ଉତ୍ତରପ୍ରଦେଶର ଚିତ୍ରକୁଟରେ ବଡ ଧରଣର ରେଳ ଦୁର୍ଘଟଣା ! ଭାସ୍କୋଡାଗାମ ଏକ୍ସପ୍ରେସର ୧୩ଟି ଡବା ଲାଇନଚ୍ୟୁତ

27

କନକ ବ୍ୟୁରୋ :  ଉତ୍ତରପ୍ରଦେଶରେ ଆଜି ଭୋରରୁ ବଡ ଧରଣର ରେଳ ଦୁର୍ଘଟଣା ହୋଇଛି । ୟୁପିର ଚିତ୍ରକୁଟର ମାନିକପୁର ଷ୍ଟେସନରେ ଭାସ୍କୋଡାଗାମ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି । ଏଥିରେ ପ୍ରାଥମିକ ରିପୋର୍ଟ ଅନୁସାରେ ୩ ଜଣ ପ୍ରାଣ ହରାଇଛନ୍ତି । ପାଟନା ଯାଉଥିବା ଏହି ଟ୍ରେନର ୧୩ଟି ଡବା ଟ୍ରାକରୁ ଖସିଯାଇଥିବା ସୂଚନା ମିଳିଛି । ଆହତକୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତି କରାଯାଇଛି ।

ଇଞ୍ଜିନକୁ ଲାଗିଥିବା ଡବା ଅଧିକ କ୍ଷତିଗ୍ରସ୍ତ ହୋଇଛି । ଘଟଣାସ୍ଥଳରେ ଉଦ୍ଧାର କାମ ଜାରିରହିଥିବାବେଳେ ଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳକୁ ପଠାଇବା ପାଇଁ ବ୍ୟବସ୍ଥା କରାଯାଇଛି । ମିଳିଥିବା ଖବର ଅନୁସାରେ, ମାନିକପୁର ରେଳଲାଇନରେ ଫାଟ ହୋଇଥିଲା । ଆଉ ଏହି ଟ୍ରାକକୁ ଟ୍ରେନ ଆସିଯିବା ଫଳରେ ଦୁର୍ଘଟଣା ହୋଇଛି । ଆଜି ଭୋର ପ୍ରାୟ ୪ଟା ୧୮ ମିନିଟରେ ଏହି ଦୁର୍ଘଟଣା ଘଟିଛି ।

ସେହିପରି ଜଗତସିଂହପୁରରେ ମଧ୍ୟ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି । କଟକ-ପାରାଦୀପ ରେଲୱେର ଗୁଆଳିପୁର ଛକ ନିକଟରେ ମାଲବାହୀ ଟ୍ରେନର ୧୪ଟି ବଗି ଲାଇନଚ୍ୟୁତ ହୋଇଛି । ଟ୍ରେନଟି କୋଇଲା ନେଇ ପାରାଦୀପ ଯାଉଥିବା ଜଣାପଡିଛି ।