ପୁରୀ ସମୁଦ୍ରରେ ଅଘଟଣ: ଗାଧୋଇବା ବେଳେ ପ୍ରେମିକ ଆଗରେ ଭାସିଗଲା ପ୍ରେମିକା

328

କନକ ବ୍ୟୁରୋ: ସମୁଦ୍ରରେ ଗାଧୋଇବା ହେଲା କାଳ । ସମୁଦ୍ରରେ ଗାଧୋଇବା ବେଳେ ପ୍ରେମିକ ଆଗରେ ଭାସିଗଲା ପ୍ରେମିକା । ପୁରୀ ସମୁଦ୍ରରେ ଆଜି ତିନିଜଣ ପର୍ଯ୍ୟଟକ ଭାସି ଯାଇଥିଲେ । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଥିବା ବେଳେ ଜଣଙ୍କ ମୃତଦେହ ମିଳିଛି । ଆଜି ପୂର୍ବହ୍ନ ସାଢେ ୧୧ଟା ବେଳେ ଛାତିଶଗଡରୁ ଆସିଥିବା ୬ ଜଣ ପର୍ଯ୍ୟଟକ ସାଙ୍ଗ ହୋଇ ଗାଧୋଉଥିଲେ । ସେକ୍ଟର ୱାନର ଦିଗବାରେଣି ଖୁଂଟି ବେଳାଭୂମୀରେ ସାଙ୍ଗସାଥୀଙ୍କ ସହ ଗାଧୋଇବା ସମୟରେ ଜଣେ ଯୁବତୀଙ୍କ ସମେତ ୩ ଜଣ ଭାସି ଯାଇଥିଲେ । ଘଟଣାସ୍ଥଳରୁ ଲାଇଫ୍ ଗାର୍ଡମାନେ ୨ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଯୁବତୀ ଜଣଙ୍କ ନିଖୋଜ ହୋଇଯାଇଥିଲେ । ବହୁ ଖୋଜାଖୋଜି ପରେ ବ୍ଲୁ-ଫ୍ଲାଗ୍ ବିଚ୍ ନିକଟରୁ ଯୁବତୀଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନିଆଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ମୃତ ଯୁବତୀ ଜଣଙ୍କ ଛତିଶଗଡ ରାୟଗଡ ଅଂଚଳର ବ୍ରଜମୋହନ ନାୟକଙ୍କ ଝିଅ ମିନାଖି ନାୟକ ବୋଲି ଜଣାପଡିଛି । ଏନେଇ ପୁରୀ ସମୁଦ୍ରକୂଳ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । ପୁଲିସ ମୃତ ଯୁବତୀଙ୍କ ପରିବାର ସହ ଯୋଗାଯୋଗ କରିଛି । ଏବଂ ମୃତକଙ୍କ ସାଙ୍ଗରେ ଗାଧୋଉଥିବା ୫ ଜଣ ବନ୍ଧୁଙ୍କ ବୟାନ ରେକର୍ଡ କରାଯାଇଛି । ତେବେ ମିଳିଥିବା ସୂଚନା ଅନୁସାରେ, ଗତକାଲି ୩ ଜଣ ଯୁବତୀ ଓ ୩ ଜଣ ଯୁବକ ସାଙ୍ଗ ହୋଇ ଛତିଶଗଡରୁ ପୁରୀ ଆସିଥିଲେ । ସିଟି ରୋଡ୍ର ଏକ ହୋଟେଲ୍ରେ ୩ଟି ରୁମ୍ ନେଇ ରହିଥିଲେ । ସେମାନେ ପ୍ରମିକ-ପ୍ରେମିକା ବୋଲି କୁହାଯାଉଛି । ତେବେ ମୀନାକ୍ଷୀ ନିଜ ପ୍ରେମିକ ସହ ପୁରୀ ଆସିଥିଲେ । ଏବଂ ଆଜି ସମୁଦ୍ରରେ ଗାଧେଇବା ବେଳେ ଏଭଳି ଏକ ଅଘଟଣ ଘଟିଛି । ସେପଟେ ମୃତ ଯୁବତୀଙ୍କ ପରିବାର ଲୋକ ଆସି ଅଭିଯୋଗ କଲେ ତଦନ୍ତ କରାଯିବ ବୋଲି ପୁରୀ ସ୍ୱର୍ଗଦ୍ୱାର ଥାନା ଅଧିକାରୀ କହିଛନ୍ତି ।