ଚୀନ୍, ଦକ୍ଷିଣ କୋରିଆ ଓ ଇସ୍ରାଏଲରେ ବଢୁଛି କରୋନା ସଂକ୍ରମଣ: ଦକ୍ଷିଣ କୋରିଆରେ ଦିନକରେ ୪ଲକ୍ଷ ସଂକ୍ରମିତ

114

କନକ ବ୍ୟୁରୋ: ଚୀନ୍, ଇସ୍ରାଏଲ, ଦକ୍ଷିଣ କୋରିଆ, ହଙ୍ଗକଙ୍ଗ ଓ ସିଙ୍ଗାପୁର ପରି ଦେଶରେ ବଢୁଛି କରୋନା ସଂକ୍ରମଣ । ଯାହା ଏବେ ଭାରତର ଚିନ୍ତା ବଢାଇଛି । ସଂକ୍ରମଣ ବଢୁଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ହୋଇଛି । ବରିଷ୍ଠ ଡାକ୍ତର, ସ୍ୱାସ୍ଥ୍ୟ ସଚିବ, ଜୈବ ପ୍ରଯୁକ୍ତି ବିଭାଗ ସଚିବ, ଏନସିଡିସି ମୁଖ୍ୟ ଓ ଡ୍ରଗ କଂଟ୍ରୋଲର ଜେନେରାଲ ଏହି ବୈଠକରେ ଉପସ୍ଥିତ ଥିଲେ । ଏଥିରେ ସମସ୍ତ ଅଧିକାରୀଙ୍କୁ ସତର୍କ ରହିବାକୁ କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ମୁଖ୍ୟତଃ ୩ଟି ବିନ୍ଦୁ ଉପରେ ଗୁରୁତ୍ୱ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ :-
ସତର୍କ କରାଇଲା କେନ୍ଦ୍ର

– କୋଭିଡ୍ ମାମଲା ବୃଦ୍ଧି ନେଇ ସତର୍କ ରହିବା
– ବ୍ୟାପକ ପର୍ଯ୍ୟବେକ୍ଷଣ କରିବା
– ବ୍ୟାପକ ଜିନୋମ୍ ସିକ୍ୱେନ୍ସିଂ କରିବା ଉପରେ ବିଶେଷ ଧ୍ୟାନ ଦେବା

ଇସ୍ରାଏଲରେ ବିଏ୧ ଓ ବିଏ୨ ଭ୍ୟାରିଆଂଟ ଚିହ୍ନଟ ହୋଇଛି । ଭାରତ ପାଇଁ ସମସ୍ୟା ପରିବନି ବିଏ୨ ଭ୍ୟାରିଆଂଟ କାରଣ ଏହି ଭ୍ୟାରିଆଂଟ ଯୋଗୁଁ ଭାରତରେ ପୂର୍ବରୁ ସଂକ୍ରମଣ ବଢିସାରିଛି । ତେବେ ଏପର୍ଯ୍ୟନ୍ତ ମହାମାରୀ ସରିନଥିଲେ ମଧ୍ୟ ଜୁଲାଇ ବେଳକୁ ସ୍ଥିତି ଭଲ ହୋଇସାରିଥିବା ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।

ଚୀନ୍ରେ ଓମିକ୍ରନ୍ର ବିଏ.୨ ଭ୍ୟାରିଆଂଟ ଜନିତ ସଂକ୍ରମଣ ବଢିବା ସହ ଦକ୍ଷିଣ କୋରିଆ, ଜର୍ମାନୀ, ପଶ୍ଚିମ ୟୁରୋପ ଓ ଆମେରିକାରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଉଛି । ତେବେ ଓମିକ୍ରନର ସବ ଭ୍ୟାରିଆଂଟ ବିଏ୨ ଯୋଗୁଁ ଚୀନ୍ରେ ସଂକ୍ରମଣ ବଢିଥିବା ବେଳେ ଦକ୍ଷିଣ କୋରିଆରେ ଏବେ ଦୈନିକ ସଂକ୍ରମଣ ୪ ଲକ୍ଷ ଉପରେ ପହଂଚିଛି ।

ବଢୁଥିବା ସଂକ୍ରମଣକୁ ନଜରରେ ରଖି ସତର୍କ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ହୁ କହିଛି ଯେ, ଗତ ସପ୍ତାହେ ଭିତରେ କେତେକ ଦେଶରେ ତଳମୁହାଁ ସଂକ୍ରମଣର ଗ୍ରାଫ୍ ପୁଣି ଉପରମୁହାଁ ହେବାରେ ଲାଗିଛି । ତେଣୁ ଦେଶ ଗୁଡିକୁ କରୋନା ସଂକ୍ରମଣ ପ୍ରତି ସତର୍କ ରହିବା ଆବଶ୍ୟକ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ହୁ ଆହୁରି ମଧ୍ୟ କହିଛି ଯେ,

– ଗତ ସପ୍ତାହ ତୁଳନାରେ ଏବେ ବିଶ୍ୱରେ ସଂକ୍ରମଣ ପ୍ରାୟ ୮% ବଢିଛି
– ମାର୍ଚ୍ଚ ୭ରୁ ୧୩ମଧ୍ୟରେ ୧୧ମିଲିୟନ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି
– ୪୩ହଜାର ସଂକ୍ରମିତଙ୍କ ମୃତ୍ୟୁ ଘଟିଛି
– ଜାନୁୟାରୀ ମାସ ପରେ ପ୍ରଥମ ଥର ପାଇଁ ଏପରି ସ୍ଥିତି ଦେଖିବାକୁ ମିଳିଛି
– ବିଶେଷ ଭାବରେ ଚୀନ୍ ଓ ଦକ୍ଷିଣ କୋରିଆରେ ସଂକ୍ରମଣର ଏହି ସ୍ଥିତି ଦେଖିବାକୁ ମିଳିଛି