ବିଧାନସଭାରେ ଚାଲିଛି ଶୀତ ଅଧିବେଶନ, ପଦ୍ମପୁରରେ ପ୍ରଚାର କରୁଛନ୍ତି ମନ୍ତ୍ରୀ: କକ୍ଷତ୍ୟାଗ କଲେ ବିଜେପି ସଦସ୍ୟ

90

କନକ ବ୍ୟୁରୋ: ଗୋଟିଏ ପଟେ ସମବାୟ ମନ୍ତ୍ରୀଙ୍କ ବଦଳରେ ବିଧାନସଭାରେ ଉତର ରଖୁଛନ୍ତି ପଂଚାୟତରାଜ ମନ୍ତ୍ରୀ ପ୍ରଦୀପ ଅମାତ । ଆଉ ଅନ୍ୟପଟେ ପଦ୍ମପୁର ଉପନିର୍ବାଚନ ପାଇଁ ସେଠାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ଯାହାକୁ ବିରୋଧ କରି ଅସନ୍ତୋଷ ପ୍ରକାଶ କରିବା ସହ ବାଚସ୍ପତିଙ୍କ ପୋଡିୟମ ତଳେ ଧାରଣା ଦେଇଥିଲେ ବିଜେପି ବିଧାୟକ । ହେଲେ, ଧାରଣା ଦେବା ପରେ କିଛି ଫଳ ନମିଳିବାରୁ ଶେଷରେ କକ୍ଷତ୍ୟାଗ କରିଥିଲେ ବିଜେପି ସଦସ୍ୟ ।

କେବଳ ସମବାୟ ମନ୍ତ୍ରୀ ନୁହଁନ୍ତି, ବିଧାନସଭାର ଶୀତ ଅଧିବେଶନ ଚାଲିଥିଲେ ବି ପଦ୍ମପୁରରେ ଡେରା ପକାଇଛନ୍ତି ରାଜ୍ୟ ସରକାରଙ୍କ ଆହୁରି ଅନେକ ମନ୍ତ୍ରୀ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଶନିବାର ପ୍ରଚାର କରିଛନ୍ତି, କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ, ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ, ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଓ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ଯାହାକୁ କଡା ସମାଲୋଚନା କରିଛି ବିଜେପି । ବିଜେପି ବିଧାୟକ ପ୍ରଶ୍ନ କରିଛନ୍ତି, ରାଜ୍ୟ ସରକାରଙ୍କ ପାଇଁ ବିଧାନସଭା ବଡ ନା ପଦ୍ମପୁର ଉପନିର୍ବାଚନ ବଡ ।

ବିଜେପିର ଅଭିଯୋଗ ପରେ ଜବାବ ରଖିଛି ବିଜେଡି । ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି, ଏହା ଏକ ସାମୁହିକ ଦାୟିତ୍ୱ । ଯଦି ମନ୍ତ୍ରୀ ଅନୁପସ୍ଥିତ ରହିବେ ସେ ଅନ୍ୟମନ୍ତ୍ରୀଙ୍କୁ  ପ୍ରସ୍ତାବ ଦେବେ । ସେହି ପ୍ରସ୍ତାବକୁ ବାଚସ୍ପତି ସମ୍ମତି ଦେଲେ ସେ ଉତ୍ତର ରଖିପାରିବେ । ଏମିତି କି ବିଧାୟକଙ୍କ ପ୍ରଶ୍ନ ଆଉ ଜଣେ ମଧ୍ୟ ପଚାରି ପାରିବେ । .. ଅନ୍ୟପଟେ ବିଜେପି ବିଧାୟକମାନେ ଆଲୋଚନାରେ ଭାଗ ନନେବାକୁ ନେଇ ସମାଲୋଚନା କରିଛି କଂଗ୍ରେସ ।

ଦୁଇ ଦିନ ହୋହଲା ପରେ ତୃତୀୟ ଦିନରେ ସ୍ୱାଭାବିକ ଭାବେ ଚାଲିଥିଲା ବିଧାନସଭା । ପ୍ରଶ୍ନକାଳ ପରେ ଚାଷୀ ପ୍ରସଙ୍ଗରେ କଂଗ୍ରେସ ଆଣିଥିବା ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ହେଲେ, ଆଲୋଚନାରେ ବିଭାଗୀୟ ମନ୍ତ୍ରୀଙ୍କ ବଦଳରେ ଉତର ରଖିଥିଲେ ପଂଚାୟତରାଜ ମନ୍ତ୍ରୀ । ଦୁଇ ଦିନ ତଳେ ଅର୍ଥମନ୍ତ୍ରୀଙ୍କ ବଦଳରେ ଅତିରିକ୍ତ ବଜେଟ ଉପସ୍ଥାପନ କରିଥିଲେ ପଂଚାୟତରାଜ ମନ୍ତ୍ରୀ । ଯାହାକୁ ନେଇ ରାଜନୈତିକ ବୟାନବାଜି ହୋଇଥିଲା ।