ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଅଧ୍ୟାପକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ଛାତ୍ରୀଙ୍କ ସହ ଆପତ୍ତିଜନକ ବାର୍ତ୍ତାଳାପ କରୁଛନ୍ତି ଇଂରାଜୀ ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର

283

କନକ ବ୍ୟୁରୋ : ରିଲେସନ୍ ମେଣ୍ଟେନ କର, ରେଜଲ୍ଟ ଭଲ ହେବ । ମୋତେ କିପରି ସନ୍ତୁଷ୍ଟ କରିବ ତାହା ଚିନ୍ତା କର । ଛାତ୍ରୀଙ୍କୁ ଏଭଳି କିଛି କହୁଥିବା ନେଇ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗର ଆସିଷ୍ଟାଣ୍ଡ ପ୍ରଫେସରଙ୍କ ନାରେ ଆସିଛି ଅଭିଯୋଗ । ଜଣେ ଛାତ୍ରୀଙ୍କ ସହ ପ୍ରଫେସରଙ୍କ ଏହି ବାର୍ତାଳାପ ଅଡ଼ିଓ କ୍ଲିପ୍ ଏବେ ଭାଇରାଲ ହେଉଛି । ପ୍ରଫେସର ଜଣଙ୍କ ଛାତ୍ରୀଙ୍କୁ କହିଛନ୍ତି, ତୁମେ ମୋତେ କଣ ପାଇଁ ପସନ୍ଦ କର ? କାରଣ ତୁମର ଇଛା ଅଛି । ତେଣୁ ସମ୍ପର୍କ ବଜାୟୀ ରଖ, ପରୀକ୍ଷାରେ ଭଲ ମାର୍କ ମିଳିବ ।

ବିଶ୍ୱବିଦ୍ୟାଳୟର ପିଜି ଛାତ୍ରୀଙ୍କ ସହ ଏଭଳି କଥା ହୋଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ପରୋକ୍ଷରେ ଇଙ୍ଗିତ କରିଛନ୍ତି ପ୍ରଫେସର । ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଛାତ୍ରୀ ଜଣଙ୍କୁ ତାଙ୍କ ଅଧିନରେ ପିଏଚଡି କରିବାକୁ ଏବଂ ପ୍ରଫେସରଙ୍କ ପାଖରେ ଛାତ୍ରୀଙ୍କ ଦୁଇଟି ବିଷୟ ଥିବାରୁ ଏଭଳି କହି ପରୋକ୍ଷରେ ତାଙ୍କୁ ବ୍ଲାକମେଲ କରୁଛନ୍ତି ପ୍ରଫେସ୍ର । ପ୍ରଫେସର ଆହୁରୀ କହିଛନ୍ତି, ମୋ ଅଧିନରେ ପିଏଚଡି କର, ମୋ ପାଖରେ ଦୁଇଟି ପେପର ଅଛି, ତୁମକୁ ଆଗରୁ ମିଶିବାର ଅଛି । ଅନ୍ୟମାନେ ବି ମିଶୁଛନ୍ତି ବୋଲି କହି ଛାତ୍ରୀଙ୍କ ପ୍ରଥମେ ପିଜି ସାରିବାକୁ ପରାମର୍ଶ ଦେଇଛନ୍ତି ଏହି ରଙ୍ଗିଲା ପ୍ରଫେସର ।

ଛାତ୍ରୀ ଏବଂ ପ୍ରଫେସରଙ୍କ ଭାଇରାଲ ହେଉଥିବା ୧୫ ମିନିଟj ଏହି କଥାବାର୍ତ୍ତା ଶୁଣିଲେ ଲାଗୁଛି ଯଦି ଛାତ୍ରୀଜଣଙ୍କ ତାଙ୍କ କଥା ନ ଶୁଣନ୍ତି ସେ ହୁଏତ ତାଙ୍କୁ ପରୀକ୍ଷାରେ ଭଲ ମାର୍କ ଦେବେନି ଅବା ତାଙ୍କୁ ପିଏଚଡି କରିବାକୁ ସୁଯୋଗ ଦେବେ ନାହିଁ । ସବୁଠୁ ବଡ଼ କଥା ହେଉଛି ଏଭଳି ପ୍ରଫେସରଙ୍କ ବିରୋଧରେ ବିଶ୍ୱବିଦ୍ୟାଳୟ କର୍ତୁପକ୍ଷ ଅବା ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ଅଭିଯୋଗ ହେଲେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବିଶ୍ୱବିଦ୍ୟାଳୟର ପିଜି କାଉଁନସିଲ ଅଧ୍ୟକ୍ଷ ।