ଆମ୍ରି ହସ୍ପିଟାଲସରେ ସଫଳ ଅସ୍ତ୍ରୋପଚାର । ହୃଦରୋଗ ସମସ୍ୟାରୁ ମୁକ୍ତ ହେଲା ୬ ମାସର ଶିଶୁ

1,233

କନକ ବ୍ୟୁରୋ: ଆମ୍ରି ହସ୍ପିଟାଲସ ଭୁବନେଶ୍ୱରରେ ଏକ ୬ ମାସର ଶିଶୁର ହୃଦରୋଗ ସମସ୍ୟାର ସଫଳ ଅସ୍ତ୍ରୋପଚାର ହୋଇଛି । ଆମ୍ରି ହସ୍ପିଟାଲସର ହୃଦରୋଗ ବିଶେଷଜ୍ଞ ତଥା ଶିଶୁରୋଗ ବିଭାଗ ଡାକ୍ତରୀ ଦଳଙ୍କ ମିଳିତ ଉଦ୍ୟମରେ ଏହି ସଫଳ ଅସ୍ତ୍ରୋପଚାର ହୋଇପାରିଛି । ୬ ମାସର ଶିଶୁର ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଥିଲା । ଡାକ୍ତର ଦିବ୍ୟରଞ୍ଜନ ବେହେରା, କାର୍ଡିଓଲୋଜିଷ୍ଟ, ଆମ୍ରି ହସ୍ପିଟାଲସ, ପରୀକ୍ଷା ନିରୀକ୍ଷା କରିବା ପରେ ଜଣାପଡିଥିଲା ଯେ ଶିଶୁଟି ପାଟେଣ୍ଟ ଡ଼କ୍ଟସ ଆର୍ଟେରିଓସସ୍ (ପିଡିଏ) ନାମକ ମାରାତ୍ମକ ହୃଦ ସମସ୍ୟାରେ ପୀଡିତ ଥିଲା ।

ଆମ୍ରି ହସ୍ପିଟାଲସ ଭୁବନେଶ୍ୱରର ବରିଷ୍ଠ ହୃଦରୋଗ ବିଶାରଦ ଡାକ୍ତର ଦିବ୍ୟରଞ୍ଜନ ବେହେରା ଶିଶୁଟିର ଚିକିତ୍ସା କରିଥିଲେ । ଡାକ୍ତର ବେହେରାଙ୍କ କହିବା ଅନୁଯାୟୀ ପିଡିଏ ହେଉଛି ମହାଧମନୀ ଏବଂ ଫୁସଫୁସ ଧମନୀକୁ ଯୋଡୁଥିବା ଏକ ଟ୍ୟୁବ । ଏହି ସମସ୍ୟା ଯୋଗୁଁ ରକ୍ତ ଅଧିକାଂଶ ସମୟରେ ମହାଧମନୀରୁ ଫୁସଫୁସ ଧମନୀକୁ ପ୍ରବାହିତ ହୋଇଥାଏ, ଯାହାଦ୍ୱାରା ଆବଶ୍ୟକତା ଠାରୁ ଅଧିକ ରକ୍ତ ଫୁସଫୁସକୁ ଯାଇଥାଏ ।

ଏହାଦ୍ୱାରା ନିଃଶ୍ୱାସ ନେବାରେ କଷ୍ଟ ହୋଇଥାଏ ଏବଂ ଶିଶୁ ମାନଙ୍କ କ୍ଷେତ୍ରରେ ପଲମୋନାରୀ ହାଇପରଟେନସନ ହେବାର ସମ୍ଭାବନା ଥାଏ, ଯାହାର ଚିକିତ୍ସା ଏକପ୍ରକାର ଅସମ୍ଭବ ହୋଇ ପଡିଥାଏ । ଏହି ରୋଗର ଠିକ ସମୟରେ ଚିକିତ୍ସା ନହେଲେ ଶ୍ୱାସଜନିତ ସମସ୍ୟା ସୃଷ୍ଟି ହୋଇଥାଏ । ଆଗୁଆ ଚିକିତ୍ସା ହିଁ ଏଭଳି ବିପଦଜନକ ପରିସ୍ଥିତିକୁ ମୁକାବିଲା କରିବାର ଏକମାତ୍ର ଉପାୟ । ପିଡ଼ିଏର ଆକାର ଓ ଅନ୍ୟାନ୍ୟ ଦିଗକୁ ଦେଖି ଅପରେସନ କିମ୍ବା ଡିଭାଇସ କ୍ଲୋଜର କରାଯିବା ନେଇ ନିଷ୍ପତ୍ତି ନିଆଯାଇଥାଏ ।

ଏହି ପିଡ଼ିଏ ଡିଭାଇସ କ୍ଲୋଜର ପ୍ରକ୍ରିୟାରେ ଡାକ୍ତର ଦିବ୍ୟରଞ୍ଜନ ବେହେରାଙ୍କ ନେତୃତ୍ୱରେ ସମସ୍ତ କାର୍ଡିଆକ ଟିମ, କାର୍ଡିଆ ଅନେସ୍ଥେସିଷ୍ଟ ଡାକ୍ତର ବିବେକ ଚଉଧୁରୀ, ବରିଷ୍ଠ ନିଓନାଟାଲୋଜିଷ୍ଟ ଡାକ୍ତର ଜାନକୀ ବଲ୍ଲଭ ପ୍ରଧାନ ସହଯୋଗ କରିଥିଲେ । ଶିଶୁଟି ଅସ୍ତ୍ରୋପଚାରର ଦୁଇ ଦିନ ପରେ ଡିସଚାର୍ଜ ହୋଇଛି ଏବଂ ବର୍ତ୍ତମାନ ସେ ସୁସ୍ଥ ଅଛି ବୋଲି ଡାକ୍ତର ବେହେରା କହିଛନ୍ତି । ପୂର୍ବରୁ ଆମ ରାଜ୍ୟରେ ଏହିଭଳି ଅସୁବିଧା ଯୋଗୁଁ ଅନେକ ରାଜ୍ୟ ବାହାରକୁ ଚିକିତ୍ସା ପାଇଁ ଯାଇଥାନ୍ତି ଏବଂ ସମୟ ଉପଯୋଗୀ ସେବାରୁ ନିବୃତ ରହି ରୋଗୀମାନଙ୍କର ମୃତ୍ୟୁ ବି ହୋଇଥାଏ । କିନ୍ତୁ ଏବେ ଏହି ଚିକିତ୍ସା ଆମ୍ରି ହସ୍ପିଟାଲସ ଭଳି ଅତ୍ୟାଧୁନିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ହୋଇ ପାରୁଛି ଯାହା କି ଆମ ରାଜ୍ୟ ପାଇଁ ଏକ ଆଶାର ଆଲୋକ ।