ଆଜିଠୁ ୭ ଦିନିଆ ବାଘ ଗଣନା ଆରମ୍ଭ ! ଲାଗିଲା ୯ ଶହ କ୍ୟାମେରା

92

କନକ ବ୍ୟୁରୋ : ସାରା ଦେଶରେ ଆଜିଠାରୁ ଆରମ୍ଭ ହେଉଛି ବାଘ ଗଣନା । ଓଡ଼ିଶାରେ ବି ଏଥିପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି କରାଯାଇଛି । ଏକ ସପ୍ତାହ ଧରି ବାଘ ଗଣନା ହେବ । ଗଣନା ପାଇଁ ଏଥର ୩୮ଟି ଯାକ ଡିଭିଜନର ବିଭିନ୍ନ ସ୍ଥାନରେ ପ୍ରାୟ ୯୦୦ଟି କ୍ୟାମେରା ଲାଗିଛି ।  ଏ ସମ୍ପର୍କରେ ସୂଚନା ଦେଇ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି, ଜଙ୍ଗଲ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କୁ ଏ ନେଇ ତାଲିମ୍‌ ଦିଆଯାଇଛି । ଯେଉଁଠାରେ ବାଘ ମିଳିବାର ସମ୍ଭାବନା ଅଛି, ସେଠାରେ କ୍ୟାମେରା ଲଗାଯାଇଛି । ଗଣନାରେ ମିଳୁଥିବା ସମସ୍ତ ତଥ୍ୟକୁ ଓ୍ଵାଇଲ୍ଡ ଲାଇଫ୍‌ ଇନଷ୍ଟିଚ୍ୟୁଟ୍‌କୁୁ ପଠାଯିବ । ସେଠାରୁ ରାଜ୍ୟରେ କେତେ ବାଘ ଅଛନ୍ତି ତା’ର ରିପୋର୍ଟ ପ୍ରକାଶ ପାଇବ ।

tiger census

ଆସନ୍ତାକାଲି ଠାରୁ ହେବାକୁ ଥିବା ବାଘ ଗଣନା ନେଇ ପିସିସିଏଫ୍‌ (ବନ୍ୟପ୍ରାଣୀ) ସନ୍ଦୀପ ତ୍ରିପାଠୀ କହିଛନ୍ତି ଯେ, ଚଳିତବର୍ଷ ପ୍ରଥମ କରି ୪ଟି ପର୍ଯ୍ୟାୟରେ ବାଘ ଗଣନା ହେଉଛି । ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ଡିଭିଜନରେ ବାଘଙ୍କର ଯାତାୟତ ସମୟର ଫଟୋ ଉଠାଯାଇଛି । ଆସନ୍ତାକାଲି ଠାରୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ତଥା ଦ୍ୱିତୀୟ ପର୍ଯ୍ୟାୟ ଗଣନା ଆରମ୍ଭ ହେବ । ଏହି ଗଣନା ଯେପରି ଠିକ୍‌ ହେବ ସେଥିପାଇଁ ଅଧିକ ବାଘ ଯାତାୟତ କରୁଥିବା ସ୍ଥାନ ତଥା କୋର୍‌ ଅଞ୍ଚଳରେ କ୍ୟାମେରା ଲଗାଯାଇଛି । ଶିମିଳିପାଳ, ସୁନାବେଡ଼ା ଓ ସାତକୋଶିଆ ଡିଭିଜନରେ ଅଧିକ କ୍ୟାମେରା ଲଗାଯାଇଛି । ଏହି ପର୍ଯ୍ୟାୟରେ ଆମେ ବାଘଙ୍କ ଖାଦ୍ୟ ଓ ମଳକୁ ବି ସଂଗ୍ରହ କରିବୁ। ବାଘ ଗଣନା ସମେତ ଚିତା ବାଘ ଗଣନା ହେବ। ବାଘଙ୍କ ଖାଦ୍ୟ ହରିଣ, ସମ୍ବର ଅନ୍ୟାନ୍ୟ ଜୀବଜନ୍ତୁଙ୍କୁ ସ୍ଥିତି ବିଷୟରେ ବି ରିପୋର୍ଟ ଦିଆଯିବ। ମାର୍ଚ୍ଚ ୧୫ସୁଦ୍ଧା ତୃତୀୟ ପର୍ଯ୍ୟାୟ ସର୍ଭେ କରାଯିବ । ଏଥିରେ ଯେଉଁ ଭିଡିଏ, ଫଟୋ, ପଗ୍‌ ମାର୍କ, ମଳ ଆଦି ଆସିଥିବା ତାହାକୁ ପୁନଃ ଯାଞ୍ଚ କରାଯିବ। ମାର୍ଚ୍ଚ ୧୫ରେ ଓ୍ଵାଇଲ୍ଡ ଲାଇଫ୍‌ ଇନଷ୍ଟିଚ୍ୟୁଟ୍‌କୁ ସମସ୍ତ ତଥ୍ୟ ଦିଆଯିବ । ଏହାପରେ ସେମାନେ ଚତୁର୍ଥ ପର୍ଯ୍ୟାୟ ସର୍ଭେ କରିବେ। ଆସନ୍ତା ଜୁନ୍‌ରୁ ଅଗଷ୍ଟ ମାସ ଭିତରେ ବାଘ ଗଣନା ରିପୋର୍ଟ ପ୍ରକାଶ ପାଇବ । ଗତ ବର୍ଷ ରାଜ୍ୟରେ ୪୦ଟି ବାଘ ଥିବା ଗଣନାରୁ ଜଣାପଡ଼ିଥିଲା । ଏ ବର୍ଷ ଏହି ସଂଖ୍ୟା ବଢ଼ିବ ବୋଲି ବିଭାଗ ପକ୍ଷରୁ ଆଶାପ୍ରକଟ କରାଯାଇଛି ।

ଚଳିତ ବର୍ଷ ରାଜ୍ୟରେ ଡଲ୍‌ଫିନ୍‌ ସଂଖ୍ୟା ବଢ଼ିଛି ବୋଲି ବିଭାଗୀୟ ସଚିବ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି । ଭିତରକନିକା, ଗହୀରମଥା ସମୁଦ୍ରତଟରେ ୩୦୭ ଡଲ୍‌ଫିନ୍‌ ରହିଛି । ଚିଲିକାରେ ୧୬୨ ଡଲଫିନ୍‌ ରହିଥିବା ଗଣନାରୁ ଜଣାପଡ଼ିଛି। ଓଡ଼ିଶାରେ ଥିବା ଡଲ୍‌ଫିନ୍‌ଗୁଡ଼ିକ ଏରଓ୍ଵାଡ଼ି, ବଟଲ୍‌ନୋଜ୍‌, ହମ୍ପ୍‌ବ୍ୟାକ୍‌ ପ୍ରଜାତିର ।