ଦର୍ଶନ ପାଇଁ ବିମାନ ବନ୍ଦର ପରିସରରେ ଜମିଥିଲା ରାଜନେତା ଓ ଶହ ଶହ ସାଧାରଣ ଜନତାଙ୍କ ଭିଡ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ବୀର ପୁଅଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ସେହିପରି ସେନା ପକ୍ଷରୁ ଗାର୍ଡ ଅଫ ଅନର ଦେବା ପରେ ଜନ୍ମମାଟି ଅଭିମୁଖେ ଶୋଭାଯାତ୍ରାରେ ବାହାରିଥିଲା ପାର୍ଥିବ ଶରୀର । ଭୁବନେଶ୍ୱରରୁ ଜନ୍ମମାଟି କୃଷ୍ଣପ୍ରସାଦ ଯାଉଥିବା ବୀର ଯବାନ ରାଣାପ୍ରତାପଙ୍କ ଅନ୍ତିମ ଯାତ୍ରାକୁ ବିଭିନ୍ନ ସ୍ଥାନରେ ଲୋକେ ଅଟକାଇ ଶ୍ରଦ୍ଧାଞ୍ଜଳି ଜଣାଉଥିଲେ । ବୀର ଯବାନଙ୍କୁ ଶେଷ ସମ୍ମାନ ଜଣାଇଲା ବେଳେ ଲୋକଙ୍କ ଆଖିରେ ଲୁହ ଜକେଇ ଆସୁଥିଲା