ବନ୍ଧୁକ ମୂନରେ ଲୁଟିଥିଲେ ୪ହଳ ଜୋତା, ଏବେ କୋର୍ଟ ଶୁଣାଇଲେ ୭ବର୍ଷ ଜେଲଦଣ୍ଡ

124

କନକ ବ୍ୟୁରୋ : ହରିଆଣା ରେବାଡି ଠାରେ ଥିବା ଏକ ଜୋତା ଦୋକାନରୁ ୪ ହଳ ଜୋତା ଚୋରି କରିଥିବା ଅଭିଯୋଗରେ ଲୁଟେରାଙ୍କୁ ୭ବର୍ଷ ଜେଲ ଦଣ୍ଡିରେ ଦଣ୍ଡିତ କରିଛନ୍ତି କୋର୍ଟ । କେବଳ ଜେଲ ଦଣ୍ଡ ନୁହେଁ ଅପରାଧୀଙ୍କ ଉପରେ କୋର୍ଟ ୪୧ ହଜାର ଟଙ୍କା ଜରିମାନା ଲଗାଇଛନ୍ତି ।

ସୂଚନା ମୁତାବକ ୨୦୨୧ ସେପ୍ଟେମ୍ବର ୧୨ ତାରିଖରେ ଜୋତା ଦୋକାନର ମାଲିକ ଅଶୋକ କୁମାର ରେବାଡି ମୋତି ଚୌକ ଠାରେ ଥିବା ନିଜର ଜୋତା ଦୋକାନରେ ବସିଥିଲେ । ଏତିକି ବେଳେ ବଞ୍ଜାରବାଡାରେ ରହୁଥିବା ଦୀପକ ଓ କାଳିଆ ଏକ ମୋଟାସାଇକେଲରେ ଆସି ଅଶୋକ କୁମାର ଓ ତାଙ୍କ ପଡୋସୀ ଦୋକାନୀଙ୍କୁ ଧମକ ଚମକ ଦେଇଥିଲା । ଏହାପରେ ଦୁଇଜଣ ଦୋକାନୀଙ୍କୁ ଅପରାଧୀମାନେ ବନ୍ଧୁକ ଦେଖାଇ ୮ ହଜାର ଟଙ୍କା ମୂଲ୍ୟର ୪ ହଳ ଜୋତା ନେଇ ଫେରାର ହୋଇଯାଇଥିଲେ । ଏହାପରେ ସହରର ଅନ୍ୟ ଏକ ଦୋକାନରୁ ମଧ୍ୟ ଚୋରି କରିଥିଲେ ।

ଏନେଇ ପୋଲିସରେ ଅଭିଯୋଗ ହେବା ପରେ କିଛି ଘଣ୍ଟା ମଧ୍ୟରେ ପୋଲିସ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ଜୋତା ଚୋରି ମାମଲାରେ ମଜବୁତ ପ୍ରମାଣ ଓ ସାକ୍ଷୀଙ୍କ ବୟାନ ଆଧାରରେ କୋର୍ଟ ଉଭୟ ଅପରାଧୀଙ୍କୁ ୭ବର୍ଷ ଜେଲଦଣ୍ଡ ସହ ୪୧ ହଜାର ଟଙ୍କାର ଜରିମାନା ଲଗାଇଛନ୍ତି । ଜରିମାନା ଅନାଦେୟ ଅପରାଧୀଙ୍କୁ ଅଧିକ ୬ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ସ୍ଥାନୀୟ କୋର୍ଟର ବିଚାରପତି ଜଷ୍ଟିସ ସୁନିଲ କୁମାର ଗର୍ଗ ରାୟ ଶୁଣାଇଛନ୍ତି ।