ଇଂରାଜୀ ବିଷୟ ଭାରି କଷ୍ଟ! ଚଳିତ ବର୍ଷ ମାଟ୍ରିକରେ ଇଂରାଜୀରେ ଫେଲ୍ ହୋଇଛନ୍ତି ୬୦ ହଜାର ଛାତ୍ରଛାତ୍ରୀ, ରିପୋର୍ଟ ମାଗିଲା ଗଣଶିକ୍ଷା ବିଭାଗ

246

କନକ ବ୍ୟୁରୋ : ଇଂରାଜୀ ପାରୁନାହାନ୍ତି ଓଡିଆ ପିଲା । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଇଂରାଜୀରେ ଫେଲହାର ବଢିଛି । ୧ଲକ୍ଷ ୬୩ ହଜାର ୯୫୪ ଜଣ ଫେଲ୍ ହୋଇଥିବା ବେଳେ ସେଥିମଧ୍ୟରୁ ୬୦ ହଜାର ଛାତ୍ରଛାତ୍ରୀ କେବଳ ଇଂରାଜୀରେ ଫେଲ୍ ହୋଇଛନ୍ତି । ସେହିପରି ଇ-ଗ୍ରେଡରେ ପାସ୍ କରିଥିବା ୭୩ ପ୍ରତିଶତ ଛାତ୍ରଛାତ୍ରୀ ଇଂରାଜୀରେ ଅଳ୍ପକେ ପାସ୍ କରିଛନ୍ତି ।

ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୫ଲକ୍ଷ ୬୨ହଜାର ୨୧୩ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ଏବଂ ପାସହାର ରହିଥିଲା ୭୦.୭୮ ପ୍ରତିଶତ । ସେଥିମଧ୍ୟରୁ ୧ଲକ୍ଷ ୬୩ହଜାର ୯୫୪ ଜଣ ଛାତ୍ରଛାତ୍ରୀ ଫେଲ ହୋଇଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୬୦ହଜାର ଛାତ୍ରଛାତ୍ରୀ କେବଳ ଇଂରାଜୀରେ ଫେଲ ହୋଇଛନ୍ତି । ସେହିପରି ‘ଇ’ ଗ୍ରେଡ୍ ରଖି ପାସ କରିଥିବା ଛାତ୍ରଛାତ୍ରୀ ହେଉଛନ୍ତି ୧ଲକ୍ଷ ୨୨ହଜାର ୬୨ଜଣ । ସେଥିମଧ୍ୟରୁ ୭୩ ପ୍ରତିଶତ ଛାତ୍ରଛାତ୍ରୀ ଇଂରାଜୀରେ ଜଷ୍ଟ ପାସ କରିଛନ୍ତିା

ବର୍ଷ ବର୍ଷ ଧରି ଇଂରାଜୀରେ ପାସ୍ ହାର କମିଚାଲିଥିବା ବେଳେ ଗଣଶିକ୍ଷା ବିଭାଗର ଚିନ୍ତା ବଢିଯାଇଛି । ଚଳିତ ବର୍ଷ ଇଂରାଜୀରେ ଖରାପ କରିଥିବା ସ୍କୁଲଗୁଡିକୁ ରିପୋର୍ଟ ମାଗିଛି ଗଣଶିକ୍ଷା ବିଭାଗ । ମନ୍ତ୍ରୀ କହିଛନ୍ତି, ଶୂନ ଫଳ କରିଥିବା ୮୨ଟି ସ୍କୁଲ ବିରୋଧରେ କାର୍ଯାନୁଷ୍ଠାନ ନିଆଯିବ । ଏଥିସହ ଛାତ୍ରଛାତ୍ରୀଙ୍କୁ ସ୍କୁଲସ୍ତରରେ ସ୍ପୋକନ ଇଂଲିସ କ୍ଲାସ ଯୋଗାଇ ଦିଆଯିବ ।

ଚଳିତବର୍ଷ ମାଟ୍ରିକ ରେଜଲ୍ଟର ପାସହାର ଯେତିକି ଚିନ୍ତାଜନକ ତାଠାରୁ ଅଧିକ ଚିନ୍ତାଜନକ ହୋଇଛି ଇଂରାଜୀରେ ଫେଲ୍ ସଂଖ୍ୟା ବୃଦ୍ଧି । ବିଷୟ ଭିତିକ ଶିକ୍ଷକଙ୍କ ଅଭାବ, ୪୦ ହଜାର ଶିକ୍ଷକ ପଦବୀ ଖାଲି ଓ ତୃଣମୂଳ ସ୍ତରରେ ଇଂରାଜୀ ପଢାଇବାରେ ବିଫଳତା, ମୁଖ୍ୟକାରଣ ବୋଲି କହୁଛନ୍ତି ଶିକ୍ଷାବିତ ।