୫୦ ହଜାରରେ ବିକ୍ରି ହେବ ରଥ ଚକ। ମିଳିଛି ୬୦ରୁ ଅଧିକ ଆବେଦନ, ବିଦେଶରୁ ରହିଛି ଦୁଇ

115

କନକ ବ୍ୟୁରୋ; ବିକ୍ରି ହେବ ଶ୍ରୀଜିଉଙ୍କ ରଥର ଚକ । ଦୀର୍ଘ ୫ବର୍ଷ ପରେ ପୁଣି ଥରେ ରଥ ଚକ ବିକ୍ରି ପ୍ରକ୍ରିୟା ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ । ରଥର ପ୍ରତ୍ୟେକ ଚକର ଦାମ ୫୦ହଜାର ଟଙ୍କା, ପ୍ରଭା ୨୫ ହଜାର ଟଙ୍କା ଓ ଗୁଜର ଦର ୧୦ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି । ଶ୍ରୀଗୁଣ୍ଡିଚା ମନ୍ଦିରରେ ଖତ ଖାଉଥିବା ମହାପ୍ରଭୁଙ୍କ ତିନି ରଥର ଏକାଧିକ ଚକକୁ ମରାମତି କରାଯାଇ ବିକ୍ରି ପ୍ରକ୍ରିୟା ଆରମ୍ଭ ହୋଇଛି ।

ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତି ଅନୁସାରେ ହୋଇଥିବା ଏସଓପି ଜରିଆରେ ରଥ ଚକ କେଉଁମାନଙ୍କୁ ଦିଆଯିବ, ତାହାର ଏକ ତାଲିକା ମଧ୍ୟ ଚୟନ କରାଯାଇଛି । ଚଳିତ ଥର ରଥଚକ କିଣିବା ପାଇଁ ୬୦ରୁ ଅଧିକ ଆବେଦନ ଆସିଥିଲା ବେଳେ ବିଦେଶରୁ ଦୁଇଟି ଆବେଦନ ହୋଇଛି । ବିଦେଶରେ ଜଗନ୍ନାଥ ସଂସ୍କୃତି ପ୍ରଚାର ପ୍ରସାର କରୁଥିବା ଦୁଇଟି ଅନୁଷ୍ଠାନ ଆବେଦନ କରିଛନ୍ତି । ଶ୍ରୀମନ୍ଦିର ପ୍ରଶାସନର ଏସଓପି ଅନୁସାରେ ଧାର୍ମିକ ଅନୁଷ୍ଠାନ ସହ ସରକାରୀ କାର୍ଯ୍ୟାଳୟକୁ ରଥ ଚକ ଦାନ ସୂତ୍ରରେ ଦିଆଯାଇଥାଏ । ରଥ ଚକ ଦେବା ପାଇଁ ୪ଟି ବର୍ଗ କରାଯାଇଛି । ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରୁଥିବା ମନ୍ଦିର, ମଠ, ଧାର୍ମିକ ଅନୁଷ୍ଠାନକୁ ପ୍ରାଥମିକତା ଭିତିରେ ଚକ ଦାନ କରାଯାଇଥାଏ । ଦ୍ୱିତୀୟ ବର୍ଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସରକାରୀ କାର୍ଯ୍ୟାଳୟ, ତୃତୀୟ ବର୍ଗରେ କର୍ପୋରେଟର ହାଉସ ଓ ଚତୁର୍ଥ ବର୍ଗରେ ସାଧାରଣ ବ୍ୟକ୍ତି ବିଶେଷଙ୍କୁ ଦିଆଯିବାର ବ୍ୟବସ୍ଥା ରହିଛି ।

ପରିଚାଳନା କମିଟି ପକ୍ଷରୁ ପ୍ରସ୍ତୁତ ତାଲିକା ଅନୁସାରେ ରଥ ଚକ ଅନ୍ୟାନ୍ୟ ଅଂଶ ଦିଆଯାଉଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ । ତେବେ ରଥ ଚକ ଓ ଏହାର ଅଂଶର ସଂରକ୍ଷଣ ପାଇଁ ନିର୍ଦ୍ଧିଷ୍ଟ ନିୟମାବଳୀ ରହିଛି । କେମିତି ରଥ ଚକକୁ ଧାର୍ମିକ ଭାବନା ସହ ସୁରକ୍ଷିତ ରଖିବେ ସେନେଇ ସ୍ୱତନ୍ତ୍ର ସର୍ତାବଳୀ ରହିଛି । ଦାନରେ ଦିଆଯାଇଥିବା ଚକ ଅବା ଅନ୍ୟ ଅଂଶରେ ଶ୍ରୀମନ୍ଦିର ପ୍ରଶାସନର ନାମ ଓ ଯୋଗାଯୋଗ ପାଇଁ ଫୋନ ନମ୍ବର ସହ ଇମେଲ ଆଇଡି ଉଲ୍ଲେଖ ରହିବ । ଯଦି କେହି ରଥ ଚକକୁ ସଂରକ୍ଷିତ ରଖିବାରେ ଅବେହଳା କରନ୍ତି କିମ୍ବା ଅପମାନିତ କଲା ଭଳି କିଛି କାର୍ଯ୍ୟ କରନ୍ତି, ତେବେ ଉଲ୍ଲେଖ ଥିବା ନମ୍ବରରେ ଯେ କେହି ଅଭିଯୋଗ କରିପାରିବେ । ୨୦୧୭ ମସିହା ପରେ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ୧୪୦ଟି ରଥ ଚକ ବିକ୍ରି ନ ହୋଇ ନଷ୍ଟ ହେଉଥିଲା । ଆଉ ଏବେ ରଥ ଚକ ବିକ୍ରି ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି ।