ଦୁର୍ବଳ ହେଉଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ପ୍ରଭାବରେ ୧୨ ଘଣ୍ଟା ମଧ୍ୟରେ ୧୮ଟି ଜିଲ୍ଲାରେ ବର୍ଷା ଆଶଙ୍କା
କନକ ବ୍ୟୁରୋ: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଧୀରେଧୀରେ ଦୁର୍ବଳ ହେଉଛି। ଏହା ଏବେ ଉତ୍ତର ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳରେ ରହିଛି। ପ୍ରଭାବରେ ଆସନ୍ତା ୧୨ ଘଣ୍ଟା ପର୍ଯ୍ୟନ୍ତ ୧୮ଟି ଜିଲ୍ଲାରେ ପ୍ରବଳ ବର୍ଷାର ଆଶଙ୍କା ରହୁଛି। ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ସତର୍କତା ଅବଲମ୍ବନ କରିବାକୁ ସାଧାରଣ ଲୋକଙ୍କୁ ପରାମର୍ଶ ଦିଆଯିବା ସହ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯିବାକୁ କୁହାଯାଇଛି।
Kanak News is now on WhatsApp
Join and get latest news updates delivered to you via WhatsApp
ପାଣିପାଗ ବିଭାଗ ଆହୁରି କହିଛି ଯେ ଲଘୁଚାପ ପ୍ରଭାବ ଆଉ ଗୋଟିଏ ଦିନ ରହିବ। ଏହାପରେ ପାଗରେ ପରିବର୍ତନ ଆସିବ। ଲଘୁଚାପ ଉତ୍ତର ଓଡ଼ିଶା ଦେଇ ଅତିକ୍ରମ କରିବାକୁ ଥିବା ୨୨ ତାରିଖ ସକାଳ ପର୍ଯ୍ୟନ୍ତ ବର୍ଷା ଲାଗିରହିବ। ମୟୂରଭଞ୍ଜ, କେନ୍ଦୁଝର, ଝାରସୁଗୁଡ଼ା, ବରଗଡ଼ରେ ବର୍ଷା ପରିମାଣ ଅଧିକ ରହିବ। ଏହାପରେ ପାଗ ଶୁଖିଲା ରହିବ। ୨୫ ତାରିଖ ପର୍ଯ୍ୟନ୍ତ ସେଭଳି ବର୍ଷା ନଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ପାଣିପାଗ ବିଶେଷଜ୍ଞମାନଙ୍କ ଆକଳନ ଅନୁଯାୟୀ ଏବେ ଆଉ ଉପକୂଳ ଓଡ଼ିଶାରେ ନାହିଁ। ମୌସୁମୀ ସକ୍ରିୟ ରହିଛି। ତେଣୁ ମଝିରେ ମଝିରେ କେତେକ ସ୍ଥାନରେ ବର୍ଷା ହେବ। ଦକ୍ଷିଣ ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ଆଉ ୨୪ ଘଣ୍ଟା ରହିବ। ଲଘୁଚାପ ଏବେ ମଧ୍ୟପ୍ରଦେଶ ଆଡକୁ ଯାଉଛି। ତେଣୁ ଓଡ଼ିଶା ପ୍ରତି ସେଭଳି କୌଣସି ବିପଦ ନାହିଁ। ମୌସୁମୀ ଟ୍ରପ୍ ପଶ୍ଚିମ ଓଡ଼ିଶାରୁ ପଶ୍ଚିମବଙ୍ଗ ମଧ୍ୟରେ ରହୁଛି। ପ୍ରଭାବରେ ବର୍ଷା ହୋଇପାରେ। ୨୪ ଓ ୨୫ ତାରିଖ ବେଳରୁ ଉତ୍ତର ଓ ଉତ୍ତର ପଶ୍ଚିମ ଓଡ଼ିଶାରେ ବର୍ଷା ବଢ଼ିବାର ଆଶଙ୍କା ରହିଛି।