ଋଷର ୪ ସୈନିକଙ୍କୁ ବନ୍ଧକ ରଖିଲା ୟୁକ୍ରେନ୍! କହିଲା ନିଜର ପୁଅକୁ ଆସି ୟୁକ୍ରେନରୁ ନେଇଯାଅ ।

1,275

କନକ ବ୍ୟୁରୋ : ଋଷ-ୟୁକ୍ରେନ୍ ଯୁଦ୍ଧ ଚାଲିଥିବା ବେଳେ ଗୋଟିଏ ପରେ ଗୋଟିଏ ହୃଦୟ ବିଦାରକ ଦୃଶ୍ୟ ଏବେ ସାମ୍ନାକୁ ଆସୁଛି । ଋଷର ଆକ୍ରମଣରେ ୟୁକ୍ରେନର ଅନେକ ସହରରେ ହାହାକାର ପଡିଛି । ଆଉ ଏସବୁ ଭିତରେ ୟୁକ୍ରେନ୍ ସେନା ୪ ଜଣ ଋଷ ସୈନିକଙ୍କୁ ନିଜ କବଜାକୁ ନେଇଛି । ୟୁକ୍ରେନର ବୈଦଶିକ ମନ୍ତ୍ରାଳୟ ଏହାର ଚିତ୍ର ଜାରି କରି ଋଷକୁ କଡା ସନ୍ଦେଶ ଦେଇଛନ୍ତି ।

ୟୁକ୍ରେନର ବିଦେଶ ମନ୍ତ୍ରାଳୟ କହିଛି ଯେ, ଧରାପଡିଥିବା ଋଷ ସୈନିକଙ୍କ ମା’,ପତ୍ନୀ, ସନ୍ତାନ ନିଜର ପୁଅକୁ ଆସି ୟୁକ୍ରେନରୁ ନେଇଯାଅ । ଏମାନେ ସମସ୍ତେ ନିରୀହ ୟୁକ୍ରେନବାସୀଙ୍କୁ ମାରି ରକ୍ତର ହୋଲି ଖେଳିବାକୁ ଚାହିଁଥିଲେ । ଲୋକଙ୍କର ଘରକୁ ଧ୍ୱଂସ କରିବାକୁ ଆସିଥିଲେ । କିନ୍ତୁ ୟୁକ୍ରେନର ଲୋକ ଏମାନଙ୍କୁ ଫୁଲରେ ନୁହେଁ ବରଂ ବନ୍ଧୁକ ସହ ସ୍ୱାଗତ କରିଥିଲେ । ଋଷ ସରକାର ଏହି ଯୁଦ୍ଧକୁ ଶେଷ କରନ୍ତୁ ଏବଂ ନିଜର ଲୋକଙ୍କୁ ଏଠାରୁ ନିଅନ୍ତୁ ।

ଗୋଟିଏ ପଟେ ଋଷ ଆକ୍ରମଣ ଜାରି ରଖିଥିବା ବେଳେ ଏହାର ମୁହଁତୋଡ ଜବାବ ଦେଉଛି ୟୁକ୍ରେନ୍ । ରାଷ୍ଟ୍ରପତି ଜେଲେନସ୍କିଙ୍କ ଆହ୍ୱାନ କ୍ରମେ ଋଷର ସାଂସଦ ମଧ୍ୟ ଏବେ ବନ୍ଧୁକ ଉଠାଇଲେଣି । ଏଭଳି ସ୍ଥିତିରେ ଋଷ ସେନା ଏବେ ୟୁକ୍ରେନର ରାଜଧାନୀ ମୁହାଁ ହୋଇଛନ୍ତି । ଖୁବଶୀଘ୍ର ୟୁକ୍ରେନର ରାଜଧାନୀକୁ କବଜା କରିପାରେ ଋଷ । ଆଉ ଏହାପୂର୍ବରୁ ମିସାଇଲ ମାଡ କରି ବିସ୍ଫୋରଣ କରୁଛି ଋଷ ।

ଏସବୁକୁ ଦୃଷ୍ଟିରେ ରଖି ୟୁକ୍ରେନର ରାଜଧାନୀ କିବରେ କର୍ଫ୍ୟୁ ଘୋଷଣା କରାଯାଇଛି । ସନ୍ଧ୍ୟା ୫ଟାରୁ ସକାଳ ୮ଟା ପର୍ଯ୍ୟନ୍ତ ଏହି କର୍ଫ୍ୟୁ ଜାରି କରାଯାଇଛି । ଏପରିକି କିବର ମେୟର କହିଛନ୍ତି ଯିଏ ଏହି କର୍ଫ୍ୟୁ ନିୟମ ପାଳନ ନ କରିବ ତାଙ୍କୁ ଶତ୍ରୁ ଭାବେ ବିବେଚନା କରାଯିବ ।