କାହିଁକି ହେଲା ହେଲିକପ୍ଟର ଦୁର୍ଘଟଣା? କ’ଣ କହୁଛି ଇରାନ ଗଣମାଧ୍ୟମ?

548

କନକ ବ୍ୟୁରୋ: ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଲେ ଇରାନ ରାଷ୍ଟ୍ରପତି ଇବ୍ରାହିମ୍ ରଇସି । ଆଜେରବୈଜାନରୁ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଫେରିବା ସମୟରେ ତାଙ୍କ ହେଲିକପ୍ଟର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଏଥିରେ ରାଷ୍ଟ୍ରପତି ରଇସିଙ୍କ ସମେତ ଇରାନର ବୈଦେଶିକ ମନ୍ତ୍ରୀ ହୋସେନ୍ ଅମିରାବ୍ଦ୍ଦୁଲାହିଆନ ମଧ୍ୟ ପ୍ରାଣ ହରାଇଛନ୍ତି । ଦିର୍ଘ ଘଂଟାର ସର୍ଚ୍ଚ ଅପରେସନ୍ ପରେ ଦୁର୍ଘଟଣା ସ୍ଥଳରେ ହେଲିକପ୍ଟରର ଭଗ୍ନାବିଶେଷ ମିଳିଛି ।..

ରବିବାବର, ଇରାନ ସମୟ ଅପରାହ୍ଣ ୩ଟା । ଆଜେରବୈଜାନରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିଲେ ରାଷ୍ଟ୍ରପତି ଇବ୍ରାହିମ୍ ରଇସି । ସାଥିରେ ଥିଲେ ବୈଦେଶିକ ମନ୍ତ୍ରୀ ହୋସେନ୍ ଅମିରାବ୍ଦ୍ଦୁଲାହିଆନ ସୁରକ୍ଷାକର୍ମୀଙ୍କ ସମେତ ଅନ୍ୟ କର୍ମଚାରୀ । ହଠାତ୍ ରାଷ୍ଟ୍ରପତି ରଇସିଙ୍କ ହେଲିକପ୍ଟର ସହ ଯୋଗାଯୋଗ ସମ୍ପୂର୍ଣ୍ଣ ବିଛିନ୍ନ ହୋଇଗଲା । ଏହାପରେ ବାହାରିଲା ସର୍ଚ୍ଚ ଅପରେସନ୍ । ୧୭ ଘଂଟାର ସର୍ଚ୍ଚ ଅପରେସନ୍ ପରେ ସାମ୍ନାକୁ ଆସିଥିଲା ଦୁର୍ଘଟଣାସ୍ଥଳର ଦୃଶ୍ୟ ।

ହେଲିକପ୍ଟର ଯେଉଁଥିରେ ରାଷ୍ଟ୍ରପତି ରଇସି, ବୈଦେଶିକ ମନ୍ତ୍ରୀଙ୍କ ସମେତ ୯ଜଣ ବ୍ୟକ୍ତି ଯାତ୍ରା କରୁଥିଲେ । ହେଲିକପ୍ଟରର ଭଗ୍ନାବିଶେଷ ଦେଖି ଅନୁମାନ କରାଯାଇ ପାରିବ ଯେ, ଏହି ଦୁର୍ଘଟଣାରୁ କେହି ବି ବର୍ତି ଥିବେ । ଅନ୍ତର୍ଜାତୀୟ ଖବର ସରବାରହ ସଂସ୍ଥା ରଏଟର୍ସର ସୂଚନା ଅନୁସାରେ ଇରାନ ବରିଷ୍ଠ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି ଯେ, ରାଷ୍ଟ୍ରପତି ଇବ୍ରାହିମ୍ ରଇସି ଓ ବୈଦେଶିକ ମନ୍ତ୍ରୀ ହୋସେନ୍ ଅମିରାବଦ୍ଦୁଲାହିଆନ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି । ସେମାନଙ୍କ ମୃତଦେହ ଉଦ୍ଧାର କରିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି । ଏହି ସବୁ ଫଟୋରୁ ସ୍ପଷ୍ଟ ଜଣା ପଡୁଛି ଯେ, ଘନ ବାଦଲ ଏବଂ ଥଣ୍ଡା ପାଗ ଭିତରେ ଉଦ୍ଧାର କାର୍ଯ୍ୟ କରାଯାଇଛି ।

ପ୍ରେସିଡେଂଟ୍ ବିଫୋର କ୍ରାସ୍.. ଏ ଦୃଶ୍ୟ ହେଉଛି ରାଷ୍ଟ୍ରପତି ରଇସିଙ୍କ ଶେଷ ଫଟୋଗ୍ରାଫ । ରବିବାର ଅଜୈରବେଜାନର ଖୋଦାଫରିନ୍ ବନ୍ଧର ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ । ଏ ହେଉଛି, ସେହି ସମୟର ଦୃଶ୍ୟ । ଏହି କାର୍ଯ୍ୟକ୍ରମ ସାରି ହେଲିକପ୍ଟରରେ ପୂର୍ବ ଅଜୈରବେଜାନ ରାଜଧାନୀ ତବରୈଜ୍ ଯାଉଥିଲେ ରଇସି । ହେଲେ ବାଟରେ ହିଁ ତାଙ୍କ ହେଲିକପ୍ଟର ଦୁର୍ଘଟଣାର ଶିକାର ହୋଇଥିଲା । ଇରାନ ମିଡିଆ ରିପୋର୍ଟ୍ ଦୁର୍ଘଟଣାର ପ୍ରାରମ୍ଭିକ କାରଣ ଖରାପ ପାଣିପାଗକୁ ଦର୍ଶାଇଛି । ତେହେରାନ୍ ଟାଇମ୍ସର ରିପୋର୍ଟ ଅନୁସାରେ –
– ଖରାପ ପାଣିପାଗ ପାଇଁ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥାଇପାରେ
– ଘନ କୁହୁଡ଼ି ପାଇଁ ହେଲିକପ୍ଟର ‘ହାର୍ଡ ଲ୍ୟାଣ୍ଡିଂ’ କରିଥାଇପାରେ
– ଦୁର୍ଘଟଣା ରାଜଧାନୀ ତେହରାନ ଠାରୁ ୬୦୦ କିଲୋମିଟର ଦୂରରେ ଘଟିଛି
– ଉତ୍ତର-ପଶ୍ଚିମ ଅଜୈରବେଜାନର ଜୋଲ୍ଫା ନିକଟରେ ଦୁର୍ଘଟଣା

ସବୁଠାରୁ ବଡ କଥା ହେଉଛି ରାଷ୍ଟ୍ରପତି ରଇସିଙ୍କ ହେଲିକପ୍ଟର ସହ ଅନ୍ୟ ଦୁଇଟି ହେଲିକପ୍ଟର ସୁରକ୍ଷା ପାଇଁ ନିୟୋଜିତ ଥିଲେ । ସେହି ଦୁଇ ହେଲିକପ୍ଟର ସୁରକ୍ଷିତ ଭାବେ ଗନ୍ତବ୍ୟ ସ୍ଥଳରେ ପହଁଚି ସାରିଥିବାବେଳେ, ରଇସିଙ୍କ ହେଲିକପ୍ଟର ହିଁ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯାହା ମନରେ ସନ୍ଦେହ ସୃଷ୍ଟି କରୁଛି ।

ଯେଉଁ ସମୟରେ ଇରାନ୍ ରାଷ୍ଟ୍ରପତିଙ୍କ ହେଲିକପ୍ଟର ଦୁର୍ଘଟଣା ହୋଇଛି, ତାହା ଅନେକ ଗୁଡିଏ ସନ୍ଦେହ ସୃଷ୍ଟି କରୁଛି । ଇସ୍ରାଏଲ ଓ ହମାସ ଯୁଦ୍ଧ ଭିତରେ ଇସ୍ରାଏଲକୁ ବିରୋଧ କରି ଆସୁଥିବା ଇରାନ ରାଷ୍ଟ୍ରପତିଙ୍କୁ ହତ୍ୟା କରିବା ପାଇଁ ଏହା ଏକ ଭୟଙ୍କର ଷଡଯନ୍ତ୍ର ହୋଇଥାଇପାରେ ବୋଲି ମଧ୍ୟ ପ୍ରଶ୍ନ ଉଠୁଛି । ଇରାନ ହମାସକୁ ସମର୍ଥନ କରୁଥିବାବେଳେ କ୍ରମାଗତ ଭାବେ ଇସ୍ରାଏଲ ଓ ଆମେରିକାକୁ ବିରୋଧ କରି ଆସୁଛନ୍ତି । ତେଣୁ ହେଲିକପ୍ଟର ଦୁର୍ଘଟଣା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି ।

ଇବ୍ରାହିମ୍ ରଇସିଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଭାରତ – ଇରାନ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବାରେ ରାଷ୍ଟ୍ରପତି ରଇସିଙ୍କ ବିଶେଷ ଅବଦାନ ରହିଛି । ତାଙ୍କ ଅକାଳ ବିୟୋଗରେ ରଇସିଙ୍କ ପରିବାର ଓ ଇରାନବାସୀଙ୍କୁ ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । କେବଳ ସେତିକି ନୁହେଁ ଏ ଦୁଃଖ ସମୟରେ ଭାରତ, ଇରାନ ସହ ଛିଡା ହୋଇଥିବା କହିଛନ୍ତି ନରେନ୍ଦ୍ର ମୋଦୀ ।