ପାଠ ଚାପରୁ ଘର ଛାଡିଥିଲେ ଛାତ୍ର । ମିଳିଲା ନିଖୋଜ ଛାତ୍ରର ସନ୍ଧାନ । ଡେଲାଙ୍ଗ ଜେନାପୁର ରେଳ ଷ୍ଟେସନରୁ ଉଦ୍ଧାର କଲା କମିସନରେଟ୍ ପୁଲିସ  

498

କନକ ବ୍ୟୁରୋ: ମିଳିଲା ନିଖୋଜ ବାଳକ । ୯ ଦିନ ପରେ ଜେନାପୁର ଷ୍ଟେସନରୁ ଠାବ ହେଲେ ଯୋଗେଶ ବାଲାଜୀ ଲିଙ୍ଗାଡେ । ୯ ଦିନ ଧରି କେଉଁଠି ଥିଲେ, କ’ଣ କରୁଥିଲେ, କ’ଣ ଖାଉଥିଲେ ଓ କେମିତି ବଞ୍ଚୁଥିଲେ, ତାକୁ ନେଇ ଚିନ୍ତାରେ ଥିଲା ପରିବାର । ଘର ଲୋକ ଅଭିଯୋଗ ଆଣିଥିଲେ, କେହି ଜଣେ ଅଜଣା ବ୍ୟକ୍ତି ଏକ ଅଜଣା ନମ୍ବରରୁ ମୁଣ୍ଡ ଜାମିନ ରଖି ୩ ଲକ୍ଷ ଟଙ୍କା ମାଗୁଛି । ସମସ୍ତଙ୍କୁ ଲାଗୁଥିଲା, ହୁଏତ ଟଙ୍କା ପାଇଁ ପୁଅକୁ ଅପହରଣ କରାଯାଇଛି । ହେଲେ ପୋଲିସ୍ ଉଦ୍ଧାର କରିବା ପରେ ସବୁ ସତ ସାମ୍ନାକୁ ଆସିଛି । ଏହା କୌଣସି ଅପହରଣ ନଥିଲା, ବରଂ ପରିବାରର ପାଠ ପଢ଼ା ଚାପ ଯୋଗୁଁ ନିଜ ଇଚ୍ଛାରେ ଘର ଛାଡ଼ି ଚାଲିଯାଇଥିଲେ ଯୋଗେଶ ।

ପୋଲିସର କହିବା ଅନୁସାରେ ପାଠ ପାଇଁ ଅଧିକ ଚାପ ନେଇପାରୁ ନଥିଲେ ଯୋଗେଶ । କିନ୍ତୁ ପରିବାରର ଇଛା ଥିଲା, ପୁଅ ମେଡିକାଲ ପାଠ ପଢ଼ିବ । ଆଉ ଏଥିପାଇଁ ଏନଆଇଟି ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ  ତାଙ୍କ ଉପରେ ଚାପ ପକାଉଥିଲେ ପରିବାର ଲୋକ । ନିଖୋଜ ହେବାର ୨ ଦିନ ପୂର୍ବରୁ ଯୋଗେଶ କ୍ଲାସ୍ ଆଟେଂଡ କରିନଥିଲେ । ଯେଉଁଥିପାଇଁ ପରିବାର ଲୋକେ ଯୋଗେଶକୁ ଗାଳି ଦେଇଥିଲେ, ଏହାକୁ ନେଇ ସେ ବେଶ୍ ଅସନ୍ତୁଷ୍ଟ ଥିଲେ ଓ ଘର ଛାଡ଼ି ଚାଲିଯିବାକୁ ନିଷ୍ପତି ନେଇଥିଲେ । ସାଙ୍ଗରେ ହଜାରେ ଟଙ୍କା ନେଇ ନିଜ ସାଇକେଲରେ ମୈତ୍ରୀ ବିହାର ନିଜ ଘରୁ ବାହାରି ଯାଇଥିଲେ ନାବାଳକ ଜଣକ । ଆଉ ବିଭିନ୍ନ ଜାଗାରେ ବୁଲାବୁଲି କରିଥିଲେ । ହେଲେ ପାଖରେ ଟଙ୍କା ସରିଯିବାରୁ ସେ ବାପାଙ୍କୁ ଫୋନ କରି ନିଜ ବାବଦରେ ତଥ୍ୟ ଦେଇଥିଲେ । ଆଉ ସେହି ଆଧାରରେ ପୋଲିସ୍ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା ।

ପାଠ ପଢ଼ା ପାଇଁ ପିଲାଙ୍କ ଉପରେ ଚାପ ପକାଇବା  ପରିବାର ପାଇଁ ସମସ୍ୟା ସୃଷ୍ଟି କଲା, ୯ ଦିନ ଯାକ ଯୋଗେଶଙ୍କ ପରିବାର ଚିନ୍ତାରେ ଦିନ କାଟିଥିଲେ । ଅନ୍ୟପଟେ ଅଜଣା ନମ୍ବରରୁ ଫୋନ କରି କିଏ ପରିବାର ଲୋକଙ୍କୁ ଟଙ୍କା ମାଗୁଥିଲା, ତାକୁ ନେଇ ଛାନଭିନ କରୁଛି ପୋଲିସ୍ ।