ସୁନ୍ଦରଗଡର ଗଛ ମଣିଷ: ୨ ଏକର ଜମିରେ ଲଗାଇଛନ୍ତି ବିଭିନ୍ନ କିସମର ବହୁ ମୂଲ୍ୟବାନ ଗଛ 

191

କନକ ବ୍ୟୁରୋ: ସହରୀକରଣ ଓ ଆଧୁନିକତା ମଧ୍ୟରେ ମଣିଷ ଛନ୍ଦି ହୋଇ ଗଛ କାଟି ଚାଲିଛି । ଏବେ ଗାଁ ଠୁ ସହର ସବୁଠି ଗଛ କାଟି କ୍ରଂକିଟ୍ ଜଙ୍ଗଲ ସୃଷ୍ଟି ହେଉଛି । ଏହାରି ଭିତରେ କିଛି ପ୍ରକୃତି ପ୍ରେମୀ, ଗଛ ଲଗାଇ ସବୁଜିମା ବଳୟ ସୃଷ୍ଟି କରିବାକୁ ଉଦ୍ୟମ କରିଛନ୍ତି । ସେମତି ଜଣେ ନିଆରା ପ୍ରକୃତି ପ୍ରେମୀ ହେଉଛନ୍ତି ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପାଲି ବ୍ଲକ ତିନିକୁଡା ଗାଁର ସୁବାସ କୁମାର ସା । ସୁନ୍ଦରଗଡରେ ଗଛ ମଣିଷଙ୍କ ନାଁରେ ବେଶ୍ ଜଣାଶୁଣା ୪୫ ବର୍ଷୀୟ ଏହି ବ୍ୟକ୍ତି ।

ନିଜ ଜମିରେ ଗଛ ଲଗାଇ ଜଙ୍ଗଲ ସୃଷ୍ଟି କରି ସମାଜକୁ ପରିବେଶ ସୁରକ୍ଷାର ବାର୍ତା ଦେଉଛନ୍ତି ସୁବାସ । ଏବେ ସେ ଦୁଇ ଏକର ଜମିରେ ଗଛ ଲଗାଇଥିବା ବେଳେ ଆଗକୁ ଆହୁରି ୨ ହଜାର ଗଛ ଲଗାଇବାକୁ ଲକ୍ଷ୍ୟ ରଖିଛନ୍ତି । ଆଜିକୁ ୨୦ ବର୍ଷ ତଳୁ ଶାଳ, ପିଆଶାଳ, ସରଗି, କଲରା ଭଳି ଜଙ୍ଗଲ ଜାତୀୟ ଗଛ ଲଗାଇବା ଆରମ୍ଭ କରିଥିଲେ । କେବଳ ଗଛ ଲଗାଇ ଦେଲେ ହେବ ନାହିଁ, ତାର ଯତ୍ନ ନେବା ସହ ଜଙ୍ଗଲକୁ କାଠ ମାଫିଆ ଏବଂ ନିଆଁ ଦାଉରୁ ରକ୍ଷା କରିବା ଉପରେ ଗୁରୁତ୍ୱ ଦେଇଛନ୍ତି । ଦିନରେ ଚାଷ ଏବଂ ମଜୁରିଆ ଭାବରେ କାମ କରୁଥିବା ବେଳେ ସକାଳେ ଏବଂ ସଂଧ୍ୟାରେ ଜଙ୍ଗଲ ସୁରକ୍ଷାରେ ଲାଗିଥାନ୍ତି ସୁବାସ ।