ବିହାରରେ ବ୍ୟାପକ ହିଂସା: ପଥର ମାଡ ସହ ଘର, ଗାଡି ଜାଳିଦେଲେ ଉପଦ୍ରବକାରୀ; ପୁଲିସ କର୍ମୀ, ସାମ୍ବାଦିକ ଆହତ, ୧୪୪ ଧାରା ଜାରି

275

କନକ ବ୍ୟୁରୋ: ବିହାରର ସାସାରାମ ଅଞ୍ଚଳରେ ହିଂସା ଉଗ୍ର ରୂପ ନେଇଛି । ରାମନବମୀଠାରୁ ଆରମ୍ଭ ହୋଇଥିବା ପଥରମାଡ ଘଟଣା ଏବେ ଅଣାୟତ୍ତ ହୋଇଛି । ପୁରା ଇଲାକାରେ ଗତ ରାତିରେ ଦୁଇ ଗୋଷ୍ଠୀ ପୁଣି ମୁହାଁମୁହିଁ ହେବା ଯୋଗୁଁ ଗାଡି ଓ ମିଡ ଟାଉନରେ ଅନେକ ଘରେ ନିଆଁ ଲଗାଇଦେଇଛନ୍ତି । ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏଠାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯିବା ସହ ୧୪୪ ଧାରା ଜାରି କରାଯାଇଛି ।

ସୂଚନା ମୁତାବକ, ସାସାରାମ ସହଜଲାଲ , ବସ୍ତି ମୋରଳ ଚୌଖଣ୍ଡି, ଆଦମଖାନି, ସୋନା ପଟ୍ଟି ସମେତ ଅନ୍ୟ ଇଲାକାରେ ଶୁକ୍ରବାର ରାତି ସାରା ହିଂସା ଲାଗିରହିଥିଲା । ଏଠାରେ ଉପଦ୍ରବକାରୀ ରାତିସାରା ପୁରସ୍ପରକୁ ପଥରମାଡ କରିଥିଲେ । ଏହି ଘଟଣାରେ ଏକାଧିକ ପୁଲିସ କର୍ମୀ ଓ ସାମ୍ବାଦିକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହା ମଧ୍ୟରେ ସାସାରାମ ରେ ହିଂସା ପରିସ୍ଥିତିକୁ ଦେଖି ପାଖ ଔରଙ୍ଗାବାଦରୁ ସ୍ପେଶାଲ ପୁଲିସ ଫୋର୍ସ ଆସିଛନ୍ତି । ରୋହତାସର ଜିଲ୍ଲାଧିକାରୀ ଧର୍ମେନ୍ଦ୍ର କୁମାର ତଥା ଏସପି ବିନୀତ କୁମର ପୁରା ଦଳବଳ ସହ ଘଟଣାସ୍ଥଳରେ କ୍ୟାମ୍ପ ଲଗାଇଛନ୍ତି ।

ତେବେ ଏହି ଘଟଣାରେ ଏଯାଏଁ କାହାରିକୁ ଗିରଫ କରାଯାଇନାହିଁ । କହିରଖୁଁ, ଗୁରୁବାର ଶ୍ରୀରାମନବମୀରେ ପଟୁଆର ବାହାରିବା ସମୟରେ ଦୁଇ ଦଳ ମଧ୍ୟରେ ପଥରମାଡ ହୋଇଥିଲା । ସକାଳୁ ମାମଲା ଶାନ୍ତ ପଡିଥିଲେ ବି ଶୁକ୍ରବାର ପୁଣି ହିଂସା ଉଗ୍ରରୂପ ନେଇଥିଲା । ସାସାରାମ ବ୍ୟତୀତ ନାଳନ୍ଦାରେ ମଧ୍ୟ ହିଂସ ସୃଷ୍ଟି ହୋଇଛି । ଫଳରେ ଏଠାରେ ମଧ୍ୟ ୧୪୪ ଧାରା ଲାଗୁ କରାଯିବା ସହ ଏଠାରେ ୨ ଦିନ ପାଇଁ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଦିଆଯାଇଛି ।