କଡ଼ ଲେଉଟାଉଛି କେନ୍ଦ୍ରାପଡା ରାଜନୀତି? ଦଳ ଡେଉଁଛନ୍ତି ଟିକେଟ୍ ଆଶାୟୀ

759

କନକ ବ୍ୟୁରୋ: କେନ୍ଦ୍ରାପଡା ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ଆଜି ନେତା ଗୋଟିଏ ଦଳରେ ଥିବାବେଳେ ସେମାନେ ଆଉ ଗୋଟିଏ ଦଳରେ ସାମିଲ ହେଉଛନ୍ତି । ନିଜ ସମର୍ଥକଙ୍କୁ ନୂଆ ଦଳରେ ସାମିଲ କରାଉଛନ୍ତି । ଯାହାକି ରାଜନଗର, କେନ୍ଦ୍ରାପଡା, ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀ ସମେତ ପୂରା ସଂସଦୀୟ କ୍ଷେତ୍ରର ରାଜନୀତିକୁ ପ୍ରଭାବିତ କରିବ ବୋଲି କୁହାଯାଉଛି ।

ସମସ୍ତଙ୍କୁ ଚମକାଇ ଦେଇ ଗୀତାଞ୍ଜଳି ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଦଳର ଶୀର୍ଷ ନେତୃତ୍ୱଙ୍କ ଉପସ୍ଥିତିରେ ଗେରୁଆ ରଂଗର ଟୋପି ପିନ୍ଧିବା ସହ ପଦ୍ମ ଧରିଛନ୍ତି । ତାଙ୍କ ସହ ତାଙ୍କର ସମର୍ଥକମାନେ ମଧ୍ୟ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ବିଜେପିରେ ମିଶିବା ପରେ ଗୀତାଞ୍ଜଳି କହିଛନ୍ତି କେନ୍ଦ୍ରାପଡାର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ସେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି ।

ଗୀତାଞ୍ଜଳିଙ୍କ ପୂର୍ବରୁ କେନ୍ଦ୍ରାପଡାର ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ ବିଜେଡି ଛାଡି କଂଗ୍ରେସରେ ସାମିଲ ହୋଇଥିଲେ । ତାଙ୍କୁ କଂଗ୍ରେସ କେନ୍ଦ୍ରାପଡା ବିଧାନସଭା ଆସନରୁ ପ୍ରାର୍ଥୀ କରିଛି । କିଛି ଦିନ ପୂର୍ବରୁ କେନ୍ଦ୍ରପଡା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅଶୋକ ପ୍ରତିହାରୀ ମଧ୍ୟ ବିଜେଡି ଛାଡି କଂଗ୍ରେସରେ ସାମିଲ ହୋଇଥିଲେ । ଅଶୋକଙ୍କୁ କଂଗ୍ରେସ ରାଜନଗରରୁ ବିଧାୟକ ପ୍ରାର୍ଥୀ କରିଛି ।.. ସେହିପରି ବରିଷ୍ଠ ନେତା ଗଣେଶ୍ୱର ବେହେରା ବିଜେଡିରେ ଯୋଗଦେବା ପରେ ତାଙ୍କୁ କେନ୍ଦ୍ରାପଡା ବିଧାନସଭା ଆସନରୁ ପ୍ରାର୍ଥୀ କରିଛି ଦଳ । ଡେରାବିଶ୍ ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ଟିକେଟ ଆଶାୟୀ ସରୋଜ କାନ୍ତ ସାହୁ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ । ଅନ୍ୟପଟେ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଥିଲେ ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି । ତାଙ୍କୁ ବିଜେଡି କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ କରିଛି । ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ମଧ୍ୟ ବିଜେଡିରେ ସାମିଲ ହୋଇଥିଲେ । ଅରବିନ୍ଦଙ୍କୁ ବିଜେଡି ପାଟକୁରାରୁ ପ୍ରାର୍ଥୀ କରିଛି । ନେତାଙ୍କ ଏହି ଦଳ ଡିଆଁ କେନ୍ଦ୍ରାପଡା ରାଜନୀତିକୁ ପୂରା ଗୋଳିଆ କରିଦେଇଛି ।

ତେବେ ନେତାଙ୍କ ଏହି ଦଳ ଡିଆଁ ଭିତରେ ତୃଣମୂଳ ସ୍ତରର କର୍ମୀ ଓ ଭୋଟର କି ନିଷ୍ପତି ନେବେ? ଦଳ ଦେଖି ଭୋଟ ଦେବେ ନା ପ୍ରାର୍ଥୀଙ୍କ ସହ ସମ୍ପର୍କକୁ ନେଇ ଭୋଟ ଦେବେ? ତାହା ଚର୍ଚ୍ଚାର ବିଷୟ ହୋଇଛି । କାରଣ ଦଳ ବଦଳ କରିଥିବା ପ୍ରାୟ ସବୁ ନେତାଙ୍କର ନିଜ ନିଜ ଅଂଚଳରେ ସଂଗଠନ ରହିଛି । ଆଉ ଯଦି ସେହି ଆଧାରରେ ଭୋଟର ପ୍ରଭାବିତ ହୁଅନ୍ତି ତାହେଲେ, ଜିଲ୍ଲା ରାଜନୀତିରେ ନୂଆ ସମୀକରଣ ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି ।