କାହିଁକି ଗଛରେ ଝୁଲିପଡିଲେ ୩ ଜଣ ଝିଅ? ଘଟଣା ପଛରେ ସାମାଜିକ ବାସନ୍ଦର ଭୟ ନା ଆଉ କିଛିି କାରଣ?

269

କନକ ବ୍ୟୁରୋ: ନବରଙ୍ଗପୁର ଉମରକୋଟ ତୋହରା ଗାଁର ୩ଜଣ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା ସତରେ ହୃଦୟବିଦାରକ । ଶନିବାର ରାତିରେ ହଠାତ ୩ ଜଣ ଝିଅଙ୍କ ମୃତଦେହ ଏକ ଗଛରେ ଝୁଲୁଥିବାର ଖବର ପ୍ରଚାରିତ ହୋଇଗଲା, ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ । ସ୍ଥାନୀୟ ଅଂଚଳରେ ଏହି ଘଟଣା ଚାଚଲ୍ୟ ଖେଳାଇଦେଇଥିଲା । ଘଟଣାର ସମ୍ବେଦଶନଶୀଳତା ଦୃଷ୍ଟିରୁ ସ୍ପଷ୍ଟ ଦୃଶ୍ୟ ଦେଖାଇବା ସମ୍ଭବ ନୁହେଁ , କିନ୍ତୁ ଗୋଟିଏ ଗଛରେ ଜଣେ ବିବାହିତା ଓ ଦୁଇଜଣ ନାବାଳିକା ଦଉଡି ଦେଇ ଝୁଲି ପଡିବା ଘଟଣାକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି ।

ମୃତକ ୩ ଜଣ ହେଲା ତୋହରା ଗାଁର ହେମଲତା ଗୌଡ, ଫୁଲମତୀ ମାଝି ଓ କୌଶଲ୍ୟା ମାଝି । କୁହାଯାଉଛି, ୩ ଜଣ ଭଲ ସାଙ୍ଗ ଥିଲେ । ଘଟଣା ପୂର୍ବଦିନ ଏହି ୩ ଜଣ ଏକ ସ୍କୁଟିରେ ଘଟଣାସ୍ଥଳ ପାଖରେ ବୁଲୁଥିବା ଲୋକେ ଦେଖିଛନ୍ତି । ଅଧିକାଂଶ ସମୟ ସେମାନେ ଏକାଠି ବିତାଉଥିଲେ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । ଶନିବାର ସନ୍ଧ୍ୟାରେ କେହି ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ଆଉ ଶେଷରେ ଗାଁ ନିକଟ ଏକ ଗଛରୁ ୩ ଜଣଙ୍କ ମୃତଦେହ ମିଳିଥିଲା ।

ଏବେ ଅପେକ୍ଷା ୩ ଝିଅଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ । ଏହା ପରେ ମୃତ୍ୟୁର କାରଣ ସମ୍ପର୍କରେ ସ୍ପଷ୍ଟ ଜଣାପଡିବ । ଏମାନଙ୍କ ମୃତଦେହକୁ ଯାଂଚ କରିଥିବା ଜଣେ ଡାକ୍ତର କହିଛନ୍ତି, ସେମାନେ ଏକା ସମୟରେ ମୃତ୍ୟୁବରଣ କରିଥିବା ଅନୁମାନ କରାଯାଉଛି ।