ଏଏସଓ ପରୀକ୍ଷା ମାମଲାରେ ଶୁଣାଣି ଶେଷ, ରାୟ ସଂରକ୍ଷିତ। ଓପିଏସସି ଉପରେ ଅସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ।

171

କନକ ବ୍ୟୁରୋ : ଏଏସ୍ଓ ପରୀକ୍ଷା ବିବାଦରେ ହାଇକୋର୍ଟଙ୍କ ଶୁଣାଣି ଶେଷ ହୋଇଥିବା ବେଳେ  ରାୟ ସଂରକ୍ଷିତ ରହିଛି । ନୂଆ ମେରିଟ୍ ଲିଷ୍ଟ ପ୍ରସ୍ତୁତ କରିବାକୁ ହାଇକୋର୍ଟ କହିଛନ୍ତି । ଏଏସଓ ପରୀକ୍ଷାରେ ଅନିୟମିତତା ହୋଇଥିବା ନେଇ ପରୀକ୍ଷାର୍ଥୀଙ୍କ ଅଭିଯୋଗ ପରେ ମାମଲାର ଶୁଣାଣି କରିଛନ୍ତି ହାଇକୋର୍ଟ । ରାୟ ସଂରକ୍ଷିତ ରହିଥିବା ବେଳେ ଶୁଣାଣି ବେଳେ ଓପିଏସସି ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । କାହିଁକି ମେରିଟ୍ ଲିଷ୍ଟ ଓ କଟ୍ ଅଫ୍ ମାର୍କ ପ୍ରକାଶ କରାଯିବନି, ପ୍ରଶ୍ନ କରିଛନ୍ତି ହାଇକୋର୍ଟ ।

୨୦୧୬ ପଲିସି ଅନୁସାରେ ନୂଆ ମେରିଟ ଲିଷ୍ଟ ପ୍ରସ୍ତୁତ କରିବାକୁ ଓପିଏସସିକୁ କହିଛନ୍ତି ହାଇକୋର୍ଟ । ପରୀକ୍ଷାର୍ଥୀଙ୍କ ପକ୍ଷରୁ ମାମଲା ଲଢୁଥିବା ଅକ୍ଷୟ କୁମାର ପାଣ୍ଡେ କହିଛନ୍ତି, କଟ୍ ଅଫ୍ ମାର୍କ ସହ ବ୍ୟକ୍ତିଗତ ମାର୍କ ପ୍ରକାଶ ପାଇଲେ ଦ୍ୱନ୍ଦ୍ୱ ଦୂର ହେବ । ଭଲ ମାର୍କ ରଖିଥିବା ଯଦି କେହି ପରୀକ୍ଷାର୍ଥୀ ତାଲିକାରୁ ବାଦ ପଡ଼ିଥିବେ, ସେମାନେ ଆଇନର ଆଶ୍ରୟ ନେଇପାରିବେ ।

ଗତ ଅଗଷ୍ଟ ୨୭ତାରିଖରେ ୭୯୬ ପୋଷ୍ଟ ପାଇଁ ପରୀକ୍ଷା ହୋଇଥିଲା । ଲିଖିତ ପରୀକ୍ଷାରେ ୧୧ଶହ ୪ଜଣ ପରିକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିଲେ । ପରୀକ୍ଷାଫଳ ଆସିବା ପରେ ପରିକ୍ଷାର୍ଥୀ ଅସନ୍ତୋଷ ପ୍ରକାଶ କରି ଓପିଏସସି ନିକଟରେ ଅଭିଯୋଗ କରିଥିଲେ । ସ୍ୱଚ୍ଛତାର ସହ ପରୀକ୍ଷା କରାଯାଇଥିବା ନେଇ ଓପିଏସସି ଅଧ୍ୟକ୍ଷ କହିବା ପରେ ହାଇକୋର୍ଟଙ୍କ ନିକଟରେ ଗୁହାରି କରିଥିଲେ ପରୀକ୍ଷାର୍ଥୀ । ଏବେ ହାଇକୋର୍ଟଙ୍କ ରାୟକୁ ଅପେକ୍ଷା ରହିଛି । ରାୟ ଆସିବା ପରେ ଓପିଏସସି କି ପଦକ୍ଷେପ ନେଉଛି, ତା ଉପରେ ରହିଛି ସମସ୍ତଙ୍କ ନଜର ।