ରାଜ୍ୟରେ ୧୮ ଶହ ଟପିଲା ଦୈନିକ ସଂକ୍ରମଣ । ଓଡିଶା ସମେତ ୯ଟି ରାଜ୍ୟକୁ ଟେଷ୍ଟିଂ ବଢାଇବାକୁ କେନ୍ଦ୍ରର ପରାମର୍ଶ

165

କନକ ବ୍ୟୁରୋ: ଦେଶରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ପରେ ବିଶେଷଜ୍ଞ ଆଶଙ୍କା କରିଥିଲେ ଜାନୁୟାରୀ, ଫେବୃୟାରୀରେ ସଂକ୍ରମଣ ସ୍ଥିତି ଗମ୍ଭୀର ହୋଇପାରେ । ଆଉ ସେହି ଆଶଙ୍କା ଏବେ ସତ ହେବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ ୯୧ ହଜାର ପାଖାପାଖି ନୂଆ ମାମଲା ଆସିଛି । ଭାରତରେ କରୋନାର ଦୈନିକ ସଂକ୍ରମଣ ପୁଣି ରେକର୍ଡ କରିଛି । ଗତ ୨୪ ଘଣ୍ଟାରେ ୯୦ ହଜାର ୯୨୮ ନୂଆ ମାମଲା ସାମ୍ନାକୁ ଆସିଛି । ସେହିପରି ୩୨୫ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ବୁଧବାର ଅପେକ୍ଷା ଗୁରୁବାର ସଂକ୍ରମଣ ହାର ୫୬.୫ ପ୍ରତିଶତ ବୃଦ୍ଧି ଘଟିଛି । ଡିସେମ୍ବର ୨୭ ତାରିଖରେ ୬,୩୫୮ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ଆଉ ଜାନୁୟାରୀ ୬ ତାରିଖରେ ୯୦,୯୨୮ ମାମଲା ଆସିଛି ଅର୍ଥାତ୍ ଗତ ୧୦ ଦିନରେ ଦୈନିକ ସଂକ୍ରମଣ ୧୫ ଗୁଣା ବଢିଯାଇଛି ।

ବିଶେଷ କରି ମହାରାଷ୍ଟ୍ର, ଦିଲ୍ଲୀ , ପଶ୍ଚିମବଙ୍ଗ, କେରଳ ଓ ତାମିଲନାଡୁରେ ଦ୍ରୁତ ସଂକ୍ରମଣ ଚିନ୍ତା ବଢାଇ ଦେଇଛି । ଦିନକରେ ଚିହ୍ନଟ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଏହି ୫ ରାଜ୍ୟରୁ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୬୬.୯୭ ପ୍ରତିଶତ । ସେପଟେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୬୩୦ରେ ପହଞ୍ଚିଛି । ଏପଟେ ରାଜ୍ୟରେ ମଧ୍ୟ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୧୮୯୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିନ୍ତାର କଥା ହେଉଛି ଆକ୍ତାନ୍ତଙ୍କ ମଧ୍ୟରେ ଅଛନ୍ତି ୨୫୮ ଜଣ ଛୋଟ ପିଲା । ଖୋର୍ଦ୍ଧାରୁ ସର୍ବାଧିକ ୬୬୯ ପଜିଟିଭ ଚିହ୍ନଟ ହୋଇଛି । ସୁନ୍ଦରଗଡ, କଟକ, ସମ୍ବଲପୁରରୁ ନୂଆ ମାମଲା ଶହେ ଟପିବା ଚିନ୍ତା ବଢାଇ ଦେଇଛି ।

ରାଜ୍ୟରେ ଏବେ ଦୈନିକ ପଜିଟିଭିଟି ରେଟ୍ ମାତ୍ର ୨୪ ଘଣ୍ଟାରେ ୧.୭୭ ପ୍ରତିଶତରୁ ୨.୬୨ ପ୍ରତିଶତକୁ ବୃଦ୍ଧି ପାଇଛି । ସେପଟେ ଓଡିଶାରେ ଚିହ୍ନଟ ୬୧ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ ସୁସ୍ଥ ହୋଇଛନ୍ତି । ଓମିକ୍ରନ ଭୂତାଣୁର ଦ୍ରୁତ ସଂକ୍ରମଣକୁ ଆଖିରେ ରଖି କେନ୍ଦ୍ର ସରକାର ଓଡିଶା, ୟୁପି, ବିହାର ସମେତ ୯ଟି ରାଜ୍ୟକୁ ଆରଟିପିସିଆର ଟେଷ୍ଟ ବୃଦ୍ଧି କରିବାକୁ କହିଛନ୍ତି । ଏଥିସହ ଆକ୍ରାନ୍ତ ଯେପରି ଲୋକଙ୍କ ସଂସ୍ପର୍ଶରେ ଆସି ସଂକ୍ରମଣ ବୃଦ୍ଧି ନକରନ୍ତି, ସେଥିପ୍ରତି ନଜର ରଖିବାକୁ ସତର୍କ କରାଇ ଦିଆଯାଇଛି ।