ନୂଆବର୍ଷ ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ । ଭିଡ଼ ନିୟନ୍ତ୍ରଣ ପାଇଁ ପୁଲିସ ପକ୍ଷରୁ ପୁରୀରେ ଟ୍ରାଫିକ୍ କଟକଣା

87

କନକ ବ୍ୟୁରୋ: ନୂଆବର୍ଷ ପାଇଁ ଆଜି ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଭିଆଇପି ପୁରୀ ଆସିବାର କାର‌୍ୟ୍ୟକ୍ରମ ରହିଛି। ଭିଡ଼ ନିୟନ୍ତ୍ରଣ ପାଇଁ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା ଲାଗୁ ହୋଇଛି। କେବଳ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିକୁ ସିଂହଦ୍ବାର ପର‌୍ୟ୍ୟନ୍ତ ଏବଂ ବିଚାରପତିମାନଙ୍କ ଗାଡ଼ିକୁ ଶ୍ରୀମନ୍ଦିର କାର‌୍ୟ୍ୟାଳୟ ପର‌୍ୟ୍ୟନ୍ତ ଯିବାକୁ ଦିଆଯିବ। ସେହିପରି ଭିଆଇପିମାନଙ୍କୁ ଟାଉନ ଥାନା ପର‌୍ୟ୍ୟନ୍ତ ଛଡ଼ାଯିବ। ବାଇକରେ ଆସୁଥିବା ଶ୍ରଦ୍ଧାଳୁମାନେ ମରିଚିକୋଟ ଛକରୁ ମାର୍କେଟ ଛକ ମଝି ବଡ଼ଦାଣ୍ଡ ବାମପଟେ ପାର୍କିଂ କରି ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଯାଇପାରିବେ। ଚାରିଚକିଆ ଯାନଗୁଡ଼ିକୁ ଗତକାଲି ରାତି ୨ଟାରୁ ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂରେ କରିପାରିବେ। ଏଠାରେ ସ୍ଥାନ ପୂରଣ ହୋଇଯିବା ପରେ ସେମାନେ ପୁରୁଣା ଜେଲ୍, ଶରଧାବାଲି, ତାଳବଣିଆ ଥାନା ସମ୍ମୁଖରେ ଗାଡି ପାର୍କିଂ କରିପାରିବେ।

ସେହିପରି ଯାତ୍ରୀବାହୀ ବସଗୁଡ଼ିକ ଅଠରନଳା ଦେଇ ବସଷ୍ଟାଣ୍ଡକୁ ଆସି ଯାଇପାରିବେ। ମାତ୍ର ଆନ୍ତଃରାଜ୍ୟ ବସ୍ ଏବଂ ରିଜର୍ଭ ବସଗୁଡ଼ିକ ମାଳତୀପାଟପୁର ବସଷ୍ଟାଣ୍ଡରେ ରହିବେ। ନୂଆବର୍ଷ ପାଇଁ ପୁରୀ ସହରାଞ୍ଚଳରେ ଭିଡ଼ ଆଶଙ୍କାକୁ ଦୃଷ୍ଟିରେ ରଖି ମରିଚିକୋଟ ଛକରୁ ସିଂହଦ୍ବାର ମଧ୍ୟରେ ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ରାସ୍ତାମାନଙ୍କରେ ଗାଡ଼ିଗୁଡ଼ିକ ଭିତରକୁ ଆସିବାକୁ ଦିଆଯିବନାହିଁ। ଲବଣିଖିଆ ଛକ, ଗାଣ୍ଡୁଆ ଚଉରା ଛକ, ଶୋଲାଖିଆ ଛକ ଦେଇ କୌଣସି ଗାଡ଼ି ଶ୍ରୀମନ୍ଦିର ପାଖକୁ ଆସି ପାରିବ ନାହିଁ। ବ୍ରହ୍ମଗିରିରୁ ଆସୁଥିବା ଗାଡ଼ିଗୁଡ଼ିକ କେବଳ ଜଟିଆବାଜି ଛକ ପର‌୍ୟ୍ୟନ୍ତ ଆସି ସେଠାରୁ ଫେରିବେ।

କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଏବଂ ପୁରୀ ଏସ୍‌ପି ଡା. ସାର୍ଥକ ଷଡ଼ଙ୍ଗୀ ଟ୍ରାଫିକ୍ ବ୍ୟବସ୍ଥାର ତଦାରଖ କରିବେ। ଦୁଇ ଜଣ କମାଣ୍ଡାଣ୍ଟ ଟ୍ରାଫିକ୍ ସହିତ ଶ୍ରୀମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବେ। ଏହି କାର‌୍ୟ୍ୟରେ ୧୦ ଜଣ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଓ ଡେପୁଟି କମାଣ୍ଡାଣ୍ଟ ସହଯୋଗ କରିବେ। ଏତଦବ୍ୟତୀତ ୨୧ ଜଣ ଡିଏସ୍ପି, ୩୬ ଜଣ ଇନ୍‌ସ୍ପେକ୍ଟର, ୧୫୧ ଜଣ ଏସ୍ଆଇ ଓ ଏଏସ୍ଆଇ, ୨୮ ଜଣ ହାବିଲଦାର, ୨୧୬ ଜଣ କନେଷ୍ଟବଳ, ୪୪ ଜଣ ଟ୍ରାଫିକ୍ ହାବିଲଦାର, ୪୧୨ ଜଣ ଗୃହରକ୍ଷୀ ଶ୍ରୀମନ୍ଦିର ସମେତ ଟ୍ରାଫିକ୍ ବ୍ୟବସ୍ଥାକୁ ପରିଚାଳନା କରିବେ ବୋଲି ଜଣାପଡିଛି।