ରୋପ ୱେ ରେ ଝୁଲି ରହିଲେ ବିଧାୟକ ସମେତ ୭୦ ଲୋକ, ଜାଣନ୍ତୁ କେମିତି ହେଲେ ଉଦ୍ଧାର

160

କନକ ବ୍ୟୁରୋ : ଉତ୍ତରାଖଣ୍ଡ ଟେହରୀ ଠାରେ ଏକ ବଡ ଦୁର୍ଘଟଣାରୁ ରକ୍ଷା ପାଇଯାଇଛନ୍ତି ୭୦ ଜଣ ଲୋକ । ଏଠାରେ ସୁରକଣ୍ଡା ମନ୍ଦିରକୁ ଯିବାକୁ ଥିବା ଏକମାତ୍ର ରୋପ ୱେ ଅଚାନକ ଖରାପ ହୋଇଯିବାରୁ ମଝି ଆକାଶରେ ଫଶି ଯାଇଥିଲେ ବିଧାୟକଙ୍କ ସମେତ ୭୦ ଜଣ ଲୋକ । ପାଖା ପାଖି ୪୫ ମିନିଟ ମୃତ୍ୟୁକୁ ପାଖରୁ ଦେଖି ରୋପ ୱେରେ ସେମାନେ ଝୁଲି ରହିଥିବା ବେଳେ ସେମାନଙ୍କୁ କୌଣସି ପ୍ରକାର ଉଦ୍ଧାର କରାଯାଇଛି । ଏହି ରୋପ ୱେରେ ଝୁଲି ରହିଥିବା ଲୋକଙ୍କ ମଧ୍ୟରେ ସ୍ଥାନୀୟ ବିଧାୟକ କିଶୋର ଉପାଧ୍ୟାୟ ମଧ୍ୟ ଥିଲେ । ବିଧାୟକ ଜଣଙ୍କ ନିଜ ଫୋନରେ ଏହି ସମୟର ଭିଡିଓ ରେକର୍ଡ କରି ପୋଷ୍ଟ କରିବା ପରେ ଏବେ ଏହାକୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି ।

ଉଦ୍ଧାର ହେବା ପରେ ବିଧାୟକ କିଶୋର ଉପାଧ୍ୟାୟ ସ୍ଥାନୀୟ ପର୍ଯ୍ୟଟନ ବିଭାଗ ଓ ରୋପ ୱେ ଦାୟୀତ୍ୱରେ ଥିବା ଲୋକଙ୍କ ସହ ଆଲୋଚନା କରି ଭବିଷ୍ୟତରେ ଏଭଳି ସମସ୍ୟା କିଭଳି ଦେଖା ନଦେବ ସେନେଇ ପ୍ରତିଶ୍ରୁତି ଦେଇଛନ୍ତି । ସେ କହିଛନ୍ତି କି କୌଣସି ଲୋକର ଜୀବନକୁ ଜାଣିଶୁଣି ଏଭଳି ବିପଦରେ ପକାଯାଇ ପାରିବ ନାହିଁ ।

ବିଧାୟକ କହିଛନ୍ତି କି ରୋପ ୱେ ଚାଲିବା ଆରମ୍ଭ କରିବା ବେଳେ କିଛି ସମସ୍ୟା ଦେଖାଦେଇଥିଲା । ହେଲେ ସୌଭାଗ୍ୟକୁ ଏହି ଟ୍ରଲିରେ କୌଣସି ହୃଦରୋଗୀ କିମ୍ବା ରକ୍ତଚାପ ରୋଗୀ ନଥିଲେ । ନହେଲେ ସେହି ମଝି ଆକାଶରେ ସେମାନଙ୍କର ମୃତ୍ୟୁ ହୋଇଯାଇଥାନ୍ତା ବୋଲି ସେ କହିଛନ୍ତି ।

କହିରଖୁ କି ଏହା ପୂର୍ବରୁ ମେ’ ୫ ତାରିଖରେ ମଧ୍ୟ ପ୍ରଦେଶର ସତନା ଜିଲ୍ଲା ଶାରଦା ଶକ୍ତିପୀଠରେ ସମାନ ଘଟଣା ଦେଖିବାକୁ ମିଳିଥିଲା । ୨୮ ଜଣ ଶ୍ରଦ୍ଧାଳୁ ରୋପ ୱେ ଟ୍ରଲିରେ ଯାଉଥିବା ବେଳେ ମଝି ରାସ୍ତାରେ ଟ୍ରଲି ଖରାପ ହେବାରୁ ସେମାନେ ସେଠାରେ ଫଶି ଯାଇଥିଲେ । ଏହାପରେ ଟେକ୍ନିକାଲ ଟିମ୍ ସହାୟତାରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା ।