ଡିଆରଡିଓର ନୂଆ ରେକର୍ଡ: ବେଙ୍ଗାଲୁରୁରେ ୪୫ ଦିନରେ ନିର୍ମାଣ କଲା ଅତ୍ୟାଧୁନିକ ବିଲଡିଂ

96

କନକ ବ୍ୟୁରୋ: ମାତ୍ର ୪୫ ଦିନରେ ଅତ୍ୟାଧୁନିକ ବିଲଡିଂ ତିଆରି କରି ରେକର୍ଡ ସୃଷ୍ଟି କଲା ଡିଆରଡିଓ । ନୂତନ ଜ୍ଞାନ କୌଶଳକୁ ଉପଯୋଗ କରି ବେଙ୍ଗାଲୁରୁ ଏରୋନଟିକାଲ ଡେଭଲପମେଂଟ ଏଷ୍ଟାବ୍ଲିସମେଂଟରେ ୭ ମହଲା ବିଶିଷ୍ଟ ଏକ ପ୍ରତିରକ୍ଷା ପ୍ରତିଷ୍ଠାନ ତିଆରି କରିଛି ଡିଆରଡିଓ । ଏଠାରେ ପତିରକ୍ଷା ଉପକରଣ ତିିଆରି ହେବା ସହ ଅନେକ ଅସ୍ତ୍ରସସ୍ତ୍ରର ବିକାଶ କରାଯିବ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହାର ଉଦଘାଟନ କରିଛନ୍ତି ।

ଭାରତର ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ ପୁଣି ଏକ ରେକର୍ଡ ସୃଷ୍ଟି କରିଛି । କର୍ଣ୍ଣାଟକ ବେଙ୍ଗାଲୁରୁରେ ମାତ୍ର ୪୫ ଦିନରେ ୭ ମହଲା ବିଶିଷ୍ଠ ଏଫସିଏସ ବା ଫ୍ଲାଇଟ କଂଟ୍ରୋଲ ସିଷ୍ଟମ କମ୍ଲେକ୍ସ ତିଆରି କରି ରେକର୍ଡ କରିଛି ଡିଆରଡିଓ । ମାତ୍ର ୪୫ ଦିନରେ ତିଆରି ହୋଇଥିବା ଏହି କମ୍ଲେକ୍ସରେ ନୂତନ ଜ୍ଞାନକୌଶଳ ତଥା ହାଇବ୍ରିଡ ଟେକନୋଲୋଜିର ଉପଯୋଗ ହୋଇଛି । ହାଇବ୍ରିଡ କନଷ୍ଟ୍ରକସନ ଟେକନୋଲୋଜିରେ ବିଲଡିଂର କଲମ ଓ ବିମ ଗୁଡିକ ଷ୍ଟିଲରେ ତିଆରି ହୋଇଛି । ଏଭଳି ଏକ ବିଲଡିଂ ତିଆରି କରିବାରେ ଡିଆରଡିଓ ଦେଶରେ ପ୍ରଥମ ବୋଲି ଜଣାପଡିଛି । ଏହି ପ୍ରକଳ୍ପକୁ ତିଆରି କରିବାରେ ପ୍ରାୟ ୧୫ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗୁରୁବାର ଏହି ବିଲଡିଂକୁ ଉଦଘାଟନ କରିଛନ୍ତି ।

ଫିଫ୍ଥ ଜେନେରେସନର କମ୍ବାଟ ଏୟାରକ୍ରାଫ୍ଟ ସମ୍ପର୍କରେ ଗବେଷଣା ଓ ଏହାର ବିକାଶ ଦିଗରେ ଏହି ବିଲଡିଂରେ କାମ ହେବ । ତେଣୁ ଏହାକୁ ପ୍ରଧାନ୍ୟ ଦେଇ ମାତ୍ର ୪୫ଦିନ ଭିତରେ ନିର୍ମାଣ କରିଛି ଡିଆରଡିଓ । ବେଙ୍ଗାଲୁରୁରେ ୧ ଲକ୍ଷ ୩ ହଜାର ସ୍କେ୍ୱୟାର ଫୁଟ ଜମିରେ ତିଆରି ହେଇଛି ଏହି ଅତ୍ୟାଧୁନିକ ବିଲଡିଂ । ଏଡଭାଂସ ମିଡିୟମ କମ୍ବାଟ ଏୟାରକ୍ରାଫ୍ଟ ପ୍ରୋଜେକ୍ଟ ଅନୁସାରେ, ଏଠାରେ ଫାଇଟର ଏୟାର କ୍ରାଫ୍ଟ, ଫ୍ଲାଇଟ କଂଟ୍ରୋଲ ସିଷ୍ଟମ ଆଦି ପ୍ରତିରକ୍ଷା ଉପକରଣର ନିର୍ମାଣ ଏବଂ ବିକାଶ କରାଯିବ । ଏହି ବିଲଡିଂ ତିଆରି କରିବାରେ ଆଇଆଇଟି ମାଡ୍ରାସ ଓ ଆଇଆଇଟି ରୁରକି ବୈଷୟିକ ଜ୍ଞାନକୌଶଳ ସହାୟତା ଯୋଗାଇଛନ୍ତି ।