ବିଦ୍ରୋହୀଙ୍କୁ ଆଦିତ୍ୟ ଠାକରେଙ୍କ ଖୋଲା ଚ୍ୟାଲେଞ୍ଜ । କହିଲେ ସାହସ ଅଛି ତ ନିର୍ବାଚନ ଲଢ

206

କନକ ବ୍ୟୁରୋ : ଶିବସେନାର ବଦ୍ରୋହୀ ଗୋଷ୍ଠୀ ସରକାର ଗଠନ କରିବାରେ ସଫଳ ହୋଇଥିଲେ ବି ମହାରାଷ୍ଟ୍ର ରାଜନୀତିରେ ଏବେ ବି ଭରି ରହିଛି ଉଷ୍ମତା । ଏହି ଲଢେଇ ପ୍ରଥମେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଇସ୍ତଫା ପର୍ଯ୍ୟନ୍ତ ସୀମିତ ଥିବା ବେଳେ ଏବେ ଏହା ଶିବସେନାର ସମ୍ମାନ ପର୍ଯ୍ୟନ୍ତ ଆସିଯାଇଛି । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବାରମ୍ବାର ଦାବି କରୁଛନ୍ତି କି ଅସଲି ଶିବସେନା ତାଙ୍କ ପାଖରେ ରହିଛି ତ ସେପଟେ ଉଦ୍ଧବ ଠାକରେ କହିଛନ୍ତି କି, କୌଣସି ପରିସ୍ଥିତିରେ ଶିବସେନାକୁ ସିନ୍ଦେଙ୍କ ହାତକୁ ଯିବାକୁ ଦିଆଯିବ ନାହିଁ ।

ଏସବୁ ଭିତରେ ଆଜି ଉଦ୍ଧବ ଠାକରେଙ୍କ ପୁଅ ତଥା ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଉଦ୍ଧବ ଠାକରେ ବିଦ୍ରୋହୀ ମାନଙ୍କ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ସେ କହିଛନ୍ତି ଅସଲି ଶିବସେନା ନେତାମାନେ ଏବେ ଦଳରେ ରହିଛନ୍ତି । କେବଳ ନକଲିମାନେ ଏକ ଗୋଷ୍ଠୀ ଗଠନ କରି ଦଳକୁ ଧୋକ୍କା ଦେଇଛନ୍ତି । ଏହାସହ ସେ ବିଦ୍ରୋହୀମାନଙ୍କୁ ଚେତାବନୀ ଦେଇ କହିଛନ୍ତି କି ଯଦି ସାହସ ଅଛି ତେବେ ନିର୍ବାଚନ ଲଢି ନିଜକୁ ପ୍ରମାଣିତ କର । ଏହାସହ ଏବେ ବି ଯେଉଁମାନେ ପୁଣି ଦଳକୁ ଫେରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଦ୍ୱାର ଖୋଲାଅଛି ବୋଲି ଆଦିତ୍ୟ ସ୍ପଷ୍ଟ କରିଛନ୍ତି ।

କହିରଖୁ କି ଆଦିତ୍ୟ ଠାକରେ ଏବେ ବି ଆଶା ରଖିଛନ୍ତି କି ବିଦ୍ରୋହୀ ବିଧାୟକଙ୍କ ମଧ୍ୟରୁ କିଛି ବିଧାୟକ ପୁଣି ଦଳକୁ ଫେରିବେ । ସେପଟେ ଏବେ ଉଦ୍ଧବଙ୍କ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ ହେଉଛି ବିଏମସି ନିର୍ବାଚନ । କାରଣ ବିଏମସି ସର୍ବଦା ଶିବସେନା ଦଖଲରେ ରହି ଆସିଛି । ହେଲେ ଏବେର ପରିସ୍ଥିତିରେ ଉଦ୍ଧବ ବିଏମସି ନିର୍ବାଚନରେ ସଫଳ ହେଲେ ତାହା ହିଁ ତାଙ୍କ ଲୋକପ୍ରିୟତାର ପ୍ରମାଣ ହେବ ।