୪ ନମ୍ବର ସ୍ଥାନକୁ ନେଇ ଏବେବି ତୁଟୁନି ଟିମ୍ ଇଣ୍ଡିଆର ଦ୍ୱନ୍ଦ୍ୱ, ଚିନ୍ତାରେ କୋହଲି ! ବିଜୟ, ଋଷଭ ନା ଦିନେଶ, କାହାକୁ ମିଳିବ ଆଗାମୀ ମ୍ୟାଚରେ ସ୍ଥାନ ?

388

କନକ ବ୍ୟୁରୋ : ଚଳିତ ବିଶ୍ୱକପର ଅଧା ଅଭିଯାନ ଶେଷ ହୋଇସାରିଲାଣି । ଆଉ ବିଶ୍ୱକପରେ ନିଜ ବିଜୟଧାରା ବଜାୟ ରଖିଛି ବିରାଟ ବାହିନୀ । ଭାରତ ଏପର୍ଯ୍ୟନ୍ତ ମୋଟ୍ ୫ଟି ମ୍ୟାଚ୍ ଖେଳିଥିବା ବେଳେ ୪ଟି ବିଜୟ ଏବଂ ଗୋଟିଏ ମ୍ୟାଚ୍ ବାତିଲ ହେବା କାରଣରୁ ୯ ପଏଣ୍ଟ ସହ ଟେବୁଲର ୩ ନମ୍ବର ସ୍ଥାନରେ ରହିଛି । କିନ୍ତୁ ପରବର୍ତ୍ତୀ ମ୍ୟାଚ୍ ଗୁଡିକ ପାଇଁ ଏବେ ଚିନ୍ତାରେ ପଡିଛନ୍ତି କ୍ୟାପଟେନ୍ କୋହଲି ।

ଭାରତ ସେମିଫାଇନାଲର ନିକଟତର ହେଲାଣି ସତ, କିନ୍ତୁ ଗତ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଟିମ୍ ଇଣ୍ଡିଆର ବ୍ୟାଟିଂ ପ୍ରଦର୍ଶନ ଦଳକୁ ଏବେ ଚିନ୍ତାରେ ପକାଇଛି । ବିଶେଷ କରି ଦଳ ଚୟନ ପୂର୍ବରୁ ଯେଉଁ ୪ ନମ୍ବର ସ୍ଥାନକୁ ନେଇ ଚର୍ଚ୍ଚା ହେଉଥିଲା, ସେହି ସ୍ଥାନ ଭାରତ ପାଇଁ ଏବେ ପୁଣି ଅଡୁଆ ସୃଷ୍ଟି କରିଛି । ବିଶ୍ୱକପ ଆରମ୍ଭରୁ ଏହି ସ୍ଥାନରେ ବ୍ୟାଟିଂ କରୁଥିଲେ କେଏଲ ରାହୁଲ । କିନ୍ତୁ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ ଆହତ ହେବା ପରେ କେଏଲ ରାହୁଲ ଦଳରେ ଏବେ ଓପନିଂ ଭାର ସମ୍ଭାଳୁଛନ୍ତି । ଆଉ ରାହୁଲଙ୍କ ସ୍ଥାନରେ ବିଜୟ ଶଙ୍କର ୪ ନମ୍ବର ସ୍ଥାନରେ ଖେଳୁଛନ୍ତି ।

ସବୁଠାରୁ ବଡ କଥା ହେଉଛି, ବିଜୟ ଶଙ୍କରଙ୍କ ପ୍ରଦର୍ଶନକୁ ନେଇ ଏବେ ଚିନ୍ତାରେ ପଡିଛନ୍ତି ଅଧିନାୟକ କୋହଲି । ଆଉ ଆଗାମୀ ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚରେ ବିଜୟ ଶଙ୍କରଙ୍କ ସ୍ଥାନରେ ଋଷଭ ପନ୍ଥ କିମ୍ବା ଦିନେଶ କାର୍ତ୍ତିକଙ୍କୁ ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ଗତ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଭାରତ ବିଜୟୀ ହୋଇଥିଲା ସତ, କିନ୍ତୁ ଦଳର ବ୍ୟାଟିଂ ଦୁର୍ବଳତା ପଦାରେ ପଡିଥିଲା । ଏହି ମ୍ୟାଚରେ ସଂଘର୍ଷ କରି ଜିତିଥିଲା ଟିମ୍ ଇଣ୍ଡିଆ ।