ବାରଣାସୀରୁ ନାମାଙ୍କନ ଭରିବେ ପ୍ରଧାନମନ୍ତ୍ରୀ । କିଛି ସମୟ ଭିତରେ ଦଶାଶ୍ୱମେଧ ଘାଟରେ ପହଞ୍ଚିବେ ନରେନ୍ଦ୍ର ମୋଦୀ । ଉପସ୍ଥିତ ରହିବେ ୧୨ ରାଜ୍ୟର ମୁଖ୍ୟମନ୍ତ୍ରୀ ।

116

କନକ ବ୍ୟୁରୋ: ଆଜି ନାମାଙ୍କନ ଭରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତୃତୀୟ ଥର ପାଇଁ ବାରଣାସୀରୁ ପ୍ରାର୍ଥୀ ହୋଇଛନ୍ତି ମୋଦୀ । ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ବାରଣାସୀର କାଶୀ ବିଶ୍ୱନାଥ ମନ୍ଦିରରେ ପୂଜାଚ୍ଚର୍ନା କରିଛନ୍ତି ପ୍ରଧାନମନ୍ତ୍ରୀ । କିଛି ସମୟ ପରେ ଗଙ୍ଗା ସ୍ନାନ ପାଇଁ ଦଶାଶ୍ୱମେଧ ଘାଟରେ ପହଁଚିବେ । ଏହାପରେ କାଳଭୈରବଙ୍କ ମନ୍ଦିର ଯାଇ ସେଠାରେ ପୂଜାର୍ଚ୍ଚନା କରିବେ । ନିମାଙ୍କନ ଭରିବା ପୂର୍ବରୁ ପ୍ରାୟ ୧୦ଟା ୪୫ରେ ଏନଡିଏ ନେତାଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ଏହାପରେ ଦିନ ୧୧ଟା ୪୦ରେ ପ୍ରାର୍ଥୀପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି ।

ନାମାଙ୍କନ ଭରିବା ସମୟରେ ପ୍ରଧାନମନ୍ତ୍ରୀଙ୍କ ସହ ୧୨ ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ । ପ୍ରଧାନମନ୍ତ୍ରୀଙ୍କ ନାମାଙ୍କନ ସମୟରେ ୪ ଜଣ ପ୍ରସ୍ତାବକ ରହିବେ । ଅଯୋଧ୍ୟା ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାର ଶୁଭ ସମୟ ସ୍ଥିର କରିଥିବା ଗଣେଶ୍ୱର ଶାସ୍ତ୍ରୀ ପ୍ରସ୍ତାବକ ରହିବେ । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ବରିଷ୍ଠ କାର୍ଯ୍ୟକର୍ତା ବୈଜନାଥ ପଟେଲ ଦ୍ୱିତୀୟ ପ୍ରସ୍ତାବକ ରହିବେ । ଦଳୀୟ କାର୍ଯ୍ୟକର୍ତା ଲାଲଚାନ୍ଦ କୁସବାହା ଏବଂ ସଞ୍ଜୟ ସୌନକର ମଧ୍ୟ ପ୍ରସ୍ତାବକ ରହିବେ । ପ୍ରଧାନମନ୍ତ୍ରୀଙ୍କ ନାମାଙ୍କନ ପାଇଁ ବାରଣାସୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଜୁନ ୧ ତାରିଖ ତଥା ଶେଷ ପର୍ଯ୍ୟାୟରେ ବାରଣାସୀରେ ନିର୍ବାଚନ ହେବାର ଅଛି । ୨୦୧୪ରେ ପ୍ରଧାନମନ୍ତ୍ରୀ ମୋଦୀ ବାରଣାସୀ ଆସନରୁ ୩ ଲକ୍ଷ ୩୭ ହଜାରରୁ ଅଧିକ ଭୋଟରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଅରବିନ୍ଦ କେଜ୍ରିୱାଲଙ୍କୁ ହରାଇଥିଲେ । ୨୦୧୯ରେ ମୋଦୀ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ସମାଜବାଦୀ ପାର୍ଟିର ସାଲିନି ଯାଦବଙ୍କୁ ୪ ଲକ୍ଷ ୮୦ ହଜାରରୁ ଅଧିକ ଭୋଟରେ ହରାଇଥିଲେ ।