ଦିଲ୍ ଜିତିନେଲେ ଦ୍ରାବିଡ । କାନପୁର ଷ୍ଟାଡିୟମର ଗ୍ରାଉଣ୍ଡସମ୍ୟାନଙ୍କୁ ଦେଲେ ୩୫ ହଜାର ଟଙ୍କା, ଜାଣନ୍ତୁ ପୂରା କାରଣ?

176

କନକ ବ୍ୟୁରୋ : କାନପୁର ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଖେଳାଯାଇଥିବା ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ ଡ୍ର ହୋଇଛି । ଶେଷ ବଲ ପର୍ଯ୍ୟନ୍ତ ମ୍ୟାଚର ରୋମାଞ୍ଚ ଦେଖିବାକୁ ମିଳିଥିଲା । କାରଣ ଆଉ ଗୋଟିଏ ୱିକେଟ ହାସଲ କରିଥିଲେ ଟିମ୍ ଇଣ୍ଡିଆ ଏହି ମ୍ୟାଚ ବିଜୟୀ ହୋଇଥାନ୍ତା । କିନ୍ତୁ ଶେଷ ୱିକେଟ ହାସଲ କରିବାରେ ଭାରତ ବିଫଳ ହେବା ସହ ମ୍ୟାଚ୍ ଡ୍ରରେ ଶେଷ ହୋଇଥିଲା । ଯାହାକୁ ନେଇ କ୍ରିକେଟ ପ୍ରଂଶସକ କିଛି ମାତ୍ରାରେ ମନ ଉଣା କରିଥିବା ବେଳେ କାନପୁର ଷ୍ଟାଡିୟମର ଗ୍ରାଉଣ୍ଡସମ୍ୟାନଙ୍କ ମନ ଖୁସି କରିଛନ୍ତି ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ । କାନପୁର ପିଚକୁ ନେଇ ବେଶ ଖୁସିଥିବା ରାହୁଲ ଗ୍ରାଉଣ୍ଡସମ୍ୟାନଙ୍କୁ ୩୫ ହଜାର ଟଙ୍କା ଦେଇଥିଲେ । ଏନେଇ ଉତ୍ତର ପ୍ରଦେଶ କ୍ରିକେଟ ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଛି । ପଞ୍ଚମ ଦିନରେ ପିଚର ସ୍ଥିତିକୁ ଦେଖି ଦ୍ରାବିଡ ଏହି ଆର୍ଥିକ ରାଶି ଗ୍ରାଉଣ୍ଡସମ୍ୟାନଙ୍କୁ ଦେଇଛନ୍ତି ।

ଭାରତରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚରେ ପଞ୍ଚମ ଦିନରେ ଖେଳିବା ଏତେ ସହଜ ହୋଇନଥାଏ । କାରଣ ବଲ ଟର୍ଣ୍ଣିଂ କରିବା ସହ ସ୍ପିନରଙ୍କୁ ଯଥେଷ୍ଟ ସୁହାଇଥାଏ । ଭାରତରେ ପଞ୍ଚମ ଦିନ ପୂରା ଖେଳ ହେବା ଖୁବ୍ କ୍ୱଚିତ ଦେଖିବାକୁ ମିଳେ । କାରଣ ଅଧିକାଂଶ ମ୍ୟାଚର ଫଳାଫଳ ପଞ୍ଚମ ଦିନ ପୂର୍ବରୁ ଆସି ଯାଇଥାଏ । ମ୍ୟାଚର ତୃତୀୟ ଦିନରୁ ହିଁ ପିଚରେ ଫାଟ ଦେଖାଯିବା ସ୍ପିନରଙ୍କୁ ବେଶ ସାଥ୍ ଦେଇଥାଏ । ଯେଉଁ ପିଚରେ ବ୍ୟାଟିଂ କରିବା ବ୍ୟାଟରଙ୍କ ପାଇଁ ଏତେ ସହଜ ହୋଇନଥାଏ ।

କିନ୍ତୁ କାନପୁର ପିଚରେ କିଛି ଭିନ୍ନ ଦେଖିବାକୁ ମିଳିଥିଲା । ସମାନ ପିଚରେ ନ୍ୟୁଜିଲାଣ୍ଡର ପେସ ବାହିନୀ ଦମଦାର ପ୍ରଦର୍ଶନ କରିଥିବା ବେଳେ ଭାରତ ପକ୍ଷରୁ ସ୍ପିନର ପ୍ରଭାବୀ ପ୍ରଦର୍ଶନ କରିଥିଲେ । ଏପରିକି ବ୍ୟାଟରଙ୍କ ବ୍ୟାଟରୁ ମଧ୍ୟ ରନ ବାହାରୁଥିଲା । ଭାରତ ପକ୍ଷରୁ ଶ୍ରେୟସ ଶତକ କରିଥିବା ବେଳେ ନ୍ୟୁଜିଲାଣ୍ଡ ପକ୍ଷରୁ ଅନେକ ଖେଳାଳୀ ଉଭୟ ଇନିଂସରେ ଅର୍ଦ୍ଧଶତକ ହାସଲ କରିଥିଲେ । ତେଣୁ କୌଣସି ନିର୍ଦ୍ଦିଷ୍ଟ ଟିମକୁ ଲକ୍ଷ୍ୟ କରି ପିଚ୍ ପ୍ରସ୍ତୁତ କରାଯାଇନଥିବାରୁ ଖୁସି ହୋଇ ଗ୍ରାଉଣ୍ଡସମ୍ୟାନଙ୍କୁ ୩୫ ହଜାର ଟଙ୍କା ଦେଇଛନ୍ତି ରାହୁଲ ଦ୍ରାବିଡ ।