ବିପର୍ଯ୍ୟୟ ପରେ ନରସିଂହ ମିଶ୍ରଙ୍କ କଟାକ୍ଷ । କହିଲେ, ଏକଛତ୍ରବାଦ ଶାସନ ପାଇଁ ଲୋକେ ଦେଇଛନ୍ତି ଭୋଟ୍ 

173

କନକ ବ୍ୟୁରୋ: ଆଜି ଯେତେବେଳେ ନିର୍ବାଚନ ଫଳାଫଳର ଟ୍ରେଣ୍ଡ ଆସୁଥିଲା, ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ଏକ ବୟାନକୁ ନେଇ ଚର୍ଚ୍ଚା ହୋଇଥିଲା । ବଲାଙ୍ଗିରରେ ବି କଂଗ୍ରେସର ପ୍ରଦର୍ଶନ ସେତେ ଭଲ ନଥିଲା ଆଉ ନରସିଂହ କହିଥିଲେ, ଓଡିଶାବାସୀ ସରକାରଙ୍କୁ ଏକଛତ୍ରବାଦୀ ହେବା ପାଇଁ ଭୋଟ୍ ଦେଉଛନ୍ତି । ତେବେ ଏମିତି କାହିଁକି କହିଲେ ନରସିଂହ ?

ଭୋଟ ଗଣତିର ପ୍ରଥମ ଦିନର ଆସୁଥିବା ଟ୍ରେଣ୍ଡକୁ ଦେଖିଲେ ସ୍ପଷ୍ଟ ଜଣାପଡୁଛି,  ଶାସକ ଦଳ ସପକ୍ଷରେ ରହିଛି ଜନମତ । ଆଉ ବିରୋଧୀ ବିଜେପି ଓ କଂଗ୍ରେସ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ଯାଉଛନ୍ତି । ଏହି ଫଳାଫଳକୁ ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ କଟାକ୍ଷ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ତେବେ ଭୋଟ ଗଣତି ଜାରି ରହିଥିବାବେଳେ, ଆସୁଥିବା ପ୍ରାଥମିକ ଟ୍ରେଣ୍ଡକୁ ଦେଖି, କଂଗ୍ରେସ ବିଧାୟକ ଦଳ ନେତା ତଥା ରାଜ୍ୟର ଅନୁଭବୀ ନେତା ନରସିଂହ ମିଶ୍ରଙ୍କ ଏହି କଥା ଚର୍ଚ୍ଚାର ବିଷୟ ହୋଇଛି । ସେ କହିଛନ୍ତି, ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏକଛତ୍ରବାଦୀ ସରକାର ହେବା ପାଇଁ ଏଥର ଭୋଟ ଦେଇଛନ୍ତି ଓଡିଶା ବାସୀ ।

ସାଧାରଣତଃ ନିର୍ବାଚନରେ ଜନମତକୁ ଦଳ ଏବଂ ନେତା ମାନି ନିଅନ୍ତି । କୌଣସି ପରିସ୍ଥିତିରେ ଜନତାଙ୍କୁ ଦୋଷ ଦିଅନ୍ତି ନାହିଁ । ଏହି ପ୍ରସଙ୍ଗରେ ଜଣେ ରାଜନୈତିକ ସମୀକ୍ଷକ ତାଙ୍କୁ ପଚାରିଥିଲେ ସେ କଣ ଏଥିପାଇଁ ଲୋକଙ୍କୁ ଦୋଷ ଦେଉଛନ୍ତି  । ଏହାର ଉତ୍ତର ଦେଇ ଏମିତି କହିଥିଲେ ନରସିଂହ ମିଶ୍ର । ଓଡିଶାର ହୁଏତ କୌଣସି ଏକଛତ୍ରବାଦୀ ଶାସକ ଶାସନ କରିବା ସମ୍ଭବ ହୋଇନପାରେ । କିନ୍ତୁ ନରସିଂହ କହିବା ପାଇଁ ଚାହିଁଛନ୍ତିି,  ରାଜ୍ୟରେ ଯେଉଁଭଳି ଭାବେ ଶାସକ ଦଳ ସପକ୍ଷରେ ଏକତରଫା ଭୋଟ୍ ହୋଇଛି, ତାହା ରାଜ୍ୟକୁ ବିରୋଧୀ ଶୂନ୍ୟ କରିବା ଭଳି ପରିସ୍ଥିତି ସୃଷ୍ଟି କରିଛି ।