ପଦ୍ମପୁରରେ ଅଣଦେଖା ବୁଣାକାର। ଚାଷୀ ପରେ ବଡ ବର୍ଗଙ୍କୁ ଭୁଲିଯାଇଛନ୍ତି ନେତା।

83

କନକ ବ୍ୟୁରୋ: ପଦ୍ମପୁର ନିର୍ବାଚନମଣ୍ଡଳିର ୬୦ ପ୍ରତିଶତ ଚାଷୀ ପରିବାର ଥିବା ବେଳେ ୨୦ ପ୍ରତିଶତ ଅଛନ୍ତି ବୁଣାକାର ପରିବାର । ଆଉ ବୁଣାକାରଙ୍କ ଏହି ଭୋଟ ବ୍ୟାଙ୍କକୁ ନିଜ ସପକ୍ଷକୁ ନେବା ପାଇଁ ପ୍ରଚାରରେ ଆସି ନେତା ନାନା ପ୍ରତିଶ୍ରୁତି ଦେଉଛନ୍ତି । ଗ୍ରାଉଣ୍ଡ ଜିରୋକୁ ଯାଇ ବୁଣାକାରଙ୍କ ସମସ୍ୟା ଓ ସ୍ଥିତି ପରଖିଛି କନକ ନ୍ୟୁଜ ଟିମ୍ । ସମୟ ଗଡୁୁଛି, ଜନ ପ୍ରତିନିଧି ବଦଳୁଛନ୍ତି । ହେଲେ ପଦ୍ମପୁର ଅଞ୍ଚଳର ବୁଣାକାରଙ୍କ ଦୁଃଖ ସରୁନାହିଁ । ଖଇରପାଲି ଗାଁରେ ପ୍ରାୟ ୩ ହଜାର ବୁଣାକାର ପରିବାର ଅଛନ୍ତି । ପ୍ରତିଦିନ ୨୫ଶହରୁ ୩ ହଜାର ଶାଢୀ ବୁଣା ହେଉଛି । ୮ଶହରୁ ଆରମ୍ଭ କରି ୪୦ ହଜାର ଟଙ୍କାର ଶାଢୀ ଖଇରିପାଲିର କାରିଗର ତିଆରି କରୁଛନ୍ତି । ଏଠାରୁ ଶାଢୀ ଦେଶ ବିଦେଶକୁ ମଧ୍ୟ ଯାଉଛି । ହେଲେ ପାଖରେ ବଜାର ସୁବିଧା ନଥିବାରୁ ଭଲ ବିକ୍ର ହେଉନାହିଁ ବୋଲି ବୁଣାକାର କହିଛନ୍ତିା

ବଜାରରେ ସମ୍ବଲପୁରୀ ଶାଢିର ଚାହିଦା ରହିଛି, କିନ୍ତୁ ଶାଢୀ ବୁଣି ପରିବାର ଚଳା଼ଇବା କଷ୍ଟକର ହୋଇପଡିଛି । କରୋନା ବିପର୍ଯ୍ୟୟ ପରେ ଜିଏସଟି ମାଡ ବୁଣାକାର ପରିବାରଙ୍କ ଦୁଃଖ ବଢାଇଦେଇଛି । ଜିଏସଟି ବୃଦ୍ଧି ଯୋଗୁଁ ବୁଣାକାର ତାଙ୍କ ଆୟର ସିଂହଭାଗ ଟିକସ ବାବଦରେ ପୈଠ କରୁଛନ୍ତି । ପୂର୍ବରୁ ୫% ଜିଏସଟି ଦେଉଥିଲେ । ଏବେ ୧୮% ଜିଏସଟି ଗଣୁଛନ୍ତି । ପୂର୍ବରୁ ୧ ବେଲ ସୁତାକୁ ୩୮ହଜାର ଟଙ୍କା ଦେଇ କିଣୁଥିଲେ । ଏବେ ଜିଏସଟି ଯୋଗୁଁ ୧ ବେଲ ସୁତାକୁ ୫୮ହଜାର ଟଙ୍କା ଦେଇ କିଣିବାକୁ ପଡୁଛି ।

ଖଇରିପାଲିର ଶାଢୀ ମେସିନ କାରଖାନାରେ ଦୈନିକ ମହିଳା ଓ ପୁରୁଷକୁ ମିଶାଇ ୧୫ ଜଣ କାରିଗର କାମ କରୁଛନ୍ତି । ସେମାନଙ୍କ ଦୈନିକ ମଜୁରୀ, ସୁତାର ଦାମ, ଶାଢି ତିଆରି ପାଇଁ ପରିଶ୍ରମକୁ ହିସାବ କଲେ ଶାଢି ବିକ୍ରିରୁ ମିଳୁଥିବା ଟଙ୍କା ସେମାନଙ୍କୁ ଲାଭ ଦେଉ ନାହିଁ ବୋଲି କହିଛନ୍ତି କାରିଗର । ନିର୍ବାଚନ ଆସେ ଓ ଯାଏ । ହେଲେ ବୁଣାକାରଙ୍କ ପାଇଁ କୌଣସି ସୁବିଧା ହୁଏ ନାହିଁ । ନେତା, ମନ୍ତ୍ରୀ କେହି ବୁଣାକାରଙ୍କ କଥା ବୁଝନ୍ତି ନାହିଁ ବୋଲି କ୍ଷୋଭର ସହ ବୁଣାକାର କନକ ନ୍ୟୁଜ କ୍ୟାମେରାରେ କହିଛନ୍ତି ।