କନକ ବ୍ୟୁରୋ: ପେଶା ହେଉଛି ମାଛ ବ୍ୟବସାୟୀ । ନିଶା କିନ୍ତୁ ସମାଜକୁ ସଚେତନତା ବାର୍ତା ଦେବା । ଭିନ୍ନ ଉପାୟରେ ଭୋଟର ମାନଙ୍କୁ ସଚେତନତା କରୁଛନ୍ତି ବାପା ଓ ପୁଅ । ନିଜର ପାରମ୍ପରିକ କୌଳିକ ବୃତି ସମୟରେ ନାଚି ,ଗାଇ ଭୋଟର ମାନଙ୍କୁ ସଚେତନତା କରିବାରେ ଏହି ଦୁଇ ବାପା ପୁଅ ଆଜି ପାଲଟିଛନ୍ତି ଅନ୍ୟ ମାନଙ୍କ ପାଇଁ ଉଦାହରଣ ।
ଚଳିତ ନିର୍ବାଚନରେ କିପରି ସାଧାରଣ ଭୋଟରମାନେ ମଦ .ମାଂସ ଓ ଟଙ୍କା ପ୍ରତି ଆକୃଷ୍ଟ ନହୋଇ ଏକ ଭଲ ଜନପ୍ରତିନିଧି ବାଛିବେ ତାକୁ ନେଇ ବାପ ପୁଅ ଚଳାଇଛନ୍ତି ପ୍ରଚାର । ପାରାଦୀପ ନିର୍ବାଚନ ମଣ୍ଡଳୀର ପିପ୍ପଳ ଗ୍ରାମର କୁଳମଣି ତରାଇ ଓ ତାଙ୍କର ପୁଅ ହିରଣ୍ୟ ତରାଇ ଆଜି ପାଲଟିଛନ୍ତି ଏକ ଚର୍ଚ୍ଚିତ ବ୍ୟକ୍ତିତ୍ୱ । ମାଛ ଧରି ବ୍ୟବସାୟ କରି ନିଜ ପେଟ ପ୍ରତିପୋଷଣ କରୁଥିବା ଏହି ବାପା ପୁଅ ଙ୍କ ନିଶା ହେଉଛି ନିଜର କୌଳିକ ପାରମ୍ପରିକ ଘୋଡାନାଚ । କରୋନା ମହାମାରୀ ସମୟରେ ଚାରିଆଡେ ହାହାକାର ପଡିଥିବା ସମୟରେ ଏହି ବାପ ପୁଅ ନିଜର ପାରମ୍ପରିକ ବେଶ ପୋଷାକରେ ଘୋଡାନାଚ ମାଧ୍ୟମରେ ଗାଁ କୁ ଗାଁ ବୁଲି ଲୋକମାନଙ୍କୁ ସଚେତନତା କରି ଚର୍ଚ୍ଚାରେ ରହିଥିଲେ ।