କିଏ ଏହି ଭାରତୀୟ ବଂଶୋଦ୍ଭବ ଋଷି ସୁନକ ? ହୋଇପାରନ୍ତି ବ୍ରିଟେନର ଆଗାମୀ ପ୍ରଧାନମନ୍ତ୍ରୀ

446

କନକ ବ୍ୟୁରୋ : ପାର୍ଟି ମଧ୍ୟରେ ବିଦ୍ରୋହ କାରଣରୁ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଆଜି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଦୁଇଦିନ ମଧ୍ୟରେ କଞ୍ଜରଭେଟିଭ ପାର୍ଟିର ୪୧ ଜଣ ମନ୍ତ୍ରୀ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେବା ପରେ ଆଜି ବାଧ୍ୟ ହୋଇ ବୋରିସ୍ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।

କହିରଖୁ କି ଜୁଲାଇମାସ ଆରମ୍ଭରୁ ବୋରିସଙ୍କ ଉପରେ ଏଭଳି ଚାପ ପଡିବା ଆରମ୍ଭ ହୋଇଥିଲା । ଏହାପରେ ବ୍ରିଟେନ ସରକାରରେ ଅର୍ଥମନ୍ତ୍ରୀ ଥିବା ଋଷି ସୁନକ ଇସ୍ତଫା ଦେଇଥିଲେ । ଏହାପରେ ଦଳ ମଧ୍ୟରେ ବିଦ୍ରୋହ କରି ଜଣଙ୍କ ପରେ ଜଣେ ଏଭଳି ଭାବେ ୪୧ ଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି ।

ସେପଟେ ବୋରସ୍ ଜନସନଙ୍କ ଇସ୍ତଫା ପରେ କିଏ ହେବ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହି ଚର୍ଚ୍ଚା ମଧ୍ୟରେ ସବୁଠାରୁ ଆଗରେ ରହିଛି ବୋରିସଙ୍କ ମନ୍ତ୍ରୀମଣ୍ଡଳରେ ଅର୍ଥମନ୍ତ୍ରୀ ଥିବା ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କ ନାମ । ଋଷି ସୁନକ ହେଉଛନ୍ତି ଇନଫୋସିସର ସହ ସଂସ୍ଥାପକ ତଥା ପ୍ରତିଷ୍ଠିତ ବ୍ୟବସାୟୀ ନାରାୟଣ ମୂର୍ତ୍ତୀଙ୍କ ଜ୍ୱାଇଁ ।

ଋଷି ସୁନକ ବୋରିସଙ୍କ ମନ୍ତ୍ରୀମଣ୍ଡଳରେ ଅର୍ଥମନ୍ତ୍ରୀ ଥିଲେ ବି ସରକାରରେ ତାଙ୍କର ସବୁଠୁ ଅଧିକ ଲୋକପ୍ରିୟତା ରହିଛି । ସେ ସରକାରଙ୍କ ଚେହେରା ଭାବେ ବିଭିନ୍ନ ପ୍ରସଙ୍ଗରେ ସାମ୍ନାରେ ରହୁଥିଲେ । ଏହାସହ କରୋନା କାଳରେ ବ୍ରିଟେନର ଅର୍ଥନୀତିରେ ସୂଧାର ଆଣିବା ଓ କୋଭିଡ ମ୍ୟାନେଜମେଣ୍ଟକୁ ନେଇ ସେତେବେଳେ ବିଶ୍ୱରେ ଚର୍ଚ୍ଚିତ ହୋଇଥିଲେ ।

ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କ ଜନ୍ମ ବ୍ରିଟେନରେ ହୋଇଥିଲା । ସେ ବ୍ରିଟେନର ବେଞ୍ଚଷ୍ଟାର କଲେରୁ ରାଜନୀତି ବିଜ୍ଞାନ ସମାପ୍ତ କରିଛନ୍ତି । ଏହାପରେ ସେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ଫିଲୋସଫି ଓ ଇକୋନୋମିକ୍ସ ପଢିଛନ୍ତି ।