ଭାରତରେ ଉପୁଜିଲା ଶ୍ରୀଲଙ୍କା ସ୍ଥିତି, ଏବେ ପେଟ୍ରୋଲ ପମ୍ପରେ ଗାଡି ଚାଳକଙ୍କୁ ଦୈନିକ ମିଳିବ ଏତିକି ଟଙ୍କାର ତେଲ

344

କନକ ବ୍ୟୁରୋ : ଗୋଟିଏ ପଟେ ଶ୍ରୀଲଙ୍କାରେ ତୈଳ ସଂକଟ ଶ୍ରୀଲଙ୍କାବାସୀଙ୍କ ଦୈନଦିନ ଜୀବନକୁ ଭାରିମାତ୍ରାରେ ପ୍ରଭାବିତ କରିଥିବା ବେଳେ ସମାନ ପରିସ୍ଥିତି ଭାରତରେ ଦେଖା ଦେଇଛି । ଏନେଇ ତ୍ରିପୁରା ରାଜ୍ୟ ସରକାର ରାଜ୍ୟର ଗାଡି ଚାଳକଙ୍କ ପାଇଁ ଏକ ବଡ କଟକଣା ଲଗାଇଛନ୍ତି । ନୂଆ ମୁଖ୍ୟମନ୍ତ୍ରୀ ମାଣିକ ସାହାଙ୍କ ନିର୍ଦ୍ଦେଶ ମୁତାବକ ଏବେ ରାଜ୍ୟର ୨ ଚକିଆ ଚାଳକଙ୍କୁ ତେଲ ଟାଙ୍କିରୁ ଦୈନିକ ୨୦୦ ଟଙ୍କାର ପେଟ୍ରୋଲ ଓ କାର ଚାଳକଙ୍କୁ ଦୈନିକ ସର୍ବାଧିକ ୧ ହଜାର ଟଙ୍କାର ପେଟ୍ରୋଲ ମିଳିପାରିବ ।

ଏହାର କାରଣ ଭାବେ କୁହାଯାଇଛି କି, ଆସାମରେ ସାଂଘାତିକ ବନ୍ୟା ପରିସ୍ଥିତି କାରଣରୁ ତ୍ରିପୁରାକୁ ତୈଳ ଯୋଗାଣ ବାଧାପ୍ରାପ୍ତ ହୋଇଛି । ଆସାମର ସଡକ ଓ ପରିବହନ ଏବେ ବାଧାପ୍ରାପ୍ତ ହୋଇଛି । ଏହାସହ ରେଳ ଧାରଣାରେ ମାଟି ଅତଡା ଖସିପଡିବା ଓ ବର୍ଷାପାଣି ଚାଲୁଥିବାରୁ ଆସାମ ଦେଇ ତ୍ରିପୁରା ଆସୁଥିବା ତୈଳ ଟ୍ୟାଙ୍କରଗୁଡିକ ଅଟକି ରହିଛି । ଆସାମ ବନ୍ୟା ସ୍ଥିତି ସୁଧୁରିବା ସହ ଗମନା ଗମନ ସ୍ୱଭାବିକ ହେବା ପରେ ଏହି କଟକଣା ହଟାଇ ଦିଆଯାଇପାରେ ବୋଲି ଅନୁମାନ କରାଯାଉଛି ।

କହିରଖୁ କି ଦେଶରେ ଏବେ ତୈଳଦର ଆକାଶଛୁଆଁ ହୋଇଛି । ବିଭିନ୍ନ ରାଜ୍ୟରେ ପେଟ୍ରୋଲ ୧୧୩-୧୨୦ ଟଙ୍କା ଲିଟର ପହଂଚିଥିବା ବେଳେ ଡିଜେଲ ବି ୧୦୩-୧୧୦ ପ୍ରତି ଲିଟର ପହଂଚି ସାରିଛି । ଏହାସହ ରୋଷେଇ ଗ୍ୟାସର ଦରବୃଦ୍ଧି ଏବେ ଗୃହିଣୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଆଜିର ଦରବୃଦ୍ଧି ପରେ ୧୪.୩ ଲିଟର ଇନ୍ଧନ ଗ୍ୟାସ ଟାଙ୍କିର ଦାମ ୧ ହଜାର ଟଙ୍କା ଛୁଇଁଛି । ଏଭଳି ସ୍ଥଳେ ପରିମାଣ ଉପରେ ରୋକ ଲଗାଇ ଲୋକମାନଙ୍କୁ ଅସୁବିଧାରେ ପକାଇଛନ୍ତି ତ୍ରିପୁରା ସରକାର ।