ସୁନାବେଶକୁ ନେଇ ରହିଛି ଅନେକ ଲୋକକଥା। ସୁନାବେଶ ପ୍ରଚଳନର ଇତିହାସ ସମ୍ପର୍କରେ ପୂରା ତଥ୍ୟ ପଢନ୍ତୁ…

178

କନକ ବ୍ୟୁରୋ: ମହାପ୍ରଭୁଙ୍କ ସୁନାବେଶ ଦେଖିବାକୁ ଶ୍ରୀକ୍ଷେତ୍ରରେ ଊକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ତେବେ ସୁନାବେଶକୁ ନେଇ ଅନେକ ଲୋକକଥା ମଧ୍ୟ ରହିଛି । ଲୋକ କଥା ଦେଖିଲେ ସୁନାବେଶ ପ୍ରଚଳନର ଇତିହାସ ସମ୍ପର୍କରେ ଜଣାଯାଏ ଯେ, ଓଡ଼ିଆ ଜାତିର ପରମାରାଧ୍ୟ ଶ୍ରୀଜଗନ୍ନାଥଙ୍କୁ ରାଷ୍ଟ୍ର ଦେବତା ରୂପେ ସ୍ୱୀକାର କରି ଏ ରାଜ୍ୟର ରାଜା ମହାରାଜାମାନେ ସ୍ୱୟଂ ରାଉତ ବା ଆଦେଶ ବାହକ ରୂପେ ମହାପ୍ରଭୁଙ୍କ ସେବା ନିର୍ବାହ କରିଥିବା ପ୍ରମାଣ ଶିଳାଲେଖରୁ ମିଳୁଅଛି।

ତୃତୀୟ ଅନଙ୍ଗଭୀମ ଦେବ ଜଗନ୍ନାଥଙ୍କୁ ଉତ୍କଳର ପ୍ରକୃତ ରାଜା ଓ ନିଜକୁ ତାଙ୍କର ସେବକ ଭାବେ ସର୍ବପ୍ରଥମେ ଘୋଷଣା କରିଥିଲେ। ପରେ ତାଙ୍କ ପୁତ୍ର ଭାବେ ଲାଙ୍ଗୁଳା ନରସିଂହ ଦେବ ମଧ୍ୟ ନିଜକୁ ପୁରୁଷୋତ୍ତମ ପୁତ୍ର ଭାବେ ଅଭିହିତ କରିଥିଲେ। ଭାନୁଦେବ ତୃତୀୟ ଜଗନ୍ନାଥଙ୍କୁ ରାଜାଧିରାଜ ରୂପେ ସ୍ୱୀକାର କରି ମହାପ୍ରଭୁଙ୍କ ନାମରେ ଅଙ୍କଗଣନା ଆରମ୍ଭ କରିଥିଲେ । ସୂର୍ୟ୍ୟବଂଶୀ ରାଜା କପିଳେନ୍ଦ୍ର ଦେବ ଜଗନ୍ନାଥଙ୍କୁ ଜାତୀୟ ଦେବତା ରୂପେ ପ୍ରଚାରିତ କରି ନିଜକୁ ତାଙ୍କର ସେବକ ଭାବେ ସ୍ୱୀକାର କରିଥିଲେ । ଏପରିକି ଅନଙ୍ଗଭୀନ ଦେବ ଓ ପୁରୁଷୋତ୍ତମ ଦେବ ଜଗନ୍ନାଥଙ୍କୁ ଓଡ଼ିଶାର ରାଜା ରୂପେ ମାନ୍ୟତା ପ୍ରଦାନ ପୂର୍ବକ ଉଭୟ ଦୁଇବର୍ଷ ଧରି ଅଭିଷେକ ହୋଇନଥିଲେ ।

କେତେକ ଗବେଷକଙ୍କ ମତରେ ରଥ ଉପରେ ଠାକୁରମାନଙ୍କ ଏହି ବେଶର ନାମ ବଡ଼ ବଢା଼ଉ ବେଶ । ବଡ଼ତଢାଉ ବେଶ ମତରେ କପିଳେନ୍ଦ୍ରଦେବ ୧୪୬୦ରେ ଦକ୍ଷିଣ ବିଜୟରୁ ଫେରିବା ବେଳେ ୧୬ଟି ହାତୀ ପିଠିରେ ବୋଝେଇ ସୁନାଅଳଙ୍କାର ଆଣିଥିଲେ ı ଏହାକୁ ମହାପ୍ରଭୁଙ୍କୁ ସମର୍ପଣ କରିଥିବା ନେଇ ଜୟବିଜୟ ଦ୍ୱାରସ୍ଥିତ ଶିଳାଲେଖରେ ସୂଚନା ରହିଛି । ଅଳଙ୍କାର ସମ୍ପର୍କରେ ରାଜା ବଡ଼ତଢାଉଙ୍କ ପରାମର୍ଶ ନେଇଥିଲେ । ରତ୍ନବେଦିରେ ମହାପ୍ରଭୁଙ୍କ ବିଭିନ୍ନ ବେଶକୁ ସବୁବର୍ଗରେ ଭକ୍ତ ଦର୍ଶନ କରି ପାରୁନାହାନ୍ତି ତେଣୁ ରଥ ଉପରେ ସବୁବର୍ଗର ଦର୍ଶନ ପାଇଁ ମହାପ୍ରଭୁଙ୍କ ସୁନାବେଶ କରେଇବାକୁ ବଡ଼ତଢାଉ ରାଜାଙ୍କୁ ବିନତି କରିଥିଲେ । ଦକ୍ଷିଣାଭିମୁଖୀ ଯାତ୍ରାରେ ତିନି ରଥ ସିଂହଦ୍ୱାରରେ ପହଞ୍ଚିବା ପରେ ବଡ଼ ଏକାଦଶୀ ଦିନ ରଥ ଉପରେ ସୁନାବେଶ କରିବାକୁ ରାଜା ଅନୁମତି ଦେଇଥିଲେ ।